ଆନ୍ଧ୍ର ବିସ୍ଫୋରଣ ଘଟଣା : ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁସଂଖ୍ୟା ୬କୁ ବୃଦ୍ଧି

ବ୍ରହ୍ମପୁର : ଆନ୍ଧ୍ରପ୍ରଦେଶ ବିସ୍ଫୋରଣରେ ଗୁରୁତର ଆହତ ଆଉ ଜଣେ ଓଡ଼ିଆ ଶ୍ରମିକଙ୍କର ମୃତ୍ୟୁ ହୋଇଛି। ଘଟଣାଦିନ ୩ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ପରେ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ୨ ଜଣଙ୍କର ପ୍ରାଣହାନୀ ଘଟିଥିଲା। ଆଜି ରାମଚନ୍ଦ୍ର ନାହକ (୫୦)ଙ୍କ ମୃତ୍ୟୁ ପରେ ଏହି ସଂଖ୍ୟା ୬କୁ ବୃଦ୍ଧି ପାଇଛି।

ଗତ ୩ ତାରିଖରେ ଆନ୍ଧ୍ରପ୍ରଦେଶ କର୍ନୁଲ୍‌ ଜିଲ୍ଲା ଆଲୁର ମଣ୍ଡଳରେ ଏକ ଗ୍ରାନାଇଟ୍‌ କ୍ୱାରିରେ ବିସ୍ଫୋରଣ ଘଟିଥିଲା। ଏହି କ୍ୱାରିରେ ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ରାମଚନ୍ଦ୍ରପୁର, ଡିଅାଁଡେଇଁ ଓ ବିଟି ନୂଆଗାଁର ବହୁ ଶ୍ରମିକ କାମ କରୁଥିଲେ। ଘଟଣାଦିନ ହିଁ ଭୀମ ନାହକ, ଦୁର୍ଯ୍ୟୋଧନ ନାହକ ଓ ମନୋରଞ୍ଜନ ନାହାକଙ୍କ ମୃତ୍ୟୁ ଘଟିଥିଲା। ଏଥିରେ ଆଉ ତିନିଜଣ ରାଜେନ୍ଦ୍ର ନାହକ(୪୦), ପାଣ୍ଡବ ଲେଙ୍କା (୪୦) ଓ ରାମଚନ୍ଦ୍ର ଗୁରୁତର ଆହତ ହୋଇଥିଲେ। ମାତ୍ର ୨ଦିନ ବ୍ୟବଧାନରେ ସମସ୍ତ ରାଜେନ୍ଦ୍ର ଓ ପାଣ୍ଡବଙ୍କ ମୃତ୍ୟୁ ଘଟଥିଲା। ଗତକାଲି ପାଣ୍ଡବଙ୍କ ଅନ୍ତିମ ସଂସ୍କାର ଶେଷ ନହେଉଣୁ ରାମଚନ୍ଦ୍ରଙ୍କ ମୃତ୍ୟୁ ଖବର ଆସି ପହଞ୍ଚିଥିଲା। ଏହାକୁ ମିଶାଇ ମୃତକଙ୍କ ସଂଖ୍ୟା ୬ରେ ପହଞ୍ଚିଛି।

ଆଜି ମଧ୍ୟାହ୍ନରେ ରାମଚନ୍ଦ୍ରଙ୍କ ମରଶରୀର ସ୍ୱତନ୍ତ୍ର ଆମ୍ବୁଲାନ୍‌ସ ଯୋଗେ ବିଟି ନୂଆଗାଁରେ ପହଞ୍ଚିଥିଲା। ସଂଧ୍ୟାରେ ଗାଁ ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି। ଏହି ଘଟଣା ପରେ ସମ୍ପୃକ୍ତ ୩ ଗାଁରେ ଶୋକର ଛାୟା ଖେଳି ଯାଇଛି।

ସମ୍ବନ୍ଧିତ ଖବର