ଯାଜପୁର: ଯାଜପୁର ଜିଲ୍ଲା ଧର୍ମଶାଳା ତହସିଲ ଅଞ୍ଚଳରେ ଶହଶହ କୋଟି ଟଙ୍କାର କଳାପଥର କେଳେଙ୍କାରୀର ତଦନ୍ତ ବର୍ଷ ବର୍ଷ ଧରି ଅଟକି ରହିଛି। ଶାସକଦଳ ନେତାଙ୍କ ବାହୁଛାୟା ତଳେ ଏହି କାରବାର ଚାଲିଥିବାରୁ ଲୋକାୟୁକ୍ତଙ୍କ ନିର୍ଦ୍ଦେଶ ପରେ ମଧ୍ୟ ତଦନ୍ତ ଆଗେଇ ପାରୁନାହିଁ। ଖୋଦ୍ ଜିଲ୍ଲା ପ୍ରଶାସନ ତଦନ୍ତ କରି ଦର୍ଶାଇଥିଲେ ଯେ ଆରୁହା ପାହାଡ଼ କଳାପଥର କେଳେଙ୍କାରୀରେ ୧୦କୋଟିରୁ ଅଧିକ ଟଙ୍କାର କଳାପଥର ଚୋରା ଚାଲାଣ ହୋଇଛି।
ଅନ୍ୟପକ୍ଷରେ ଏହି କାରବାରରେ ୪ଜଣ ପୂର୍ବତନ ତହସିଲଦାର, ୪ଜଣ ଆରଆଇ ,ଭୂତତ୍ତ୍ବ ଅଧିକାରୀ ଓ ଲିଜ୍‌ଧାରୀଙ୍କ ନାମରେ ସୂଚନା ଅଧିକାର କର୍ମୀ ସର୍ବେଶ୍ବର ବେହୁରା ୨୦୨୦ରେ ଲୋକାୟୁକ୍ତରେ ଅଭିଯୋଗ କରିଥିଲେ। ଯେହେତୁ ମାମଲାରେ ଅନେକ ଉଚ୍ଚ ପଦାଧିକାରୀମାନଙ୍କ ସମ୍ପୃକ୍ତି ଥିବା ତଦନ୍ତ ଟିମ୍ ତଥ୍ୟ ପାଇଲେ, ଏଣୁ ଲୋକାୟୁକ୍ତ ଗତବର୍ଷ ଏପ୍ରିଲ୍ ମାସରେ କ୍ରାଇମ୍‌ ବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା(ଇଓଡ଼ବ୍ଲୁ)କୁ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ଲୋକାୟୁକ୍ତଙ୍କ ନିର୍ଦ୍ଦେଶର ୪ମାସ ପରେ ଅର୍ଥାତ୍‌ ୨୦୨୨ ସେପ୍ଟେମ୍ବରରେ ଇଓଡବ୍ଲୁ ଟିମ୍ ଆରୁହା ଗସ୍ତ କରି ତଦନ୍ତ ଆରମ୍ଭ କରିଥିଲେ। ଇତିମଧ୍ୟରେ ବର୍ଷେ ଛୁଇଁଥିଲେ ହେଁ ଇଓଡବ୍ଲୁ ତଦନ୍ତ ରିପୋର୍ଟ ଦେଇପାରି ନାହିଁ। କାହା ଚାପରେ ପଡ଼ି ତଦନ୍ତ ଫାଇଲ୍‌କୁ ଇଓଡବ୍ଲୁ ବର୍ଷେ ହେଲା ଜାକିମାଡ଼ି ବସିପଡ଼ିଛି ସେ ନେଇ ପ୍ରଶ୍ନ ଉଠୁଛି।

Advertisment

୪ ତହସିଲଦାରଙ୍କ ସମେତ ୧୦ଜଣଙ୍କ ବିରୋଧରେ ଅଛି ଦୁର୍ନୀତି ଅଭିଯୋଗ
ବର୍ଷକ ପୂର୍ବରୁ ଇଓଡବ୍ଲ୍ୟୁକୁ ତଦନ୍ତ ଦାୟିତ୍ବ ଦେଇଥିଲେ ଲୋକାୟୁକ୍ତ

ତଥ୍ୟ ମୁତାବକ, ଧର୍ମଶାଳା ତହସିଲ ଅନ୍ତର୍ଗତ ଆରୁହା ପାହାଡ଼ର ୩ ଏକର ଅଞ୍ଚଳ ପରିମିତ ଖାଦାନକୁ ତ୍ରିନାଥ ଜେନା ଲିଜ୍‌ରେ ନେଇଥିଲେ। ଅଥଚ ପାହାଡ଼ର ୧୫୦ ଏକର ଅଞ୍ଚଳରୁ ବେଆଇନ ଭାବେ କୋଟି କୋଟି ଟଙ୍କାର କଳାପଥର ନିୟମିତ ଚୋରାଚାଲାଣ ଚାଲିଥିଲା। ସୂଚନା ଅଧିକାର କର୍ମୀ ଶ୍ରୀ ବେହୁରା ବାରମ୍ବାର ପ୍ରଶାସନକୁ ଜଣାଇବା ପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲା ନାହିଁ। ଫଳରେ ସେ ଲୋକାୟୁକ୍ତଙ୍କ ଦ୍ବାରସ୍ଥ ହୋଇଥିଲେ। ଲୋକାୟୁକ୍ତ ନିଜସ୍ବ ତଦନ୍ତକାରୀ ଦଳକୁ ପଠାଇ ତଦନ୍ତ ଆରମ୍ଭ କରିବା ସହିତ ଅଧିକାରୀମାନଙ୍କୁ ପଚରାଉଚରା କରିଥିଲେ। ଫଳରେ ଜିଲ୍ଲା ପ୍ରଶାସନ ଛାନିଆ ହୋଇ ତତ୍କାଳୀନ ଅତିରିକ୍ତ ଜିଲ୍ଲାପାଳ ଅକ୍ଷୟ କୁମାର ମଲ୍ଲିକଙ୍କ ନେତୃତ୍ବରେ ପ୍ରଶାସନର ଏକ ଟିମ୍‌ ଆରୁହା ପାହାଡ଼ ଗସ୍ତ କରି ଲିଜ୍‌ଧାରୀଙ୍କ ଉପରେ ୧୦କୋଟି ଟଙ୍କା ଜରିମାନା କରିଥିଲେ। ଲୋକାୟୁକ୍ତଙ୍କ ତଦନ୍ତକାରୀ ଦଳ ଦୁର୍ନୀତିର ଗନ୍ଧ ବାରି ପାରିଥିବାରୁ ଏହି କେଳେଙ୍କାରୀରେ କେଉଁମାନେ ସମ୍ପୃକ୍ତ ଓ ସେମାନଙ୍କର ଭୂମିକା ସମ୍ପର୍କରେ ସବିଶେଷ ରିପୋର୍ଟ କରିବାକୁ କ୍ରାଇମ୍ ବ୍ରାଞ୍ଚର ଇଓଡବ୍ଲୁକୁ କହିଥିଲେ।। ଇଓଡବ୍ଲୁ ଲୋକାୟୁକ୍ତଙ୍କ ନିର୍ଦ୍ଦେଶର ୪ ମାସ ପରେ ଆରୁହା ଗସ୍ତ କରି ତଦନ୍ତ ଆରମ୍ଭ କରିଥ‌ିଲେ, ହେଲେ ତଦନ୍ତ ଆଗଉନାହିଁ। ଗତ ଅଗଷ୍ଟ ୨୨ତାରିଖରେ ତଦନ୍ତ ରିପୋର୍ଟ ଲୋକାୟୁକ୍ତରେ ଦାଖଲ କରିବାକୁ ଦିନ ଧାର୍ଯ୍ୟ ହୋଇଥିବା ବେଳେ ଅକ୍ଟୋବର ୨୩ତାରିଖରେ ରିପୋର୍ଟ ଦାଖଲ କରିବେ ବୋଲି ଇଓଡବ୍ଲୁ ସମୟ ନେଇଛି। ଧର୍ମଶାଳା ତହସିଲ ଅଞ୍ଚଳରେ କଳାପଥର କେଳେଙ୍କାରୀରେ ଶହ ଶହ କୋଟି ଟଙ୍କାର କଳା କାରବାର ପଦାରେ ପଡ଼ିଥିଲେ ମଧ୍ୟ ଏ ନେଇ ତଦନ୍ତ କରିବାକୁ ସରକାର କୁନ୍ଥକୁନ୍ଥ କାହିଁକି ? କାହା ଚାପରେ ପଡ଼ି ଇଓଡବ୍ଲୁ ତଦନ୍ତ ଅଟକି ଯାଇଛି?