ଦୁର୍ଗା ସ୍ୱାଭାବିକ ନହେଉଣୁ ବ୍ଲାଷ୍ଟ୍‍ ଫର୍ଣ୍ଣେସ୍‌-୪ ଅଚଳ

ରାଉରକେଲା : ଦୁର୍ଦ୍ଦିନ ସତେ ଯେପରି ରାଉରକେଲା ଷ୍ଟିଲ୍‌ ପ୍ଲାଣ୍ଟ୍‌ (ଆର୍‌ଏସ୍‌ପି)ର ପିଛା ଛାଡ଼ୁନି। ଗତ ୨୧ ତାରିଖ ସନ୍ଧ୍ୟା ୭ଟାରେ ବ୍ଲୋୟର୍‌ ପାଇପ୍‌ ଫାଟିବାରୁ ଅଚଳ ହୋଇଥିବା ବ୍ଲାଷ୍ଟ୍‍ ଫର୍ଣ୍ଣେସ୍‌-୫ ‘ଦୁର୍ଗା’ ସ୍ୱାଭାବିକ ନହେଉଣୁ ଆଜି ସକାଳେ ବ୍ଲାଷ୍ଟ୍‍ ଫର୍ଣ୍ଣେସ୍‌-୪ ଅଚଳ ହୋଇପଡ଼ିଛି। ଦୈନିକ ୨୫୦୦ ଟନ୍‌ ଉତ୍ତପ୍ତ ଲୌହ ଉତ୍ପାଦନ କରୁଥିବା ବ୍ଲାଷ୍ଟ୍‍ ଫର୍ଣ୍ଣେସ୍‌-୪ର ୪ଟି ଟୁୟର (ନଂ-୪, ୧୦, ୧୫ ଓ ୨୧) ଫାଟି ବ୍ଲାଷ୍ଟ୍‍ ଫର୍ଣ୍ଣେସ୍‌ ଭିତରକୁ ପାଣି ପଶିଯାଇଛି। ଫଳରେ ଏଥିରୁ ଉତ୍ପାଦନ ସମ୍ପୂର୍ଣ୍ଣ ବ୍ୟାହତ ହୋଇଛି। ଯୁଦ୍ଧକାଳୀନ ଭିତ୍ତିରେ ମରାମତି କରାଗଲେ ମଧ୍ୟ ଏହା ସ୍ୱାଭାବିକ ଭାବେ ଉତ୍ପାଦନକ୍ଷମ ହେବା ବେଳକୁ ନିହାତି ୭ ଦିନ ଲାଗିବ ବୋଲି ବୈଷୟିକ ଅଫିସରଙ୍କ ସୂତ୍ରରୁ ଜଣାପଡ଼ିଛି। ତେଣୁ ଦୈନିକ ୨୫୦୦ ଟନ୍‌ ହିସାବରେ ଆଗାମୀ ୭ ଦିନ ପାଇଁ ଆର୍‌ଏସ୍‌ପିର ଉତ୍ତପ୍ତ ଧାତୁ ଉତ୍ପାଦନ ପ୍ରାୟ ୧୭,୫୦୦ ଟନ୍‌ ବ୍ୟାହତ ହେବ। ବଜାର ମୂଲ୍ୟ ହିସାବରେ ଉତ୍ପାଦନ କ୍ଷତି ପାଖାପାଖି ୬ କୋଟି ଟଙ୍କାରେ ପହଞ୍ଚିବ।

ସୂଚନାଯୋଗ୍ୟ, ଗତ ୨୧ ତାରିଖ ସନ୍ଧ୍ୟାରେ ବ୍ଲାଷ୍ଟ୍‍ ଫର୍ଣ୍ଣେସ୍‌-୫ ଅଚଳ ହେବା ପରେ ସ୍ଲାବ୍‌ ଅଭାବରୁ ନୂଆ ପ୍ଲେଟ୍‌ ମିଲ୍‌ (ଏନ୍‌ପିଏମ୍‌) ବନ୍ଦ ରହିଥିଲା। ମରାମତି ପରେ ବ୍ଲାଟେ୍‌ ଫର୍ଣ୍ଣେସ୍‌-୫ ଗତକାଲିଠାରୁ ୩୦% ଉତ୍ପାଦନ କ୍ଷମତାରେ ଚାଲିଥିଲା। ଆଜି ଏହାର ଉତ୍ପାଦନ କ୍ଷମତା ୬୦%ରେ ପହଞ୍ଚିଥିିବା ବେଳେ ଆସନ୍ତାକାଲିଠାରୁ ଏହା ପୂର୍ଣ୍ଣ କ୍ଷମତାରେ ଚାଲିବ ବୋଲି ଆଶା କରାଯାଉଛି। ତେଣୁ ଆସନ୍ତାକାଲିଠାରୁ ଏନ୍‌ପିଏମ୍‌ରେ ଉତ୍ପାଦନ ସ୍ୱାଭାବିକ ହେବା ସମ୍ଭାବନା ଅଛି।

ସମ୍ବନ୍ଧିତ ଖବର