ବିବାହ ଉତ୍ସବରେ ଫାଙ୍କା ଗୁଳିଚାଳନା, ଗୁଳିଭର୍ତ୍ତି ବନ୍ଧୁକ ସହ ଦୁଇ ଗିରଫ

ବଅଁରପାଳ : ଢେଙ୍କାନାଳ ବିଧାୟକ ସୁଧୀର ସାମଲଙ୍କ ସଂପର୍କୀୟଙ୍କ ବିବାହ ଉତ୍ସବରେ ଫୁଟିଛି ଗୁଳି। ଗତ ରାତିରେ ବଅଁରପାଳ ଥାନା ସନ୍ତ୍ରୀ ଛକ ନିକଟରେ ଏହି ବିବାହ ଉତ୍ସବ ଚାଲିଥିଲାବେଳେ ଗାଡ଼ି ପାର୍କିଂକୁ ନେଇ ଦୁଇଜଣ ଯୁବକ ଫାଙ୍କା ଗୁଳିଚାଳନା କରିଥିଲେ। ଏହି ଘଟଣାରେ ପୁଲିସ ଦୁଇ ଅଭିଯୁକ୍ତ କୈଳାସ ସିଂହ (୪୫) ଓ ଅରୁଣ କୁମାର(୪୪) ଙ୍କୁ ଗିରଫ କରିଛି। ଉଭୟେ ଅଣଓଡ଼ିଆ ହୋଇଥିଲାବେଳେ ସେମାନଙ୍କ ପାଖରୁ ବନ୍ଧୁକ ଓ ଗାଡ଼ି ଜବତ କରାଯାଇଛି।

ସାମଲ ଗ୍ରୁପର ପରିଚାଳନା ନିର୍ଦେଶକ ଗଙ୍ଗାଧର ସାମଲଙ୍କ ଝିଅ ସେଲିନା ସାମଲଙ୍କର ବିବାହ ଉତ୍ସବ ବଅଁରପାଳର ସନ୍ତ୍ରୀଛକସ୍ଥିତ ତାଙ୍କ ବାସଭବନରେ ଅନୁଷ୍ଠିତ ହୋଇଥିଲା। ବରଯାତ୍ରୀଙ୍କ ବାଟ ବରଣୀ ଚାଲିଥିଲାବେଳେ ରାତି ପ୍ରାୟ ୧୧ଟା ୫୦ ମିନିଟରେ ଗାଡ଼ି ପାର୍କିଂ ସ୍ଥଳରେ କୈଳାସ ସିଂହ (୪୫) ଓ ଅରୁଣ କୁମାର(୪୪) ନାମକ ଦୁଇ ଯୁବକ ପହଞ୍ଚିଥିଲେ। ସେମାନେ ଅତିଥିମାନଙ୍କ ପାଇଁ ଉଦ୍ଦିଷ୍ଟ ଗାଡ଼ି ପାର୍କିଂସ୍ଥଳରେ ଆତଙ୍କ ସୃଷ୍ଟି କରିବା ସହିତ ନିଜ ସରକାରୀ ଲାଇସେନ୍ସପ୍ରାପ୍ତ ବନ୍ଧୁକରୁ ଅତର୍କିତ ଭାବେ ତିନି ରାଉଣ୍ଡ ଫାଙ୍କା ଗୁଳି ଚାଳନା କରିଥିଲେ। ପରେ ସୁରକ୍ଷା କର୍ମୀ ଓ ଲୋକମାନଙ୍କୁ ଭୟଭୀତ କରାଇ ଘଟଣାସ୍ଥଳରୁ ଖସି ପଳାଇଥିଲେ। ଗଙ୍ଗାଧର ସାମଲଙ୍କ ଭାଇ ତଥା ଢେଙ୍କାନାଳ ବିଧାୟକ ସୁଧୀର କୁମାର ସାମଲ ଏଥିନେଇ ଅନୁଗୁଳ ଓ ଢେଙ୍କାନାଳ ଏସ୍‌ପିଙ୍କୁ ଘଟଣା ସଂପର୍କରେ ଜଣାଇଥିଲେ। ବଅଁରପାଳ ଥାନା ଏସଆଇ ଦିଲୀପ ସାହୁ ଓ ଅନ୍ୟ ଅଧିକାରୀମାନେ ତୁରନ୍ତ ଘଟଣାସ୍ଥଳ‌ରେ ପହଞ୍ଚି ସେଠାରୁ ତିନିଟି ଖୋକା ଜବତ କରିବା ସହ ଘଟଣାର ତଦନ୍ତ କରିଥିଲେ। ଗୁଳିକାଣ୍ଡ ଘଟାଇ ଦୁଇ ଯୁବକ ଢେଙ୍କାନାଳ ଆଡ଼କୁ ପଳାଇ ଯାଇଥିଲାବେଳେ ପୁଲିସ ସେମାନଙ୍କୁ ପିଛା କରିଥିଲା। ବିଶେଷ ସୂତ୍ରରୁ ଖବର ପାଇ ପୁଲିସ ଢେଙ୍କାନାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ତମଣ୍ଡ ଅଞ୍ଚଳରେ ଥିବା ଏକ ଫାର୍ମ ହାଉସ୍‌ରେ ଚଢଉ କରିଥିଲା। ସେଠାରୁ ଉଭୟ ଯୁବକଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ପାଞ୍ଚ ରାଉଣ୍ଡ ଗୁଳିଭର୍ତ୍ତି ଗୋଟିଏ ପିସ୍ତଲ, ଗୋଟିଏ ଖାଲି ମାଗାଜିନ, ଚାରିଟି ଗୁଳି ରଖିବା ଖୋଳା, ବ୍ୟବହୃତ ଦାମୀ କାର୍‌ ଟୟୋଟା ଫର୍ଚୁନର୍‌ (ଓଡି-୦୨-ଏକ୍ୟୁ- ୦୦୦୧), ୭.୫ ଲିଟର ଦାମୀ ବିଦେଶୀ ମଦ ବୋତଲ, ତିନିଟି ଦାମୀ ମୋବାଇଲ ଫୋନ ପୁଲିସ ଜବତ କରିଛି।

ସମ୍ବନ୍ଧିତ ଖବର