ଜୟପୁର: ଗତ ୨୪ତାରିଖ ରାତି ସାଢ଼େ ୧୧ଟା ବେଳେ  ଜୟପୁର ସଦରଥାନା ଅର୍ନ୍ତଗତ ଉମୁରୀରେ ପୁଟିଥିଲା ଗୁଳି। ଏହି ମାମଲାରେ ଶନିବାର ଅନ୍ୟ ଅଭିଯୁକ୍ତ ସୋନୁ ପାଇକରାୟ ଏସଡିଜେଏମ୍ କୋର୍ଟରେ ଆତ୍ମସର୍ମପଣ କରିଛନ୍ତି। ତାଙ୍କ ପୂର୍ବରୁ ଗତ ୩୧ତାରିଖ ଦିନ ୨ ଅଭିଯୁକ୍ତ ଗୌତମ ବାଘ ଓ ମହେନ୍ଦ୍ର ଖୋସ୍ଲା ମଧ୍ୟ କୋର୍ଟରେ ଆତ୍ମ ସର୍ମପଣ କରିଥିଲେ। ଜୟପୁର ସଦରଥାନା ପୁଲିସ ୫ଦିନିଆ ରିମାଣ୍ଡ ପାଇଁ ଆବେଦନ କରିଥିଲେ ହେଁ ଦିନକ ପାଇଁ ଅନୁମତି ଦେଇଥିଲା କୋର୍ଟ। ଅଭିଯୁକ୍ତ ସୋନୁ କୋର୍ଟରେ ଆତ୍ମସର୍ମପଣ କରିବା ପରେ ସୋନୁଙ୍କ ସହ ଆଉ ୨ ଆତ୍ମସର୍ମପଣକାରୀ ଅଭିଯୁକ୍ତ ଗୌତମ, ମହେନ୍ଦ୍ର ତିନି ଜଣଙ୍କୁ ପୁଣି ସଦରଥାନା ପୁଲିସ ରିମାଣ୍ଡରେ ଆଣିବାକୁ କୋର୍ଟରେ ଆବେଦନ କରିବେ ବୋଲି କହିଛନ୍ତି ସଦରଥାନା ଅଧିକାରୀ ଇଶ୍ବର ତାଣ୍ଡି।

Advertisment

ଦୁଇ ଗ୍ୟାଙ୍ଗଷ୍ଟାର ଗୃପ ମଧ୍ୟରେ ଥିବା ପୂର୍ବବିବାଦ ଓ  ପତିଆରା ଲ‌ଢ଼େଇକୁ ନେଇ ହୋଇଥିଲା ପାଙ୍କା ଗୁଳି ଚାଳନା । ଗତ ୨୪ତାରିଖ ଦିନ ରାତି ସାଢ଼େ ୧୧ଟା ବେଳେ ଉମୁରୀରେ ରହୁଥିବା ଗୋଟିଏ ଗ୍ୟାଙ୍ଗର ମୁଖ୍ୟ ଅଭିଯୁକ୍ତ ରଂଜିତ ବାଘ, ଗୌତମ ବାଘ, କାର୍ତ୍ତିକ ବାଘ ଓରଫ ପାମ୍ପୁଡୁଙ୍କ ସହ ସଦସ୍ୟ ମାନେ ଅନ୍ୟ ଗ୍ୟାଙ୍ଗର ସଂଜୟ ସୁନା ଓ ସୁରେନ୍ଦ୍ର ନାୟକ ଓରଫ ସିଂହଲ ଆଦି ବିରୋଧୀ ଗ୍ୟାଙ୍ଗ ଉପରେ ରହିଥିବା  ପୂର୍ବ ଶତ୍ରୁତାର ପ୍ରତିଶୋଧ ନେବା ପାଇଁ ଉମୁରୀ ବସଷ୍ଟାଣ୍ଡ ନିକଟରେ ପହଚିଂଥିଲେ। ଏବଂ ସେଠାରେ ଏହି ଗ୍ୟାଙ୍ଗ ପାଙ୍କା ଗୁଳି ଚାଳନା କରିଥିଲେ। ଏହା ପରେ ଅଭିଯୋଗକାରୀ ସୁରେନ୍ଦ୍ରଙ୍କ ଘରେ ପଶି ଅନ୍ୟ ଗ୍ୟାଙ୍ଗର ମୁଖିଆ ସୁରେନ୍ଦ୍ରଙ୍କୁ ଖୋଜିଥିଲେ। ବନ୍ଧୁକ ଓମାରଣାସ୍ତ୍ର ଦେଖାଇ ଭୟଭୀତ କରିଥି‌ବା ପୁଲିସ ନିକଟରେ ଅଭିଯୋଗ ହୋଇଥିଲା।

ସୂଚନା ପାଇ ଜୟପୁର ସଦରଥାନା ଅଧିକାରୀ ସଦଳବଳ ଘଟଣାସ୍ଥଳକୁ ଯାଇଥିଲେ। ତେବେ ଅଭିଯୁକ୍ତ  ଗ୍ୟାଙ୍ଗର ସଦସ୍ୟ ମାନେ ଗାଡ଼ି ଗୁଡିକରେ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ। ଘଟଣାସ୍ଥଳରୁ ପୁଲିସକୁ ଦୁଇଟି  ପୁଟି ଯାଇଥିବା ଖୋକା ମିଳିଥିଲା। ସଦରଥାନା ପୁଲିସ ମିଶନ ଉମୁରୀ ଅଭିଯାନ ଜାରର ରଖିବା ସହ ୨୬ତାରିଖ ଦିନ ଅଭିଯୁକ୍ତ ସଂଜୀବ, ୨୯ତାରିଖ ଦିନ ବାଦଲଙ୍କୁ ଗିରଫ କରି କୋର୍ଟକୁ ଚାଳାଣ କରିଥିଲେ। ଅନ୍ୟ ତିନି ଅଭିଯୁକ୍ତ ଗୌତମ , ମହେନ୍ଦ୍ର ଓ ସୋନୁ କୋର୍ଟରେ ଆତ୍ମସର୍ମପଣ କରିବା ପରେ ଏହି ମାମଲାରେ ୫ଜଣ ବିଚାରବିଭାଗୀୟ ହାଜତରେ ରହିଛନ୍ତି। ରିମାଣ୍ଡରେ ଅଣାଯାଇଥିବା ୨ଅଭିଯୁକ୍ତଙ୍କୁ ସଦରଥାନା ପୁଲିସ ପଚାରାଉଚାରା କରି ପୁଣି ବିଚାରବିଭାଗୀୟ ହାଜତରେ ଛାଡ଼ି ଦେଇଥିଲେ। ସୋନୁ ଆତ୍ମସର୍ମପଣ ପରେ ପୁଣି ଏହି ତିନି ଜଣ ଅଭିଯୁକ୍ତ ଗୌତମ , ମହେନ୍ଦ୍ର ଓ ସୋନୁଙ୍କୁ ଆଣି ପଚାରାଉଚାରା କଲେ ପୁଲିସକୁ କିଛି ସଫଳତା ମିଳି ପାରିବ ବୋଲି କହିଛନ୍ତି ସଦରଥାନାଅଧିକାରୀ।