ପଥର ଖାଦାନରେ ବିସ୍ଫୋରଣ : ୩ ଶ୍ରମିକ ମୃତ; ୫ ଗୁରୁତର

ଆହତଙ୍କ ମଧ୍ୟରେ ୨ନାବାଳକ, ପଥର ସଂଗ୍ରହ ବେଳେ ଘଟିଲା ଅଘଟଣ

ଗୁଣପୁର/ରାୟଗଡ଼ା : ଗୁଣପୁର ବ୍ଲକ୍ ଓକିଲଗୁଡ଼ା ପଥର ଖାଦାନରେ ଭୟଙ୍କର ବିସ୍ଫୋରଣ ଯୋଗୁ ୩ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ୬ ଶ୍ରମିକଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଚିକିତ୍ସା ପାଇଁ ଗୁଣପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଆଜି ଅପରାହ୍ନରେ ଶ୍ରମିକମାନେ ଖାଦାନରୁ ପଥର ଗୋଟାଉଥିବା ବେଳେ ଘଟିଛି ଏହି ଅଭାବନୀୟ ଘଟଣା। ମୃତ ଶ୍ରମିକମାନେ ହେଲେ ନୁଙ୍ଗୁରତାଲର କୁଶାବତୀ ଶବର(୪୦), ଜାମେଶ ଶବର(୪୨) ଓ ମେରିଙ୍ଗି ଗ୍ରାମର ଡୁଡ଼ି ଶବର(୫୦)।

ଅପରାହ୍ନ ୩ଟା ବେଳେ ୧୫ରୁ ଊର୍ଦ୍ଧ୍ବ ଶ୍ରମିକ ଓକିଲଗୁଡ଼ା ଖାଦାନ ପରିସରରେ କାମ କରୁଥିଲେ। ଏକ ଟ୍ରାକ୍ଟର ପଥର ଲୋଡିଂ ପାଇଁ ଆସିବା ପରେ ଶ୍ରମିକମାନେ ପଥର ଗୋଟାଇ ଟ୍ରାକ୍ଟରରେ ‌ଲୋଡ୍ କରୁଥିଲେ। ଏହି ସମୟରେ ବିସ୍ଫୋରଣ ହେବା ସହ ପଥର ଛିଟିକି କାମ କରୁଥିବା ଶ୍ରମିକଙ୍କ ଦେହରେ ବାଜିଥିଲା। ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ଅଧ କିମି ପର୍ଯ୍ୟନ୍ତ ଏହାର ଶବ୍ଦ ଶୁଭିଥିଲା। ପଥର ଆଘାତରେ ଶରୀରର ବିଭିନ୍ନ ସ୍ଥାନରେ ଗଭୀର କ୍ଷତ ହେବା ଫଳରେ ଘଟଣାସ୍ଥଳରେ ହିଁ କୁଶାବତୀ, ଜାମେଶ ଓ ଡୁଡ଼ି ଏହି ୩ ଶ୍ରମିକଙ୍କର ମୃତ୍ୟୁ ହୋଇଥିଲା। ଏଥି ସହିତ ନୁଙ୍ଗୁରତାଲର ବୁଡ଼ା ଶବର (୫୦), ସମିୟାନ୍ ଶବର (୧୨), ସାମ୍ପିନି ଗ୍ରାମର ବଳିଆ ଶବର (୧୦), ସୁକୁ ଶବର (୫୦), ଜଲତାର ଗ୍ରାମର ପାନ୍ତୁଲୁ ଶବର (୪୫) ଗୁରୁତର ଆହତ ହୋଇଛନ୍ତି। ଆହତ ଶ୍ରମିକଙ୍କ ଚିତ୍କାର ଶୁଣି ଖାଦାନରେ ଥିବା ଅନ୍ୟ କର୍ମଚାରୀ ଓ ନିକଟସ୍ଥ ଗ୍ରାମବାସୀ ଦୌଡ଼ି ଆସି ଆହତଙ୍କୁ ଉଦ୍ଧାର କରିଥିଲେ। ଖବର ପାଇ ଗୁଣପୁର ଅଗ୍ନିଶମ ବିଭାଗ କର୍ତ୍ତୃପକ୍ଷ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଥିଲେ। ପ୍ରବଳ ବର୍ଷା କାରଣରୁ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା। ୧୦୮ ଆମ୍ବୁଲାନସ୍ ଯୋଗେ ଗୁରୁତର ଶ୍ରମିକଙ୍କୁ ଚିକିତ୍ସା ପାଇଁ ଗୁଣପୁର ମେଡିକାଲକୁ ପଠାଯିବା ପରେ ସ୍ବତନ୍ତ୍ର ଗାଡ଼ିରେ ୩ ମୃତକଙ୍କ ଶବ ଆଣି ଉପଖଣ୍ଡ ଚିକିତ୍ସାଳୟରେ ରଖାଯାଇଛି।

ଗୁଣପୁର ଉପଜିଲ୍ଲାପାଳ ସୋନାଲ୍ ଜେନା, ଉପଖଣ୍ଡ ପୁଲିସ୍ ଅଧିକାରୀ ରାଜ କିଶୋର ଦାଶ, ଗୁଣପୁର ଥାନା ଅଧିକାରୀ ରଶ୍ମି ରଞ୍ଜନ ପ୍ରଧାନ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି। ଅତିରିକ୍ତ ଜିଲ୍ଲାପାଳ ଶରତ ଚନ୍ଦ୍ର ପଣ୍ଡା ଗୁଣପୁର ମେଡିକାଲରେ ପହଞ୍ଚି ଆହତଙ୍କ ସ୍ବାସ୍ଥ୍ୟବସ୍ଥା ସଂପର୍କରେ ପଚାରି ବୁଝିଥିଲେ। ପ୍ରାଥମିକ ଭାବେ ରେଡକ୍ରସ ତରଫରୁ ମୃତକଙ୍କ ପରିବାରକୁ ୨୦ ହଜାର ଓ ଆହତଙ୍କ ପରିବାରକୁ ୧୦ ହଜାର ଟଙ୍କାର ସହାୟତା ଘୋଷଣା କରିଛନ୍ତି ରାୟଗଡ଼ା ଜିଲ୍ଲାପାଳ। ଆସନ୍ତାକାଲି ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରାଯିବ ବୋଲି ପୁଲିସ୍ ସୂଚନା ଦେଇଛି।

ସମ୍ବନ୍ଧିତ ଖବର