ମୈଥାନରେ ଭୟାନକ ବିସ୍ଫୋରଣ: ୫ ଶ୍ରମିକ ‌ଅର୍ଧଦଗ୍ଧ

ସୁରକ୍ଷା ନେଇ ପ୍ରଶ୍ନବାଚୀ

ଯଖପୁରା : କଳିଙ୍ଗନଗର ଶିଳ୍ପାଞ୍ଚରଳ ମୈଥାନ ଇସ୍ପାତ କାରଖାନାରେ ଆଜି ପୂର୍ବାହ୍ନରେ ଘଟିଛି ଭୟାନକ ବିସ୍ଫୋରଣ। ବିସ୍ଫୋରଣରେ ୫ ଜଣ କାର୍ଯ୍ୟରତ ଶ୍ରମିକ ଅର୍ଧଦଗ୍ଧ ହୋଇଛନ୍ତି। ସେମାନଙ୍କୁ ପ୍ରଥମେ ଦାନଗଦି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ଗୁରୁତର ହେବାରୁ ପରେ ସେମାନଙ୍କୁ କଟକ ସ୍ଥାନାନ୍ତର କରାଯାଇଛି।

ମିଳିଥିବା ସୂଚନା ଅନୁଯାୟୀ ଆଜି ପୂର୍ବାହ୍ନ ସାଢ଼େ ୧୧ଟା ବେଳେ କାରଖାନାର ଏସଏମଏସ ୟୁନିଟରେ ସିସିଏମ(କଣ୍ଟିନ୍ୟୁଅସ କାଷ୍ଟିଂ ମେସିନ)ରେ ଗରମ ତରଳ ଧାତବରୁ ଭିଲେଡ଼ ଉତ୍ପାଦନ ସମୟରେ ବିସ୍ଫୋରଣ ଘଟିଥିଲା। ବିସ୍ଫୋରଣ କାରଣରୁ ଗରମ ତରଳ ଧାତବ ପଦାର୍ଥ ଛିଟିକି ପଡ଼ିଥିଲା। ଏଥିରେ ମାନସ ମଲ୍ଲିକ, ସୁନୀଲ ମାଝୀ, ଉମେଶ ରାୟ, ସତ୍ୟରଂଜନ ସାହୁ, ଉମାକାନ୍ତ ଯାଦବଙ୍କ ଶରୀର ପୋଡ଼ି ଯାଇ ଗୁରୁତର ଆହତ ହୋଇଥିବା ଜଣାଯାଇଛି। ବାଲିଚନ୍ଦ୍ରପୁର ଅଞ୍ଚଳର ସତ୍ୟରଂଜନ ସାହୁ ଏବଂ ଉତ୍ତର ପ୍ରଦେଶର ଉମାକାନ୍ତ ଯାଦବଙ୍କ ଅବସ୍ଥା ସଂକଟାପନ୍ନ ରହିଛି। ଆହତ ଶ୍ରମିକମାନଙ୍କୁ ପ୍ରଥମେ ଦାନଗଦୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ କଟକକୁ ସ୍ଥାନାନ୍ତର କରାଯାଇଛି।

ସଂଧ୍ୟାରେ ଯାଜପୁରରୋଡ଼ ସ୍ଥିତ କାରଖାନା ଏବଂ ବାଷ୍ପିତ ବିଭାଗର ସହକାରୀ ନିର୍ଦେଶକ ଚନ୍ଦ୍ରଶେଖର ବେହେରା ମୈଥାନ କାରଖାନାରେ ପହଞ୍ଚି ତଦନ୍ତ କରି ଫେରିଛନ୍ତି। ଗରମ ତରଳ ଧାତବରେ ଗ୍ୟାସ ସୃଷ୍ଟି ହୋଇ ବିସ୍ଫୋରଣ ହୋଇଥିବା ଶ୍ରୀ ବେହେରା ପ୍ରକାଶ କରିଛନ୍ତି। କଳିଙ୍ଗନଗରର ବିଭିନ୍ନ କାରଖାନାରେ ଢିଲା ନିରାପତ୍ତା ବ୍ୟବସ୍ଥା କାରଣରୁ ଦୁର୍ଘଟଣା ଘଟି ଧନଜୀବନ ହାନି ଘଟୁଛି।

ଏ ସଂପର୍କରେ କାରଖାନା ମହାପ୍ରବନ୍ଧକ ଅକ୍ଷୟ କୁମାର ପଟ୍ଟନାୟକଙ୍କୁ ପଚାରିବାରୁ ସେ କହିଥିଲେ ଯେ ଆହତ ଶ୍ରମିକଙ୍କ ମଧ୍ୟରୁ ୪ ଜଣଙ୍କୁ କଟକର ଏକ ଘରୋଇ ହସପିଟାଲକୁ ସ୍ଥାନାନ୍ତର କରାଯାଇଛି। ୩ ଜଣଙ୍କ ଅବସ୍ଥା ଭଲ ଅଛି। ସେମାନଙ୍କୁ ଦିନେ/ଦୁଇଦିନ ଚିକିତ୍ସା କରିବା ପରେ ଛାଡ଼ି ଦିଆଯିବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର