ଯନ୍ତାପାଇରେ ବିସ୍ଫୋରଣ, ୨ ଯବାନ ଆହତ

ମାଲକାନଗିରି: ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବିଚ୍ଛିନ୍ନାଞ୍ଚଳ ଅନ୍ତର୍ଗତ ଯନ୍ତାପାଇ ଠାରେ ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣ ଯୋଗୁଁ ୨ଜଣ ଯବାନ ଆହତ ହୋଇଛନ୍ତି। ଏସପି ଜଗମୋହନ ମୀନାଙ୍କ ସୂଚନା ଅନୁଯାୟୀ ଚିତ୍ରକୋଣ୍ଡା ଠାରେ ଅବସ୍ଥାପିତ ୨୦୨ କୋବ୍ରା ବାଟାଲିୟନ ଯବାନ ବଡପଡା ପଞ୍ଚାୟତର ଯନ୍ତାପାଇ ଅଂଚଳକୁ କମ୍ବିଂରେ ଯାଇଥିଲେ। ଅପରାହ୍ନରେ ହଠାତ୍‌ ଗୋଟିଏ ଲ୍ୟାଣ୍ଡମାଇନ ବିସ୍ଫୋରଣ ହେବାରୁ ଯବାନ ଏନ.ଜଗା ରାଓ ଗୁରୁତର ଭାବେ ଆହତ ହୋଇଥିବା ବେଳେ ହରି ବାବୁ ସାମାନ୍ୟ ଆହତ ହୋଇଥିଲେ। ଆହତ ଯବାନଙ୍କୁ ବଡପଡା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଏହାପରେ ଜଗା ରାଓଙ୍କୁ ହେଲିକପ୍ଟର ଯୋଗେ ବିଶାଖାପାଟଣା ସ୍ଥାନାନ୍ତର କରାଯାଇଥିବା ଏସପି ପ୍ରକାଶ କରିଛନ୍ତି। ଏହାପରେ କମ୍ବିଂକୁ ଜୋରଦାର କରାଯାଇଥିବା ଏସପି କହିଛନ୍ତି। ନକ୍ସଲ ଦୀର୍ଘ ଦିନ ପରେ ଏହି ଅଞ୍ଚଳରେ ଯବାନଙ୍କ ଉପରେ ଆକ୍ରମଣ କରିଛନ୍ତି। ଏହି ଘଟଣା ପରେ ବଡପଡାରେ ରହିଥିବା ବିଏସଏଫ ମଧ୍ୟ ଜୋରଦାର କମ୍ବିଂ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର