ଯାଜପୁର: ବେଆଇନ୍ ଖନନ ଓ ଚୋରା କଳାପଥର କାରବାର ପାଇଁ ଶହଶହ କୋଟି ଟଙ୍କା ଜରିମାନା ଫାଙ୍କି ଚାଲିଥିବା ଲିଜ୍ଧାରୀ ଏବେ ବି ଖାଦାନ ଖୋଳୁଛନ୍ତି। ଜଙ୍ଗଲ ଜମିରେ ବି ଖାଦାନ ଚାଲିଛି। ଓପିଡିଆର୍ ଆଇନରେ ମାମଲା ରୁଜୁ ହେବା ସତ୍ତ୍ବେ କାର୍ଯ୍ୟାନୁଷ୍ଠାନ ହେଉନି। ବେଆଇନ୍ ଲିଜ୍ଧାରୀମାନେ ପୂର୍ବଭଳି ଖାଦାନ କାରବାର ଜାରି ରଖିଛନ୍ତି। କାର୍ଯ୍ୟାନୁଷ୍ଠାନ ବିଳମ୍ବ ହେଉଥିବାରୁ ସରକାର ଓ ପ୍ରଶାସନ ସମାଲୋଚିତ ହେଉଛି ବୋଲି ଦର୍ଶାଇ ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ ଆଜି ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ତୁରନ୍ତ ଏ ଦିଗରେ ପଦକ୍ଷେପ ନେବାକୁ ଅନୁରୋଧ କରିଛନ୍ତି।
ଏହି ପ୍ରସଙ୍ଗରେ ବିଧାୟକ ଶ୍ରୀ ସାହୁ ମୁଖ୍ୟମନ୍ତ୍ରୀଙ୍କୁ ୪ପୃଷ୍ଠାର ଚିଠି ଲେଖିବା ସହିତ ବିଧାନସଭାର ପ୍ରଶ୍ନ-ଉତ୍ତର, ବିଭାଗୀୟ ମନ୍ତ୍ରୀ, ଖଣି ବିଭାଗ ନିର୍ଦ୍ଦେଶକ ଓ ପରିବେଶ ବିଭାଗ ଅଧିକାରୀମାନଙ୍କୁ ଦେଇଥିବା ଚିଠିର ନକଲ ପ୍ରଦାନ କରିଛନ୍ତି। ଏଥିରେ ସେ ଦର୍ଶାଇଛନ୍ତି ଯେ ବେଆଇନ୍ କଳାପଥର କାରବାରରେ ସମ୍ପୃକ୍ତ ବ୍ୟକ୍ତିବିଶେଷଙ୍କ ବିରୋଧରେ ଗତ ଜୁନ୍ ମାସରୁ ପରିବେଶ ବିଭାଗଠାରୁ ଆରମ୍ଭ କରି ଖଣି ବିଭାଗକୁ ସେ ଲଗାତାର ଚିଠି ଲେଖି ଅବଗତ କରିଛନ୍ତି। ଫଳରେ ୧୮ଜଣ ଲିଜ୍ଧାରୀଙ୍କ ଉପରେ ଓପିଡିଆର୍ ଆଇନରେ ମାମଲା ରୁଜୁ ହୋଇଛି। କିନ୍ତୁ ଏହା ଜିଲ୍ଲାପାଳଙ୍କ କୋର୍ଟରେ ପଡ଼ିରହିଛି, କାର୍ଯ୍ୟାନୁଷ୍ଠାନ ହେଉନାହିଁ।
ସୂଚନାଯୋଗ୍ୟ, ଦୀର୍ଘ ବର୍ଷ ହେଲା ଜଙ୍ଗଲ ଜମିରୁ ହଜାର ହଜାର ଟନ୍ କଳାପଥର ବେଆଇନ୍ ଚାଲାଣ ହୋଇଛି। ଯାହାକି ଜଙ୍ଗଲ ବିଭାଗ ଜାଣି ପାରିଲାନାହିଁ। ପୂର୍ବରୁ ୧୭ଟି ଖାଦାନ ଜଙ୍ଗଲ ଜମିରେ ଚାଲୁଥିବାର ଜଣାପଡ଼ିଥିଲା। ଏ ସଂକ୍ରାନ୍ତରେ ଡିଡିଏମ୍ ଜୟପ୍ରକାଶ ନାୟକ କଟକ ଡିଏଫ୍ଓଙ୍କୁ ବିସ୍ତୃତ ତଥ୍ୟ ସହ ଅବଗତ କରିଥିଲେ। ଏବେ ପୁଣି ବିଛାଖଣ୍ଡି ମୌଜାର ୬ଟି ଖାଦାନ ଜଙ୍ଗଲଜମି (ପିଆର୍ଏଫ)ରେ ଚାଲିଥିବା ତଦନ୍ତରୁ ଜଣାପଡ଼ିଛି। ଖାଦାନଗୁଡ଼ିକର ସୀମା ଚିହ୍ନଟ କରାଯାଇନାହିଁ। ସୈରାତର ସୀମା ବାହାରୁ କୋଟିକୋଟି ଟଙ୍କାର କଳାପଥର ନିୟମିତ ଚୋରାଚାଲାଣ ହେଉଛି। ଫଳରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ହେବା ସହିତ ପରିବେଶ ଧ୍ବଂସମୁଖରେ ପଡ଼ିଛି। ଏହି ସମ୍ବେଦନଶୀଳ ପ୍ରସଙ୍ଗ ଉପରେ ତୁରନ୍ତ ପଦକ୍ଷେପ ନେବାକୁ ବିଧାୟକ ଶ୍ରୀ ସାହୁ ମୁଖ୍ୟମନ୍ତ୍ରୀଙ୍କର ହସ୍ତକ୍ଷେପ ଲୋଡ଼ିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/06/black-stone.jpg)