ବ୍ଲୋ ପାଇପ୍‌ ଫାଟି ବ୍ଲାଷ୍ଟ୍‍ ଫର୍ଣ୍ଣେସ୍‌-୫ ପୁଣି ଅଚଳ

୧୫୦ କୋଟି କ୍ଷତି ଆଶଙ୍କା

ରାଉରକେଲା : ରାଉରକେଲା ଷ୍ଟିଲ୍‌ ପ୍ଲାଣ୍ଟ୍‌ (ଆର୍‌ଏସ୍‌ପି)ର ବ୍ଲାଷ୍ଟ୍‍ ଫର୍ଣ୍ଣେସ୍‌-୫ ‘ଦୁର୍ଗା’ ଗତକାଲି ରାତି ୭ଟାରୁ ପୁଣି ଅଚଳ ହୋଇପଡ଼ିଛି। ଏଥି ଯୋଗୁଁ ଉତ୍ତପ୍ତ ଲୌହ ଉତ୍ପାଦନ ସମ୍ପୂର୍ଣ୍ଣ ବନ୍ଦ ହୋଇଥିବାରୁ ହଟ୍‌ ଷ୍ଟିପ୍‌ ମିଲ୍‌ (ଏଚ୍‌ଏସ୍‌ଏମ୍‌), ପୁରୁଣା ଓ ନୂଆ ପ୍ଲେଟ୍‌ ମିଲ୍‌ରୁ ଯଥାକ୍ରମେ ୬୦୦୦ ଟନ୍‌ ଏଚ୍‌ଆର୍‌ କଏଲ୍‌ ଓ ୪୦୦୦ ଟନ୍‌ ପ୍ଲେଟ୍‌ ଉତ୍ପାଦନ ବ୍ୟାହତ ହୋଇଛି। ଏସବୁ ଉତ୍ପାଦିତ ସାମଗ୍ରୀର ବଜାର ଦର ହିସାବରେ ଆର୍‌ଏସ୍‌ପି ଦୈନିକ ୫୦ କୋଟି ଟଙ୍କାର ଉତ୍ପାଦନ କ୍ଷତିର ସମ୍ମୁଖୀନ ହୋଇଛି। ଆସନ୍ତାକାଲି ଏ ସିଫ୍ଟ୍‌ (ପୂର୍ବାହ୍ନ ୬ଟାରୁ ଅପରାହ୍ନ ୨ଟା)ରେ ବ୍ଲାଷ୍ଟ୍‍ ଫର୍ଣ୍ଣେସ୍‌ ପୁନଃ କାର୍ଯ୍ୟକ୍ଷମ ହେବ ବୋଲି ଆର୍‌ଏସ୍‌ପି କର୍ତ୍ତୃପକ୍ଷ ପ୍ରେସ୍‌ ଇସ୍ତାହାରରେ ଆଶା ବ୍ୟକ୍ତ କରିଛନ୍ତି। ଯଦି ଏହି ସମୟ ମଧ୍ୟରେ ବ୍ଲାଷ୍ଟ୍‍ ଫର୍ଣ୍ଣେସ୍‌ର ସମ୍ପୂର୍ଣ୍ଣ ମରାମତି ସମ୍ଭବ ହୁଏ, ତେବେ ଏହା ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇ ଧାର୍ଯ୍ୟ ଉତ୍ପାଦନ ଲକ୍ଷ୍ୟ ହାସଲ କରିବା ବେଳକୁ ଆହୁରି ୨୪ ଘଣ୍ଟା ଲାଗିବ। ତେଣୁ ଏହି ସମୟ ମଧ୍ୟରେ ଆର୍‌ଏସ୍‌ପିର କ୍ଷତି ୧୫୦ କୋଟିରେ ପହଞ୍ଚିବ ବୋଲି କର୍ମଚାରୀମାନେ ଆଶଙ୍କା ପ୍ରକାଶ କରିଛନ୍ତି।

ମିଳିଥିବା ସୂଚନା ଅନୁସାରେ ରବିବାର ସନ୍ଧ୍ୟା ୭ଟାରେ ବ୍ଲାଷ୍ଟ୍‍ ଫର୍ଣ୍ଣେସ୍‌ର ଟୁୟର ନଂ-୨୧ର ବ୍ଲୋ ପାଇପ୍‌ ଫାଟି ଜଳିଯିବାରୁ ତୁରନ୍ତ ଫର୍ଣ୍ଣେସ୍‌କୁ ବନ୍ଦ କରିବା ପାଇଁ ପ୍ରକ୍ରିୟା ଆରମ୍ଭ କରାଯାଇଥିଲା। ତେବେ ଫର୍ଣ୍ଣେସ୍‌ ବନ୍ଦ ହେବା ବେଳକୁ ସେଥିରୁ ନିର୍ଗତ ଧାତବ ଖାଦ (ସ୍ଲାଗ୍‌) ଅନ୍ୟାନ୍ୟ ବ୍ଲୋ ପାଇପ୍‌ରେ ପଶି ସେଗୁଡ଼ିକୁ ଜାମ୍‌ କରିଥିଲା। ତେବେ ଉପରୋକ୍ତ ପରିଚାଳନାଗତ ତ୍ରୁଟିରୁ ବ୍ଲାଷ୍ଟ୍‍ ଫର୍ଣ୍ଣେସ୍‌ ଅଚଳ ହୋଇଥିଲେ ମଧ୍ୟ କର୍ତ୍ତୃପକ୍ଷ ଏହାକୁ ସାମୟିକ ରକ୍ଷଣାବେକ୍ଷଣ ଜନିତ ସ୍ୱେଚ୍ଛାକୃତ ବନ୍ଦ ପ୍ରକ୍ରିୟା (ସଟ୍‌ ଡାଉନ୍‌) ବୋଲି ସଫେଇ ଦେଇଛନ୍ତି। ପ୍ରେସ୍‌ ଇସ୍ତାହାରରେ କହିଛନ୍ତି ଯେ ବ୍ଲାଷ୍ଟ୍‍ ଫର୍ଣ୍ଣେସ୍‌ର ସାମ୍ପ୍ରତିକ ମରାମତି କାଳ (ଡାଉନ୍‌ ଟାଇମ୍‌)ର ସଦୁପଯୋଗ ନିମନ୍ତେ ବ୍ଲାଷ୍ଟ୍‍ ଫର୍ର୍ଣେସ୍‌ର ଷ୍ଟକ୍‌ ହାଉସ୍‌ ସ୍ଲାଗ୍‌ ଗ୍ରାନୁଲେସନ୍‌ ପ୍ଲାଣ୍ଟ ଓ ପିଗ୍‌ କାଷ୍ଟିଂର ପ୍ରତିଷେଧକ ମରାମତି ସହ ସିଣ୍ଟର୍‌ ପ୍ଲାଣ୍ଟ-୩, ଷ୍ଟିଲ୍‌ ମେଲ୍ଟିଂ ସପ୍‌ (ଏସ୍‌ଏମ୍‌ଏସ୍‌)-୨, କାଷ୍ଟର୍‌-୧ ଓ ନୂଆ ପ୍ଲେଟ୍‌ ମିଲ୍‌ (ଏନ୍‌ପିଏମ୍‌)ର କେତେକ ମୁଖ୍ୟ ମରାମତି କାର୍ଯ୍ୟ ଏହି ସମୟ ମଧ୍ୟରେ ସମ୍ପୂର୍ଣ୍ଣ ହେବ। ଫଳରେ ଆସନ୍ତା ଫେବ୍ରୁଆରିରେ ଆଉ ରକ୍ଷଣାବେକ୍ଷଣ ପାଇଁ ସଟ୍‌ ଡାଉନ୍‌ ନିଆଯିବ ନାହିଁ।

ସମ୍ବନ୍ଧିତ ଖବର