ବ୍ଲାକ୍‌ସ୍ପଟ୍‌: ଡରାଉଛି ଜାତୀୟ ରାଜପଥ; ସହର ସଜଡ଼ା ଚାଲିଛି, ରାଜପଥରୁ ଅନ୍ଧକାର ହଟୁନି

ପୁରୀ : ଶ୍ରୀମନ୍ଦିର ଓ ସମୁଦ୍ର ଶ୍ରୀକ୍ଷେତ୍ରର ପରିଚୟ। ପର୍ଯ୍ୟଟନରେ ସମୃଦ୍ଧ ଏହି ସହରକୁ ପ୍ରତିଦିନ ଲକ୍ଷାଧିକ ପର୍ଯ୍ୟଟକଙ୍କ ଯାତାୟାତ ହେଉଛି। ବିଶ୍ବସ୍ତରୀୟ ସହରରେ ପରିଣତ କରିବା ପାଇଁ ଭିତ୍ତିଭୂମିର ବିକାଶ ଚାଲିଛି। ଏଇ କିଛି ବର୍ଷ ମଧ୍ୟରେ ପାଖାପାଖି ୫ଶହ କୋଟିରୁ ଊର୍ଦ୍ଧ୍ବ ଟଙ୍କାର ଉନ୍ନତିମୂଳକ କାମ ଚାଲୁରହିଛି। ଅଥଚ ପର୍ଯ୍ୟଟନ ସହର ସହ ଭୁବନେଶ୍ବରକୁ ଯୋଡ଼ୁଥିବା ଜାତୀୟ ରାଜପଥ ଅନ୍ଧାର। ଏଥିପାଇଁ ପ୍ରତ୍ୟେକ ଦିନ ଦୁର୍ଘଟଣା ଘଟୁଛି। ହେଲେ ବାରମ୍ବାର ଏହାକୁ ଅଣଦେଖା କରି ଚାଲିଛନ୍ତି ସରକାର।

ପିପିଲି ଜାତୀୟ ରାଜପଥ ହେଉ ଅବା ଚନ୍ଦନପୁର ଜାତୀୟ ରାଜପଥ ସବୁଠି ରାସ୍ତା ଚକାଚକ୍‌, ହେଲେ ସଞ୍ଜ ନଇଁଲେ ଗାଡ଼ି ଚଳାଇବା କଷ୍ଟକର ବ୍ୟାପାର ହେଉଛି। ଟିକେ ଅସାବଧାନ ହେଲେ ଦୁର୍ଘଟଣା ଘଟୁଛି। ବିଡ଼ମ୍ବନା ଏହି ଯେ ଏହି ରାସ୍ତାରେ ୬୦ରୁ ଅଧିକ ବ୍ଲାକ୍‌ସ୍ପଟ୍‌ ଚିହ୍ନଟ ହୋଇଥିବା ବେଳେ ଅନ୍ଧାର ଯୋଗୁ ଏହା ଅଧିକ ଭୟଙ୍କର ହେଉଛି। ଏନେଇ ତ୍ବରିତ ପଦକ୍ଷେପ ନେବାକୁ ଅନେକ ଥର ବୈଠକ ବସିଛି। ଜାତୀୟ ରାଜପଥ, ପୁଲିସ୍‌, ରାସ୍ତା ଓ ଗୃହନିର୍ମାଣ ବିଭାଗକୁ ନେଇ ଜିଲ୍ଲା ପ୍ରଶାସନ ଏକାଧିକ ବୈଠକ କରିଛି। ୩୧୬ ନମ୍ବର ଜାତୀୟ ରାଜପଥରୁ ଅବରୋଧ ହଟାଇବା ସହ ୪୦ଟି ମେଡିୟାନ କଟ୍‌ ବନ୍ଦ କରିବାକୁ ବି ନିର୍ଦ୍ଦେଶ ଦିଆଯାଇଛି। ଏହାବ୍ୟତୀତ ବିଭିନ୍ନ ଛକ ସ୍ଥାନରେ ହାଇମାଷ୍ଟ ଲାଇଟ୍‌ ମରାମତି ଓ ନୂଆ ସ୍ଥାପନ ପାଇଁ ନିର୍ଦ୍ଦେଶ ଦିଆଯିବା ସତ୍ତ୍ବେ ସବୁ ନିଷ୍ପତ୍ତି ଫାଇଲ ତଳେ ରହିଯାଇଛି। ପୁରୀ ଜିଲ୍ଲାରେ ୨୦୧୯ ମସିହା ସେପ୍ଟେମ୍ବରରୁ ଡିସେମ୍ବର ମାସ ମଧ୍ୟରେ କେବଳ ଦୁର୍ଘଟଣାରେ ୬୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ୨୦୨୦ ମସିହାରେ ସେପ୍ଟେମ୍ବରରୁ ଡିସେମ୍ବର ମଧ୍ୟରେ ୪୨ ଜଣ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି। ଜାତୀୟ ରାଜପଥରେ ଆଲୋକୀକରଣର ଅଭାବ ଏବଂ ଗୁରୁତ୍ବପୂର୍ଣ୍ଣ ଛକମାନଙ୍କରେ ସ୍ପିଡ୍‌ ବ୍ରେକର୍‌ ନଥିବାରୁ ବାରମ୍ବାର ଏଭଳି ଦୁର୍ଘଟଣା ଘଟିଚାଲିଛି।

ଶ୍ରୀକ୍ଷେତ୍ରକୁ ସଂଯୋଗ କରୁଥିବା ଜାତୀୟ ରାଜପଥରେ ମଧ୍ୟ ରୋଡ୍‌ ରିଫ୍ଲେକ୍ଟର ନାହିଁ କି ଆଲୋକ ଅଭାବରୁ ଡିଭାଇଡର ଦୃଶ୍ୟମାନ ହେଉନାହିଁ। ଫନି ପରଠାରୁ ପୁରୀର ବିଭିନ୍ନ ଦୁର୍ଘଟଣାପ୍ରବଣ ଅଞ୍ଚଳଗୁଡ଼ିକ ଅନ୍ଧକାରାଚ୍ଛନ୍ନ ରହୁଥିବା ନେଇ ବାରମ୍ବାର ସତର୍କ କରାଯାଇଛି। କିନ୍ତୁ ଜାତୀୟ ରାଜପଥକୁ ଅଣଦେଖା କରିଚାଲିଛି ପ୍ରଶାସନ। ସାଂସଦ ପିନାକୀ ମିଶ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏକ ବୈଠକରେ ଜାତୀୟ ରାଜପଥରେ ଥିବା ୪୩ଟି ବ୍ଲାକ୍‌ସ୍ପଟ୍‌କୁ ନେଇ ପୁଣି ପ୍ରଶ୍ନ ଉଠିଥିଲା। ବ୍ଳାକ୍‌ସ୍ପଟ୍‌ ଚିହ୍ନଟ ହୋଇଥିଲେ ମଧ୍ୟ ଏନେଇ ପ୍ରତିକାର ଆଜି ଯାଏ ହୋଇପାରି ନାହିଁ। ପୁରୀ-କୋଣାର୍କ ମେରାଇନ୍‌ ଜାତୀୟ ରାଜପଥ ଅବସ୍ଥା ମଧ୍ୟ ସମାନ। ଅନ୍ଧକାର ସାଙ୍ଗକୁ ରାସ୍ତା ଦୁଇ ପାର୍ଶ୍ବରେ ଜଙ୍ଗଲ ରହିଥିବାରୁ ବାଇକ୍‌ରେ ଆସୁଥିବା ଲୋକେ ଭୟଭୀତ ହେବା ସ୍ବାଭାବିକ। ତେଣୁ ପ୍ରତିଦିନ ଏଠାରେ ଦୁର୍ଘଟଣା ଘଟୁଛି। ତେଣୁ ଅଲୋକ ବ୍ୟବସ୍ଥା ସଜାଡ଼ିବାକୁ ବାରମ୍ବାର ଦାବି ହୋଇଛି। ଏହି ରାସ୍ତା ଦେଇ ଯାତାୟାତ କରୁଥିବା ପର୍ଯ୍ୟଟକ, ଗ୍ରାମବାସୀ ଓ ସଚେତନ ନାଗରିକମାନେ ଏନେଇ ଜିଲ୍ଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଛନ୍ତି। ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କୁ ଏହାର ଜବାବ ମାଗିଛନ୍ତି। କିନ୍ତୁ ଏଯାଏ ଏଥିରେ ସୁଧାର ଆସିପାରୁନାହିଁ।

ସମ୍ବନ୍ଧିତ ଖବର