ପଟ୍ଟାମୁଣ୍ଡାଇ: ବାଲେଶ୍ବର ଓ ବଳଙ୍ଗା ଘଟଣାକୁ ନେଇ ରାଜ୍ୟରେ ହଇଚଇ ସୃଷ୍ଟି ହୋଇଥିବା ବେଳେ ଆଜି କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଅଞ୍ଚଳରେ ଆଉ ଏକ ଛାତ୍ରୀ ଆତ୍ମାହୁତି ଘଟଣା ଘଟିଛି। ନିଜ ଘର ଭିତରେ ନିଆଁରେ ପୋଡ଼ି ହୋଇ ଆଜି ସକାଳେ ଜଣେ ଛାତ୍ରୀଙ୍କ ଜୀବନ ଯାଇଛି। ସେ ବଡ଼ପଡ଼ା ମହାବିଦ୍ୟାଳୟରେ ଯୁକ୍ତ ତିନି ତୃତୀୟ ବର୍ଷର ଛାତ୍ରୀ ଥିଲେ। ଆତ୍ମହତ୍ୟା ପଛର କାରଣ ପୁରୁଷବନ୍ଧୁଙ୍କ ବ୍ଲାକ୍ମେଲିଂ ବୋଲି ମୃତ ଛାତ୍ରୀଙ୍କ ପିତା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। କେନ୍ଦ୍ରାପଡ଼ା ଏସ୍ପି ସିଦ୍ଧାର୍ଥ କାଟେରିଆ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ମୃତ ଛାତ୍ରୀଙ୍କ ପିତାଙ୍କ କହିବାନୁଯାୟୀ ତାଙ୍କ ଝିଅ ସହ ତେରେଇ ଗ୍ରାମର ଜଣେ ଯୁବକଙ୍କ ପ୍ରେମ ସଂପର୍କ ଥିଲା। ଛଅ ମାସ ତଳେ ଉଭୟଙ୍କ ବିଚ୍ଛେଦ ହୋଇଯାଇଥିଲା। ମାତ୍ର ସଂପୃକ୍ତ ଯୁବକ ଜଣକ ଝିଅର ନଗ୍ନ ଫଟୋ ରଖି ବ୍ଲାକମେଲ୍ କରୁଥିଲା। ଏମିତିକି ପେଟ୍ରୋଲ୍, କିରାସିନି ଢାଳି ଜାଳି ଦେବାକୁ ବି ଧମକ ଦେଉଥିଲା। ଏହି ଘଟଣାକୁ ନେଇ ଝିଅ ମାନସିକ ଅବସାଦରେ ରହୁଥିଲା।
ପୁଲିସର ଅବହେଳାକୁ ଦାୟୀ କଲେ ପୀଡ଼ିତାଙ୍କ ପିତା
ବଡ଼ପଡ଼ାରେ ଉତ୍ତେଜନା, ଏସ୍ପିଙ୍କ ତନାଘନା
ଆଜି ସକାଳୁ ବାପା ଓ ମା’ ମେଡିକାଲ ଯିବା ପରେ ଘର ଭିତରୁ କବାଟ କିଳି କିରାସିନି ଢାଳି ଶିଡ଼ିଘର ଉପରେ ଦେହରେ ନିଆଁ ଲଗାଇ ଦେଇଥିଲା। ବାପା ମା’ ଘରକୁ ଫେରିବା ପରେ ଭିତରପଟୁ କବାଟ ଦିଆଯାଇଥିବା ଦେଖି ଝିଅକୁ ଡାକିଥିଲେ। ପରେ କବାଟ ତାଡ଼ି ଘର ଭିତରକୁ ପ୍ରବେଶ କରି ଦେଖିବା ବେଳେ ଝିଅ ଶିଡ଼ି ପାହାଚରେ ମରି ପଡ଼ିଛି। ଏହାପରେ ଗାଁ ଲୋକେ ପୁଲିସକୁ ଖବର ଦେଇଥିଲେ। ଅପରାହ୍ଣ ୨ଟା ପର୍ଯ୍ୟନ୍ତ ପୁଲିସ ଘଟଣାସ୍ଥଳରେ ନ ପହଞ୍ଚିବାରୁ ଗାଁରେ ଅସନ୍ତୋଷ ପ୍ରକାଶ ପାଇଥିଲା। ଏସ୍ପି ଘଟଣାସ୍ଥଳରେ ପହଞ୍ଚି ଛାତ୍ରୀଙ୍କ ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇବା ସହିତ ସେ ବ୍ୟବହାର କରୁଥିବା ମୋବାଇଲ୍ ଫୋନ୍ ଜବତ କରିଛନ୍ତି। ସେପଟେ ପୁଲିସର ଗୋଟିଏ ଟିମ୍ ସଂପୃକ୍ତ ଯୁବକଙ୍କ ତେରେଇସ୍ଥିତ ଘରେ ଚଢ଼ଉ କରିଛି। ମାତ୍ର ସେ ଫେରାର୍ ଥିବା ଜଣାପଡ଼ିଛି।
ମୃତ ଛାତ୍ରୀଙ୍କ ପିତା ଅଭିଯୋଗ କରିଛନ୍ତି ଯେ ସାତଆଠ ମାସ ତଳେ ଗ୍ରାମାଞ୍ଚଳ ଥାନାକୁ ସେ ଏତଲା ଦେବାକୁ ଯାଇଥିଲେ। ମାତ୍ର ଏଏସ୍ଆଇ ଏତଲା ରଖିଲେ ନାହିଁ। ତେଣୁ ରାଗରେ ଏତଲାକୁ ଚିରିଦେଲି। ତେବେ ଛାତ୍ରୀଙ୍କ ମୃତ୍ୟୁ ପରେ ସଂପୃକ୍ତ ଏଏସ୍ଆଇ ଘଟଣାସ୍ଥଳକୁ ଆସିଥିବା ଜାଣିବା ପରେ ଗାଁ ଲୋକେ ତାଙ୍କୁ ଘେରିଥିଲେ। ଗଣମାଧ୍ୟମ ମଧ୍ୟ ତାଙ୍କୁ ଏତଲା ନ ରଖିବା ପଛର କାରଣ ପଚାରିଥିଲେ। ମାତ୍ର ସେ ଏହାର କୌଣସି ଉତ୍ତର ଦେଇନଥିଲେ। ଏସ୍ପି କହିଛନ୍ତି ଏତଲା ରଖିନଥିବା ନେଇ ଯେଉଁ ଅଭିଯୋଗ ହୋଇଛି, ଏହାର ମଧ୍ୟ ତଦନ୍ତ କରାଯିବ।