ଭଦ୍ରକ/ଆରଡ଼ି: ବହୁଚର୍ଚ୍ଚିତ ବେଙ୍ଗାଲୁରୁର ମହାଲକ୍ଷ୍ମୀ ହତ୍ୟାକାଣ୍ତର ଗୁମର ଫିଟିବାରେ ଲାଗିଛି। ହତ୍ୟାକାଣ୍ଡରେ ମୁକ୍ତିରଞ୍ଜନ ମୁଖ୍ୟ ଅଭିଯୁକ୍ତ ବୋଲି ଭଦ୍ରକ ଏସ୍‌ପି ସ୍ପଷ୍ଟ କରିଥିବା ବେଳେ ଅଭିଯୁକ୍ତ ମୁକ୍ତିରଞ୍ଜନଙ୍କ ସାନଭାଇ ମୁହଁ ଖୋଲିଛନ୍ତି। ବଡ଼ଭାଇକୁ ବ୍ଲାକ୍‌ମେଲ କରି ମହାଲକ୍ଷ୍ମୀ ଟଙ୍କା ଓ ସୁନାଗହଣା ଲୁଟୁଥିଲେ ବୋଲି ସେ ଆଜି ଅଭିଯୋଗ କରିଛନ୍ତି। ଅନ୍ୟପଟେ ଘରର ରୋଜଗାରିଆ ବଡ଼ପୁଅକୁ ହରାଇ ଲୁହ ଝରାଉଛନ୍ତି ବୁଢ଼ାବାପା, ମାଆ। ପୁଅର ମୃତ୍ୟୁ ପରେ ଦୁଇଦିନ ହେଲା ପରିବାର କାନ୍ଦ ବୋବାଳିରେ ଫାଟିପଡ଼ୁଛି। 

Advertisment

ବେଙ୍ଗାଲୁରୁ ମହାଲକ୍ଷ୍ମୀ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଚାନ୍ଦବାଲି ବ୍ଲକ ଧୂଷୁରୀ ଥାନା ଭୂଇଁପୁରର ମୁକ୍ତିରଞ୍ଜନ ରାୟ ଗତକାଲି ଆରଡ଼ି ଫାଣ୍ତି ଅନ୍ତର୍ଗତ କୁଳେଇପଦା-ଚମ୍ପାସାହି ମୁଖ୍ୟରାସ୍ତା ଉପରେ ନିଜର ସ୍କୁଟି ରଖି ଏକ ଗଛରେ ରଶି ଲଗାଇ ଆତ୍ମହତ୍ୟା କରିଥିଲେ। ପୁଲିସ ଶବ ଜବତ କରିବା ସହିତ ଘଟଣାସ୍ଥଳରୁ ସ୍କୁଟି, ଡାଏରୀ ଓ ଲାପ୍‌ଟପ୍‌ ଜବତ କରିଥିଲା। ଜବତ ଡାଏରୀରୁ ମହାଲକ୍ଷ୍ମୀ ହତ୍ୟାକାଣ୍ଡର ସୁରାକ ମିଳିଥିଲା। ଆଜି ଅଭିଯୁକ୍ତ ମୁକ୍ତିରଞ୍ଜନଙ୍କ ସାନଭାଇ ଶକ୍ତିରଞ୍ଜନ ଅଭିଯୋଗ କରିଛନ୍ତି, ମୋ ବଡ଼ଭାଇଙ୍କୁ ମହାଲକ୍ଷ୍ମୀ ବ୍ଲାକମେଲ୍‌ କରୁଥିଲେ। ବାରମ୍ବାର ଟଙ୍କା ମାଗୁଥିଲେ। ୬ରୁ ୭ ଲକ୍ଷ ଟଙ୍କା ଓ ସୁନାଗହଣା ନେଇସାରିଥିଲେ। ଅସହ୍ୟ ହେବାରୁ ସେ ମହିଳାକୁ ହତ୍ୟା କରିବା ପରେ ବେଙ୍ଗାଲୁରୁରୁ ଚାଲିଆସି ମୋ ପାଖରେ ଦଶଦିନ ରହିଥିଲା। ପ୍ରଥମେ ସେ ଏ ବିଷୟରେ କିଛି କହି ନଥିଲେ। ତିନିଦିନ ପରେ ଏହି ହତ୍ୟାକାଣ୍ତ ବାବଦରେ କହିଥିଲେ। ତେବେ ସେ ମହିଳାଙ୍କ ସହିତ କିଭଳି ସମ୍ପର୍କ ଥିଲା ସେ ବିଷୟରେ କିଛି କହି ନାହାନ୍ତି। ମୋ ଭାଇଙ୍କୁ ଖୋଜି ଖୋଜି କର୍ଣ୍ଣାଟକ ପୁଲିସ ମୋତେ ମେସ୍‌ରୁ ଉଠାଇ ଆଣି ଭୁବନେଶ୍ବର ଆଣିଲା ପରେ ବାଲେଶ୍ବର ଓ ଭଦ୍ରକ ନେଇଥିଲେ। ମୋ ଭାଇଙ୍କ ମୃତ୍ୟୁ ଖବର ଶୁଣିବା ପରେ ପୁଲିସ ପୁଣିଥରେ ମୋତେ ଭୁବନେଶ୍ବରକୁ ନେଇ ପଚରାଉଚରା ପରେ ଛାଡ଼ି ଦେଇଛି। ଏବେ ବି ମୋର ଅନ୍ୟ ଭାଇକୁ ପୁଲିସ ରଖିଛି। ତାକୁ ମଧ୍ୟ ପୁଲିସ ବହୁତ ବାଡ଼େଇଛି। ଏହିସବୁ ପାଇଁ ସମ୍ପୃକ୍ତ ମହିଳା ଦାୟୀ ବୋଲି ଅଭିଯୋଗ କରିଛନ୍ତି। 

ଅନ୍ୟପଟେ ଘରର ରୋଜଗାରିଆ ବଡ଼ପୁଅକୁ ହରାଇ ଆଖିରୁ ଲୁହ ଗଡ଼ାଉଛନ୍ତି ବୁଢ଼ାବାପା, ମାଆ। ମୃତ୍ୟୁ ଖବର ଶୁଣିବା ପରେ ଦୁଇଦିନ ହେଲା ପରିବାରରେ କାନ୍ଦ ବୋବାଳିରେ ଫାଟି ପଡ଼ୁଛି। ମୁକ୍ତିରଂଜନଙ୍କ ମାଆ କୁଞ୍ଜଲତା ରାୟ କହିଛନ୍ତି, ଦୁଇବର୍ଷ ପରେ ମୋ ପୁଅ ଗତ ମଙ୍ଗଳବାର ରାତି ୧୦ଟାରେ ଘରକୁ ଆସିଥିଲା। ସେ ବ୍ୟସ୍ତବିବ୍ରତ ଥିବା ପରି ଜଣାପଡ଼ୁଥିଲା। ସେ ମୋତେ  କହିଲା ‘ମାଆ ମୁଁ ଯେତେ ଟଙ୍କା ରୋଜଗାର କରୁଛି ସବୁ ସେ ଝିଅ ନେଇଯାଉଛି। ମୋ ସୁନାଚେନ୍‌, ମୁଦି ବି ନେଇଯାଇଛି। ମୁଁ ଭାରି ଟେନ୍‌ସନ୍‌ରେ ଅଛି। ହେଲେ କଣ ପାଇଁ ଟେନ୍‌ସନ୍‌ରେ ଅଛି କିଛି କହିଲା ନାହିଁ। ସଂଗେ ସଂଗେ ସ୍କୁଟି ଚାବି ନେଇ ପଳାଇଲା। ସକାଳେ ଆତ୍ମହତ୍ୟା କରିଥିବା ଖବର ଶୁଣିଲି।’ ତେଣୁ ସେ ଝିଅ ପାଇଁ ମୋ ପୁଅ ଆତ୍ମହତ୍ୟା କଲା ବୋଲି ମୁକ୍ତିର ମାଆ ଅଭିଯୋଗ କରିଛନ୍ତି। ବାପା ପ୍ରତାପ ରାୟଙ୍କ କହିବା କଥା ଗତ ମଙ୍ଗଳବାର ରାତିରେ ପୁଅ ଆସିଥିଲା। ମୋ ସାଙ୍ଗରେ କିଛି କଥାହେଲା ନାହିଁ। ତାର ମାଆ ସହ କଣ କଥା ହୋଇ ସ୍କୁଟି ନେଇ ପଳାଇଲା।

ସେ ମୋ ରୋଜଗାରିଆ ପୁଅ ଥିଲା। କାମ କରି ଟଙ୍କା ପଠାଉଥିବାରୁ ଘର ଚଳୁଥିଲା। ହେଲେ ଏହି କିଛି ମାସ ହେବ ସେ ଟଙ୍କା ଦେଉନଥିଲା।  ଏ ସମ୍ପର୍କରେ ଏସ୍‌ପି ବରୁଣ ଗୁଣ୍ଠୁପାଲି ପ୍ରତିକ୍ରିୟା ରଖି କହିଛନ୍ତି, ଘଟଣାର ତଦନ୍ତ ଆରମ୍ଭ କରିଛୁ। ହତ୍ୟା ଘଟଣା ନେଇ ବେଙ୍ଗାଲୁରୁ ପୁଲିସ ତଦନ୍ତ କରୁଛି । ମୃତଦେହ ବ୍ୟବଚ୍ଛେଦ କରାଯିବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ପୁଲିସ ଭୟରେ ମୁକ୍ତିରଞ୍ଜନ ଜୀବନ ହାରିଛି। ସୁଇସାଇଡାଲ୍ ନୋଟ୍‌ରେ ସେ ମହାଲକ୍ଷ୍ମୀଙ୍କୁ ହତ୍ୟା କରିଥିବା ମାନିଛି। କୋର୍ଟରେ ସେହି ସୁଇସାଇଡାଲ୍‌ ନୋଟ୍‌କୁ ଦିଆଯିବ ବୋଲି ଏସ୍‌ପି କହିଛନ୍ତି।