ଇଣ୍ଡିଆନ୍ ଅଏଲ ପେଟ୍ରୋଲ ପମ୍ପରେ ପ୍ରଚଣ୍ଡ ବିସ୍ଫୋରଣ ଘଟଣା : ଚାରିଆଡ଼େ ବିଛାଇ ହୋଇ ପଡ଼ିଥିବା ମାଂସ, ହାଡ଼ କାହାର?

୫ ଶ୍ରମିକ ନିଖୋଜ! ଖୋଜୁଛି ପୁଲିସ

ଭୁବନେଶ୍ୱର : ଇଣ୍ଡିଆନ୍ ଅଏଲ ପେଟ୍ରୋଲ ପମ୍ପରେ ପ୍ରଚଣ୍ଡ ବିସ୍ଫୋରଣରେ ମାଂସ ପିଣ୍ଡୁଳା, ଖପୁରି, ହାତ ଆଙ୍ଗୁଠି ଭଳି ଅଙ୍ଗପ୍ରତ୍ୟଙ୍ଗ ଚାରିଆଡ଼େ ବିଛାଇ ହୋଇ ପଡ଼ିଛି। ଯେଉଁମାନଙ୍କୁ ଆହତ ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ସେମାନଙ୍କ ଶରୀର ସୁରକ୍ଷିତ ରହିଛି। ଏପରିକି ଗୁରୁତର ଆହତ ହୋଇଥିବା ଦୁଇଜଣଙ୍କର ଶରୀରର କୌଣସି ଅଙ୍ଗ ଛିଡି ନାହିଁ କିମ୍ବା ନଷ୍ଟ ହୋଇ ନାହିଁ। ତେଣୁ ଯେଉଁ ମାଂସ ପିଣ୍ଡୁ​ଳା, ଶରୀରର ଅଙ୍ଗପ୍ରତ୍ୟଙ୍ଗ ପଡ଼ିଛି ସେମାନଙ୍କର ଜୀବନ ଯାଇଥିବା ଆଶଙ୍କା କରାଯାଉଛି। ତେବେ ସେମାନେ କିଏ ତାହା ଏଯାଏ ସ୍ପଷ୍ଟ ହୋଇପାରି ନାହିଁ। ଅତି କମ୍‌ରେ ୫ ଜଣ ଶ୍ରମିକ ନିଖୋଜ ଥିବା କୁହାଯାଉଥିବା ବେଳେ ପେଟ୍ରୋଲ ପମ୍ପକୁ ଲାଗି କରି ଥିବା ଓମଫେଡ୍ ପାଖରେ ଦୈନିକ ବସାଉଠା କରୁଥିବା ଆଖପାଖ ଅଞ୍ଚଳର ଏକାଧିକ ପିଲାଙ୍କ ପତ୍ତା ମଧ୍ୟ ମିଳୁ ନାହିଁ। ତେଣୁ ଏହି ବିସ୍ଫୋରଣରେ ସେମାନଙ୍କର ଜୀବନ ଯାଇଥିବା ଆଶଙ୍କା କରାଯାଉଛି। ମୃତ୍ୟୁ ସଂଖ୍ୟା କେତେ ଏବେ ସୁଦ୍ଧା ସ୍ପଷ୍ଟ ଜଣାପଡ଼ି ନାହିଁ।

ଅପରପକ୍ଷରେ ଘଟଣାସ୍ଥଳରେ ଚୁଟି ଗୋଛା ପଡ଼ିଥିବା ବେଳେ ଜୋତା ଭିତରେ ମାଂସ ରହିଥିବା ଦେଖିବାକୁ ମିଳିଛି। ସେଠାରୁ ଶହେ, ଦୁଇ ଶହ ମିଟର ଦୂରରେ ଶରୀର ଅଙ୍ଗପ୍ରତ୍ୟଙ୍କ ପଡ଼ିଛି। ସେହିପରି ବିସ୍ଫୋରଣରେ ଯେଉଁ ବିରାଟ ଗାତ ସୃଷ୍ଟି ହୋଇଛି ତା’ ଭିତରେ କିଛି ଲୋକ ଚାପି ହୋଇ ରହିଥିବା ଅନୁମାନ କରାଯାଉଛି। ପୁଲିସ କମିସନର ସୁଧାଂଶୁ ଷଡ଼ଙ୍ଗୀ କହିଛନ୍ତି, ତେଲ ବାହାରିଲା ପରେ ପୁଲିସ ଘଟଣାସ୍ଥଳକୁ ଯାଇ ତଦନ୍ତ କରିବ। କିଛି ଲୋକଙ୍କର ମୃତ୍ୟୁ ହୋଇଥିବା ନିଶ୍ଚିତ ଭାବେ ସନ୍ଦେହ କରାଯାଉଛି। କିନ୍ତୁ କେତେ ଲୋକଙ୍କର ମୃତ୍ୟୁ ହୋଇଛି ତାହା କାଲି ସନ୍ଧ୍ୟା କିମ୍ବା ଶୁକ୍ରବାର ସୁଦ୍ଧା ସ୍ପଷ୍ଟ ହେବ। ଏହି ଘଟଣାରେ କ୍ୟାପିଟାଲ ଥାନାରେ ଏକ ମାମଲାର ରୁଜୁ ହୋଇଛି।

ଅନ୍ୟପକ୍ଷରେ ବୁଧବାରର ଏହି ଦୁର୍ଘଟଣା ମନୁଷ୍ୟକୃତ ବୋଲି ଅଭିଯୋଗ ହେଉଛି। ବେପରୁଆ ଆଚରଣ ଓ ଦାୟିତ୍ବହୀନତା ପାଇଁ ଏହା ଘଟିଥିବା କୁହାଯାଉଛି। ବିଶ୍ବସ୍ତସୂତ୍ରରୁ ଜଣାଯାଇଛି ଯେ, ପ୍ରତି ୫ ବର୍ଷରେ ଥରେ ଉକ୍ତ ପମ୍ପରେ ହାଇଡ୍ରୋ‌ ଟେଷ୍ଟ ହୋଇଥାଏ। ତେବେ ଏହା ବିଶେଷଜ୍ଞ ଅଧିକାରୀ ଓ ଅନ୍ୟମାନଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ କରାଯାଇଥାଏ। ହେଲେ ଏଥରର ହାଇଡ୍ରୋ ଟେଷ୍ଟ ସମୟରେ କରୋନା ଭୟରେ ଜଣେ ବି ବିଶେଷଜ୍ଞ କିମ୍ବା ଅଧିକାରୀ ଉପସ୍ଥିତ ନ ଥିଲେ। ସେହିପରି ଉକ୍ତ ଟେଷ୍ଟ ସମୟରେ ପେଟ୍ରୋଲ୍‌ ପମ୍ପକୁ ସମ୍ପୂର୍ଣ୍ଣ ଭାବରେ ଖାଲି କରାଯାଇଥାଏ। କିନ୍ତୁ ଏଥର ଖୋଲା ରଖାଯାଇଥିଲା। ପ୍ରଥମେ ହାଇଡ୍ରୋ ଟେଷ୍ଟ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇନଥିବା ବେଳେ ନାଇଟ୍ରୋଜେନ୍‌ ପୂରାଇ ଦେଇ ବିପଦକୁ ନିମନ୍ତ୍ରଣ କରାଯାଇଥିଲା ବୋଲି ଆଶଙ୍କା ପ୍ରକାଶ ପାଇଛି। ଅଧିକ ତଦନ୍ତ ହେଲେ ଏ ସମସ୍ତ ତ୍ରୁଟି ବିଚ୍ୟୁତି ପଦାକୁ ଆସିବା ଆଶା କରାଯାଉଛି।

ସମ୍ବନ୍ଧିତ ଖବର