ଯାଜପୁରରେ କଳାପଥର ଦୁର୍ନୀତି: ଲୋକ ବଦଳିଲେ ନିୟମ ବଦଳୁଛି

ଯାଜପୁର : ଯାଜପୁର ଜିଲ୍ଲା ଧର୍ମଶାଳା ତହସିଲ ଅଞ୍ଚଳରେ କଳାପଥର କେଳେଙ୍କାରୀର ଗୁମର ଖୋଲିବାରେ ଲାଗିଛି। ଏଠି ଲୋକ ବଦଳିଲେ ନିୟମ ବଦଳିଯାଉଛି। ଜଣେ ଶାସକ ଦଳର ଯୁବନେତା ଖାଦାନ ଲିଜ୍‌ ନେବାବେଳେ କିଭଳି ଚୁକ୍ତି ପରିମାଣ ବଦଳିଯାଉଛି, ତାହା ଏବେ ପଦାରେ ପଡ଼ିଛି। ତେବେ, ଏହା ସମ୍ଭବ ହେଉଛି କିପରି? ଗୋଟିଏପଟେ ଏହିଭଳି ପ୍ରଶ୍ନବାଚୀ ସୃଷ୍ଟି ହୋଇଥିବାବେଳେ ଅନ୍ୟପଟେ ଏହି କାରଣରୁ ତହସିଲ, ମାଇନିଂ ଓ ପରିବେଶ ମଞ୍ଜୁରି ପ୍ରଦାନ କରିଥିବା ସିଆ କର୍ତ୍ତୃପକ୍ଷଙ୍କ କାର୍ଯ୍ୟକଳାପ ସନ୍ଦେହ ଘେରକୁ ଆସିଛି।

ସୂଚନା ଅନୁସାରେ, ଆରୁହା ପାହାଡ଼ର ଏକ ସୈରାତକୁ ବିଜେଡି ଛାତ୍ରନେତା ମ‌ନୋଜ ସାମଲ ୩ ମାସ ହେଲା ଲିଜ୍‌ରେ ନେଇ କଳାପଥର ଚାଲାଣ ଆରମ୍ଭ କରିଛନ୍ତି। ବାର୍ଷିକ ୧୪ହଜାର ଘନମିଟର ଖନନ ପାଇଁ ତହସିଲ ସହିତ ସେ ଚୁକ୍ତି କରି ସିକ୍ୟୁରିଟି ଜମା ଦେଇଛନ୍ତି। ମାତ୍ର, ଏହି ଖାଦାନ ପାଇଁ ୨୦୨୧ରେ ମସିହାରେ ବାର୍ଷିକ ୫ଲକ୍ଷରୁ ଅଧିକ ଘନମିଟର କଳାପଥର ଖନନ ପାଇଁ ତହସିଲ ଟେଣ୍ଡର କରିଥିଲେ। କେହି ଭାଗ ନହେବାରୁ କିଛିଦିନ ପରେ ଏହାର ପରିମାଣ ହ୍ରାସ କରି ୪୨ହଜାର ଘନମିଟର ପାଇଁ ପୁଣି ଟେଣ୍ଡର ଆହ୍ବାନ କରିଥିଲେ। ଏହି ଟେଣ୍ଡରରେ ଶ୍ରୀ ସାମଲ ଭାଗ ନେଇ ଲିଜ୍ ହାତେଇଛନ୍ତି। ୪୨ହଜାର ଘନମିଟର ପାଇଁ ଟେଣ୍ଡର ନେଇ ମାତ୍ର ୧୪ହଜାର ଘନମିଟର ପାଇଁ ତହସିଲରେ ଚୁକ୍ତିନାମା କରିଛନ୍ତି। ଏପରିକି ଏହି ୧୪ହଜାର ଘନମିଟର କଳାପଥର ଖନନ ପାଇଁ ସିଆ ଅନୁମତି ଦେଇଛି।

କୁହାଯାଉଛି ‌ଯେ ଯଦି ୪୨ହଜାର ଘନମିଟର ପାଇଁ ଚୁକ୍ତି ହୋଇଥା’ନ୍ତା, ସିକ୍ୟୁରିଟି ବାବଦକୁ ସରକାର ପ୍ରାୟ ୨କୋଟି ଟଙ୍କା ରାଜସ୍ବ ପାଇଥା’ନ୍ତେ। ମାତ୍ର ଏହାକୁ ୧୪ହଜାର ଘନମିଟରକୁ ହ୍ରାସ କରାଯାଇଥିବାରୁ ପ୍ରାୟ ୬୦ଲକ୍ଷ ଟଙ୍କାରେ ଚୁକ୍ତିନାମା‌ ହେବା ସହିତ ସରକାର ବ୍ୟାପକ ରାଜସ୍ବ ହରାଇଛନ୍ତି। ଏହି ଖାଦାନରୁ ଲକ୍ଷାଧିକ ଘନମିଟର କଳାପଥର ଓ ଅତିରିକ୍ତ ମାଟି ବେଆଇନ ଭାବେ ଚାଲାଣ ହୋଇଥିବା ଅଭିଯୋଗ ହୋଇଛି। ଏ ସମ୍ପର୍କରେ ଲିଜ୍‌ଧାରୀ ଶ୍ରୀ ସାମଲଙ୍କୁ ଯୋଗାଯୋଗ କରାଯିବାରୁ ଏହି ତ୍ରୁଟି ସଂଶୋଧନ ହୋଇଛି, ସେ ଅଧିକ ଖନନ କରିନାହାନ୍ତି ବୋଲି ସଫେଇ ଦେଇଛନ୍ତି। ତେବେ ତହସିଲ କାର୍ଯ୍ୟାଳୟରେ ଏହି ସଂଶୋଧନ ସଂପର୍କରେ କୌଣସି ସୂଚନା ନଥିବା ଜଣାପଡିଛି। ଏଭଳି କାରବାର ସଂପର୍କରେ ଉଚ୍ଚସ୍ତରୀୟ ତଦନ୍ତ ଦାବି କରାଯାଉଛି।

ସମ୍ବନ୍ଧିତ ଖବର