ଭୁବନେଶ୍ବର : ବହୁ ଚର୍ଚ୍ଚିତ ବ୍ଲାକ୍ମେଲର୍ ଅର୍ଚ୍ଚନା ଗିରଫ ଘଟଣାରେ ଆଜି ଡିସିପି ପ୍ରତୀକ ସିଂ ମୁହଁ ଖୋଲିଛନ୍ତି। କିନ୍ତୁ ବେଶ୍ ମାପିଚୁପି ଅର୍ଚ୍ଚନାର ଗିରଫଦାରୀ ପ୍ରସଙ୍ଗକୁ ସ୍ବୀକାର କରିଛନ୍ତି ଏବଂ ତଦନ୍ତ ଜାରି ରହିଛି ବୋଲି କହିଛନ୍ତି। ମାତ୍ର ତଦନ୍ତ ବାହାନାରେ ଅନ୍ୟ କିଛି ବି ତଥ୍ୟ ବାବଦ ପ୍ରଶ୍ନକୁ ଏଡ଼ାଇ ଯାଇଛନ୍ତି। ଜଣେ ଯୁବତୀଙ୍କୁ ଦେହ ବ୍ୟବସାୟରେ ନିୟୋଜିତ କରିବା ଓ ପୁଣି ତାଙ୍କୁ ମାଧ୍ୟମ କରି ବଡ଼ବଡ଼ ଲୋକଙ୍କୁ ବ୍ଲାକ୍ମେଲ୍ କରିବା ଭଳି ସଂଗିନ୍ ଅଭିଯୋଗରେ ଅର୍ଚ୍ଚନା ଗିରଫ ହୋଇଥିଲେ ବି ପୁଲିସ ଗଣମାଧ୍ୟମକୁ ବିଶେଷ ସୂଚନା ଦେଇନାହିଁ। ଏମିତିକି ଗଣମାଧ୍ୟମକୁ ଏଡ଼ାଇବାକୁ ଯାଇ ପୁଲିସ ବଡ଼ ସତର୍କତାର ସହ ରାତିଅଧିଆ ଅର୍ଚ୍ଚନାକୁ କୋର୍ଟ ଚାଲାଣ କରିଛି। କମିସନରେଟ୍ ପୁଲିସର ଏଭଳି ରହସ୍ୟମୟ କାର୍ଯ୍ୟକୁ ନେଇ ବିଭିନ୍ନ ମହଲରୁ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଜଣେ ବ୍ଲାକ୍ମେଲର୍କୁ କୋର୍ଟ ଚାଲାଣ କରାଯିବା ଘଟଣାକୁ ଲୁଚାଇବା ପଛରେ ପୁଲିସର କି ସ୍ବାର୍ଥ ରହିଛି? କାହା ଇଙ୍ଗିତରେ ପୁଲିସ ଏମିତି କରିଛି? ଏହି ଘଟଣାକୁ ଲୋକଲୋଚନକୁ ଆଣିବାକୁ ପୁଲିସ ଭୟ କରୁଛି କାହିଁକି? ବଡ଼ବଡ଼ ଲୋକଙ୍କ ଗୁମର ଫିଟିଯିବ ବୋଲି ପୁଲିସ ଉପରେ ଚାପ ପଡ଼ୁଛି କି? କେଉଁ ରାଜନୈତିକ ବ୍ୟକ୍ତିବିଶେଷଙ୍କୁ ଘଣ୍ଟ ଘୋଡ଼ାଇବାକୁ ପୁଲିସ ଏମିତି ତତ୍ପର ହୋଇପଡ଼ିଛି? ଏମିତି ପୁଳାପୁଳା ପ୍ରଶ୍ନ ଆଜି ସାଧାରଣ ଜନତାଙ୍କ ମୁହଁରେ ଜୋର୍ଦାର୍ ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି।
ଅର୍ଚ୍ଚନାଙ୍କ ମୋବାଇଲ ଜବତ ହୋଇଛି ତ?
ପୁଣି ଆଜି ଆଉ ଏକ ବଡ଼ ବିସ୍ମୟର କଥା ପ୍ରଘଟ ହୋଇଛି। ଅର୍ଚ୍ଚନାଙ୍କ ମୋବାଇଲ୍ ଫୋନ୍ ପୁଲିସ ଜବତ କରିଥିବା ବେଳେ ଆଜି ସୋସିଆଲ ମିଡିଆରେ ପୁଣି ଏକ ଭିଡିଓ ଭାଇରାଲ୍ ହୋଇଛି। ଏକ ସମ୍ଭ୍ରାନ୍ତ ହୋଟେଲରେ ଅର୍ଚ୍ଚନା ଜଣଙ୍କୁ ବ୍ଲାକ୍ମେଲ୍ କରୁଥିବା ବେଳର ଭିଡିଓ ଆଜି ମୋବାଇଲ୍ରୁ ମୋବାଇଲ୍କୁ ଘୂରି ବୁଲୁଛି। ଏମିତିକି ଏକ ମେସେଞ୍ଜର ଚାଟିଂ ମଧ୍ୟ ହଠାତ୍ ଭାଇରାଲ ହୋଇଛି। ତାଙ୍କ ଫେସବୁକ୍ ମେସେଞ୍ଜରରୁ ଜଣେ ରାଜନୈତିକ ବ୍ୟକ୍ତିବିଶେଷଙ୍କ ସହିତ କେମିତି ଚାଟିଂ କରି ବନ୍ଧୁତା ସ୍ଥାପନ କରୁଛନ୍ତି, ହୃଦୟ ଇମୋଜି ଛାଡ଼ିଛନ୍ତି, ପରେ ତାଙ୍କ ସ୍ବାମୀଙ୍କ ଦେହ ଅସୁସ୍ଥ ଫଟୋ ଦେଖାଇ ଟଙ୍କା ମାଗିଛନ୍ତି, ତାହା ଭାଇରାଲ ହୋଇଥିଲା। ତେବେ ଏହା କେତେଦୂର ସତ, ତାହା ସ୍ପଷ୍ଟ ହୋଇନାହିଁ। ପୁଲିସ ଜବତ କରିଥିବା ମୋବାଇଲ୍ରୁ ଏସବୁ କିଭଳି ଭାଇରାଲ୍ ହେଉଛି?
ସେହିଭଳି ହଠାତ୍ ତାଙ୍କ ଇନ୍ଷ୍ଟାଗ୍ରାମ୍ ଆକାଉଣ୍ଟ ଆଜି ବନ୍ଦ ହୋଇଯାଇଛି। ଆଜି ଗୋଟିଏ ଦିନରେ ଏସବୁ ଘଟିବା ପଛରେ କେଉଁଠି ନା କେଉଁଠି ବଡ଼ ରହସ୍ୟ ଥିବା ଅନୁମାନ କରାଯାଉଛି। ଅର୍ଚ୍ଚନାଙ୍କ ଏହି ଭିଡିଓ ଭାଇରାଲ୍ ହୋଇଥିବାରୁ ପୁଲିସ ତାଙ୍କ ମୋବାଇଲ୍ ଫୋନ୍ ଜବତ କରିଛି କି ନାହିଁ ବୋଲି ସନ୍ଦେହ କରାଯାଉଛି। ତେଣୁ ଜେଲ୍ରେ ଥାଇ ଅର୍ଚ୍ଚନା ତାଙ୍କ ମୋବାଇଲ୍ ଫୋନ୍ ବ୍ୟବହାର କରୁଛନ୍ତି କି ବୋଲି ପ୍ରଶ୍ନ ଉଠିଲାଣି।
କାହିଁକି ଗିରଫ ହେଲେନି ଜଗବନ୍ଧୁ ଓ ଖଗେଶ୍ବର ?
ଅପରପକ୍ଷେ ବ୍ଲାକ୍ମେଲ୍ ପଛର ଅନ୍ୟତମ ଖଳନାୟକ ତଥା ଅର୍ଚ୍ଚନାଙ୍କ ସ୍ବାମୀ ଜଗବନ୍ଧୁ ଚାନ୍ଦଙ୍କ ଫେସ୍ବୁକ୍ ଆକାଉଣ୍ଟ ଆଜି ହଠାତ୍ ବନ୍ଦ ହୋଇଯାଇଛି। ଖଣ୍ଡଗିରି ଥାନାରେ ପୀଡ଼ିତା ଦେଇଥିବା ଅଭିଯୋଗ ଅନୁସାରେ ତାଙ୍କୁ ଦେହ ବ୍ୟବସାୟରେ ନିୟୋଜିତ କରିବା ଓ ତାଙ୍କୁ ବ୍ୟବହାର କରି ବ୍ଲାକ୍ମେଲ୍ କରିବାରେ ଅର୍ଚ୍ଚନାଙ୍କ ସ୍ବାମୀ ଜଗବନ୍ଧୁ ଓ ତାଙ୍କ ସମ୍ପର୍କୀୟ ଭାଇ ଖଗେଶ୍ବରଙ୍କ ସିଧାସଳଖ ସମ୍ପୃକ୍ତି ରହିଛି। ଅଥଚ ପୁଲିସ କେବଳ ଅର୍ଚ୍ଚନାକୁ ଗିରଫ କରିଥିବା ବେଳେ ଜଗବନ୍ଧୁ ଓ ଖଗେଶ୍ବର ଖୋଲାରେ ବୁଲୁଛନ୍ତି। ଆଇନଜୀବୀମାନଙ୍କ କହିବା କଥା ପୀଡ଼ିତାଙ୍କ ଅଭିଯୋଗ ଆଧାରରେ ତିନିଜଣଯାକ ସମାନ ପରିମାଣରେ ଅଭିଯୁକ୍ତ। ପୁଲିସ ସମାନ ଦଫାରେ ତିନିଜଣଙ୍କୁ ଗିରଫ କରିବା କଥା। କିନ୍ତୁ ଜଗବନ୍ଧୁ ଓ ଖଗେଶ୍ବରଙ୍କୁ ପୁଲିସ କ’ଣ ପାଇଁ ଗିରଫ କରିନାହିଁ, ତାହା ବଡ଼ ରହସ୍ୟମୟ। ଜଗବନ୍ଧୁ ମୁଣ୍ଡରେ ନିଶ୍ଚୟ ରାଜନୈତିକ ଶକ୍ତିର ହାତ ରହିଛି ବୋଲି ପୁଲିସ ବାଧ୍ୟ ହୋଇ ତାଙ୍କୁ ଛାଡ଼ି ଦେଇଛି ବୋଲି ଚର୍ଚ୍ଚା ହେଉଛି। ଜଗବନ୍ଧୁ ଏକ ରାଜନୈତିକ ଦଳର ସଦସ୍ୟ ହୋଇଥିବାରୁ ପୁଲିସ ଚାପର ବଶବର୍ତ୍ତୀ ହୋଇଛି ବୋଲି କୁହାଯାଉଛି।
ସୂଚନାଯୋଗ୍ୟ ଯେ ଏହି ହାଇଫ୍ରୋଫାଇଲ୍ ମାମଲାରେ ଶାସକ ଦଳର ନେତାଙ୍କ ସମେତ କିଛି ବିଧାୟକ, ପୂର୍ବତନ ବିଧାୟକ, ବିଲ୍ଡର, ଗହଣା ବ୍ୟବସାୟୀ, ଖଣି ବ୍ୟବସାୟୀ ଓ ଚଳଚ୍ଚିତ୍ର ପ୍ରଯୋଜକଙ୍କ ଛନ୍ଦି ହୋଇଛନ୍ତି। ଅର୍ଚ୍ଚନାର ମାୟାଜାଲରେ ଏଭଳି ଦାମୀ ଲୋକେ ଫସିଛନ୍ତି। ଫଳରେ ମାତ୍ର ୫ଟା ବର୍ଷରେ ଅର୍ଚ୍ଚନା ଓ ଜଗବନ୍ଧୁ କୋଟିପତି ପାଲଟିଯାଇଥିବା କୁହାଯାଉଛି। ଯୌନ ଲାଳସା ମେଣ୍ଟାଇବାକୁ ଯାଇ ଅର୍ଚ୍ଚନାର ମାୟାଜାଲରେ ଫସିଥିବା ବଡ଼ବଡ଼ିଆମାନେ ଲୋକଲଜ୍ଜାକୁ ଡରି କାନମୁଣ୍ଡା ଆଉଁସି ବିପୁଳ ଅର୍ଥ ଗଣିଛନ୍ତି। କିନ୍ତୁ ଚଳଚ୍ଚିତ୍ର ପ୍ରୟୋଜକ ଅକ୍ଷୟ ପରିଜାଙ୍କୁ ବ୍ଲାକ୍ମେଲ୍ କରିବା ଅର୍ଚ୍ଚନା ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ବ୍ଲାକ୍ମେଲ୍ ପାଇଁ ମାଧ୍ୟମ ସାଜିଥିବା ଯୁବତୀ ଶ୍ରଦ୍ଧାଞ୍ଜଳି ହିଁ ପାଲଟା ଅର୍ଚ୍ଚନା ନାଁରେ ଅଭିଯୋଗ କରି ଖେଳକୁ ପଲଟାଇ ଦେଇଛନ୍ତି।