ପରିତ୍ୟକ୍ତ କ୍ରସର ୟୁନିଟ୍‌ରେ ବିସ୍ଫୋରଣ, ୪ ବଖରା ମାଟିରେ ମିଶିଲା

ଖୋର୍ଦ୍ଧା : ଖୋର୍ଦ୍ଧା ସଦର ଥାନା ଅନ୍ତର୍ଗତ ତାପଙ୍ଗ ମୌଜାରେ ଏକ ପରିତ୍ୟକ୍ତ କ୍ରସର ୟୁନିଟ୍‌ରେ ବିସ୍ଫୋରଣ ଘଟି ୪ ବଖରା ଘର ମାଟିରେ ମିଶିଯାଇଛି।

ସୂଚନାନୁସାରେ, ଆଜି ଅପରାହ୍ଣ ପ୍ରାୟ ସାଢ଼େ ୪ଟା ବେଳେ ତାପଙ୍ଗ ଛକରୁ ଧନିଆ ପାହାଡ଼ ରାସ୍ତାର ୫୦ ମିଟର ଭିତରକୁ ଥିବା ଏକ ପରିତ୍ୟକ୍ତ କ୍ରସର ୟୁନିଟ୍‌ରେ ଏକ ବିରାଟ ବିସ୍ପୋରଣ ହୋଇଥିଲା। ବିସ୍ଫୋରଣ ଏତେ ପ୍ରବଳ ଥିଲା ଯେ ଆଖପାଖର ଘରଗୁଡ଼ିକ ଥରି ଉଠିଥିଲା। ଏହି ବିସ୍ଫୋରଣରେ କେହି ମୃତାହତ ହୋଇନଥିବା ବେଳେ ସେଠାରେ ଥିବା ୪ ବଖରା ଆଜବେଷ୍ଟସ ଘର ଭାଙ୍ଗି ଚୂରମାର ହୋଇଯାଇଥିବା ଜଣାଯାଇଛି।

ପଥର ମାଫିଆମାନେ ପରିତ୍ୟକ୍ତ ଘରେ ବେଆଇନ ଭାବେ ବିସ୍ଫୋରକ ରଖିଥିବା ସନ୍ଦେହ କରାଯାଉଛି। ଏନେଇ ଖୋର୍ଦ୍ଧା ଆରକ୍ଷୀ ଅଧିକ୍ଷକ ଅଜୟ ପ୍ରତାପ ସ୍ୱାଇଁଙ୍କୁ ପଚାରିବାରେ ସେ କହିଛନ୍ତି ଏନେଇ ସୂଚନା ପାଇବା ପରେ ଏସ୍‌ଡିପିଓ ସୁଶୀଲ ମିଶ୍ର, ସଦର ଥାନା ଅଧିକାରୀ ଅନୀତା ସାହୁ ଘଟଣା ସ୍ଥଳରେ ପହଂଚି ଅନୁସନ୍ଧାନ କରିଛନ୍ତି। ବିସ୍ଫୋରଣରେ ଘରଗୁଡ଼ିକର ଅଜବେଷ୍ଟସ ଛାତ ଫାଟିଯାଇଛି। ଏନେଇ ଆଇନାନୁସାରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ କରାଯିବ। ଯେଉଁମାନେ ଦୋଷୀ ତାଙ୍କ ବିରୋଧରେ ପଦକ୍ଷେପ ଗ୍ରହଣ କରାଯିବ।

ସମ୍ବନ୍ଧିତ ଖବର