ରାଉରକେଲା: ମରାମତିର ୨୦ ଦିନ ନ ଯାଉଣୁ ରାଉରକେଲା ଇସ୍ପାତ୍ କାରଖାନା (ଆର୍ଏସ୍ପି)ର ବ୍ଲାଷ୍ଟ ଫର୍ଣ୍ଣେସ୍-୫ ‘ଦୁର୍ଗା’ରେ ପୁଣି ଯାନ୍ତ୍ରିକ ତ୍ରୁଟି ଦେଖାଦେଇଛି। ଗତ ୨୯ ତାରିଖ ଭୋର୍ ପ୍ରାୟ ୪ଟା ବେଳେ ବ୍ଲୋ ପାଇପ୍ ଫାଟିଯିବାରୁ ‘ଦୁର୍ଗା’କୁ ଉତ୍ତପ୍ତ ଗ୍ୟାସ୍ ନିର୍ଗମନ ବନ୍ଦ ହୋଇଯାଇଥିଲା। ଫଳରେ ବ୍ଲାଷ୍ଟ ଫର୍ଣ୍ଣେସ୍ ଅଚଳ ରହିଥିଲା। ସନ୍ଧ୍ୟା ପ୍ରାୟ ୬ଟା ବେଳକୁ ମରାମତି ଶେଷ ହୋଇ ବ୍ଲାଷ୍ଟ ଫର୍ଣ୍ଣେସ୍ ପୁଣି କାର୍ଯ୍ୟକ୍ଷମ ହୋଇଥିଲା। ଏହି ୧୪ ଘଣ୍ଟାର ଅଚଳାବସ୍ଥା ଯୋଗୁଁ ଆର୍ଏସ୍ପିର ଉତ୍ତପ୍ତ ଲୌହ ଉତ୍ପାଦନ ପ୍ରାୟ ୫ ହଜାର ଟନ୍ ହ୍ରାସ ପାଇଛି। ଏହି ହିସାବରେ ଆର୍ଏସ୍ପିର ଉତ୍ପାଦନ କ୍ଷତି ପ୍ରାୟ ୧୦ କୋଟି ଟଙ୍କାରୁ ଅଧିକ।
ଉଲ୍ଲେଖଯୋଗ୍ୟ, ଭାରତୀୟ ଇସ୍ପାତ ପ୍ରାଧିକରଣ (ସେଲ୍)ର ୬୫ ହଜାର କୋଟି ଆଧୁନିକୀକରଣ ଓ ସମ୍ପ୍ରସାରଣ ଯୋଜନାରେ ଆରଏସ୍ପି ପାଇଁ ୧୨ ହଜାର କୋଟି ଟଙ୍କା ବ୍ୟୟ ହୋଇଥିଲା। ସେଥିରୁ ଦେଶର ସର୍ବବୃହତ୍ ବ୍ଲାଷ୍ଟ ଫର୍ଣ୍ଣେସ୍ ‘ଦୁର୍ଗା’ ପାଇଁ ୩୭୦୦ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୧୫ ଏପ୍ରିଲ୍ ପହିଲାରେ ଏହାକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଥିଲେ। ବିଶେଷଜ୍ଞଙ୍କ ଆକଳନ ଅନୁସାରେ ଏହି ବ୍ଲାଷ୍ଟ ଫର୍ଣ୍ଣେସ୍ ୧୫ରୁ ୨୦ ବର୍ଷ ଧରି ଅବାଧରେ ଚାଲିବା କଥା। ମାତ୍ର ଗତ ଅଢ଼େଇ ବର୍ଷ ମଧ୍ୟରେ ଏହା ପ୍ରାୟ ୨୦ ଥର ଯାନ୍ତ୍ରିକ ତ୍ରୁଟିର ସମ୍ମୁଖୀନ ହେଲାଣି। ଏହି କାରଣରୁ ଆର୍ଏସ୍ପି ନିୟମିତ ବ୍ୟବଧାନରେ କ୍ଷତିର ସମ୍ମୁଖୀନ ହେଉଛି। ଏମ୍ଇପିରେ ନିମ୍ନମାନର କାର୍ଯ୍ୟ ଓ ଅର୍ଥ ତୋଷରପାତ ସଂକ୍ରାନ୍ତରେ ଗୁରୁତର ଅଭିଯୋଗ ହୋଇଥିବା ସିଏଜି ରିପୋର୍ଟରେ ଦର୍ଶାଯାଇଛି। ‘ଦୁର୍ଗା’ ବାରମ୍ବାର ଅଚଳ ହେବା ଆର୍ଏସ୍ପିର କ୍ଷତି ଆଶଙ୍କାକୁ ଦ୍ୱିଗୁଣିତ କରୁଛି।
ଚଳିତ ବର୍ଷ ମେ ମାସ ମଧ୍ୟ ଭାଗରେ ବ୍ଲାଷ୍ଟ ଫର୍ଣ୍ଣେସ୍ ‘ଦୁର୍ଗା’ ପ୍ରାୟ ୧୨ ଦିନ ଅଚଳ ହୋଇଥିଲା। ଏହାର ୪ ମାସ ନଯାଉଣୁ ସେପ୍ଟେମ୍ବର ୧୦ରେ ଟ୍ୟୁୟର ପାଇପ୍ ଜାମ୍ ହେବାରୁ ଏହାର ଉଚ୍ଚ ଶକ୍ତିସମ୍ପନ୍ନ କନଭେୟର୍ ବେଲ୍ଟ ଜଳିଯାଇଥିଲା। ପ୍ରାୟ ୭ ଦିନ ପରେ ବ୍ଲାଷ୍ଟ ଫର୍ଣ୍ଣେସ୍ ସ୍ୱାଭାବିକ ହେବା ବେଳକୁ ଆର୍ଏସ୍ପି ପ୍ରାୟ ୧୦୦ କୋଟି ଟଙ୍କାର ଉତ୍ପାଦନ କ୍ଷତିର ସମ୍ମୁଖୀନ ହୋଇଥିଲା।