ବାଲେଶ୍ୱର ଶିଳ୍ପାଞ୍ଚଳ ଥାନା ରେମୁଣା ବ୍ଲକ୍‌ର ଅଚ୍ୟୁତପୁର ଗ୍ରାମରେ ଭୟଙ୍କର ବିସ୍ଫୋରଣ : ବିସ୍ଫୋରଣରେ ଛାତ ଉଡ଼ିଗଲା

ସ୍ଥାନୀୟ ଅଞ୍ଚଳରେ କମ୍ପନ, ମନ୍ଦିର ଦଧିନଉତି ଭାଙ୍ଗିଲା, ଜଣେ ଭଡ଼ାଟିଆ ଫେରାର, ଘର ମାଲିକ ଅଟକ

ବାଲେଶ୍ୱର/ରେମୁଣା : ବାଲେଶ୍ବର ଶିଳ୍ପାଞ୍ଚଳ ଥାନା ରେମୁଣା ବ୍ଲକ୍‌ର ଅଚ୍ୟୁତପୁର ଗ୍ରାମରେ ଘଟିଛି ଭୟଙ୍କର ବିସ୍ଫୋରଣ। ଏଥିରେ ଏକ ତିନି ମହଲା କୋଠାର ଉପର ମହଲା ସମ୍ପୂର୍ଣ୍ଣ ଉଡ଼ିଯାଇଛି। ବିସ୍ଫୋରଣର ପ୍ରଭାବ ଏବେ ତୀବ୍ର ଥିଲା ଯେ, ଘରକାନ୍ଥ ସହିତ ଆସବାବପତ୍ର ଛିନ୍‌ଛତ୍ର ହୋଇ ଆଖପାଖ ଅଞ୍ଚଳରେ ପଡ଼ିଛି। ବିଳମ୍ବିତ ରାତିରେ ଗାଁ ଲୋକେ ନିଦରେ ଶୋଇଥିବା ବେଳେ ଘଟିଛି ଏହି ଅଘଟଣ। ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନା ମୁତାବକ ଥରେ ନୁହେଁ, ଲାଗ୍‌ ଲାଗ୍‌ ତିନି ଥର କାନ ତାବ୍‌ଦା ହେଲା ଭଳି ବିସ୍ଫୋରଣ ହୋଇଥିଲା। ଯେଉଁଥିରେ ଆଖପାଖ ଅଞ୍ଚଳ ଥରି ଉଠିବା ସହ ଗାଁ ଲୋକେ ଭୟଭୀତ ହୋଇ ପଦାକୁ ବାହାରି ଆସିଥିଲେ।

ଅଚ୍ୟୁତପୁର ଗ୍ରାମବାସୀଙ୍କ କହିବା ଅନୁଯାୟୀ, ବୁଧବାର ରାତି ପ୍ରାୟ ସାଢ଼େ ୧୨ଟା ବେଳକୁ ହଠାତ୍‌ ଏକ ପ୍ରଚଣ୍ଡ ଶବ୍ଦ ଶୁଣି ଲୋକେ ଚମ୍‌କି ଉଠିଥିଲେ। କେହି କିଛି ବୁଝିବା ପୂର୍ବରୁ ପୁଣି ଦୁଇ ଥର ବିସ୍ଫୋରଣ ହୋଇଥିଲା। ଏହାପରେ ଚାରିଆଡ଼େ ବାରୁଦ ଗନ୍ଧ ସହ ଧୂଆଁମୟ ହୋଇ ଯାଇଥିଲା। ଲୋକେ ଆତଙ୍କିତ ଅବସ୍ଥାରେ ଏଣେତେଣେ ଦୌଡ଼ିଥିଲେ। ଗାଁର କାଳୀଚରଣ ମହାପାତ୍ରଙ୍କ ତିନିତାଲା ଘର ଉପର ମହଲାରୁ ପ୍ରବଳମାତ୍ରାରେ ଧୂଆଁ ଓ ବାରୁଦ ଗନ୍ଧ ବାହାରୁଥିବା ଦେଖି ଲୋକେ ପୁଲିସକୁ ଖବର ଦେଇଥିଲେ। ବିସ୍ଫୋରଣରେ ଶ୍ରୀ ମହାପାତ୍ରଙ୍କର ଉପର ମହଲା ଛାତ ସମ୍ପୂର୍ଣ୍ଣ ଉଡ଼ି ଯାଇଥିବା ବେଳେ ତଳ ଦୁଇ ମହଲା ମଧ୍ୟ ପ୍ରଭାବିତ ହୋଇଛି। ପକ୍କା କାନ୍ଥ ଫାଟିଯିବା ସହ ଘର ସାମ୍‌ନାରେ ଥିବା ଏକ ମନ୍ଦିରର ଦଧିନଉତି ସମ୍ପୂର୍ଣ୍ଣ ଭାଙ୍ଗିଯାଇଛି। ଘର ସାମ୍‌ନାରେ ରଖାଯାଇଥିବା ଏକ କାର୍‌ ଭାଙ୍ଗି ଚେପା ହୋଇ ଯାଇଥିବା ବେଳେ ଶ୍ରୀ ମହାପାତ୍ରଙ୍କ ଘର ସମେତ ଆଖପାଖ ୫୦-୧୦୦ ମିଟର ଦୂରରେ ଥିବା ପଡ଼ୋଶୀମାନଙ୍କ ଘର କାନ୍ଥ ବିସ୍ଫୋରଣ ପ୍ରଭାବରେ ଫାଟି ଯାଇଥିବା ଦେଖିବାକୁ ମିଳିଛି। ତେବେ ବିସ୍ଫୋରଣର ନିର୍ଦ୍ଦି‌ଷ୍ଟ କାରଣ କିଛି ଜଣାପଡ଼ିନଥିଲେ ମଧ୍ୟ ସେଠାରେ ବାରୁଦ, ବାଣ ତିଆରି ସାମଗ୍ରୀ, ବାରୁଦ ଓଜନ ହୋଇଥିବା ଏକ ନିକିତି ଓ ବହୁ ବିସ୍ଫୋରକ ସାମଗ୍ରୀ ପଡ଼ିଥିବା ଦେଖାଯାଇଛି। ଆଜି ଏସ୍‌ଡିପିଓ ପ୍ରଭାସ ଚନ୍ଦ୍ର ପାଲ୍‌ ଓ ଶିଳ୍ପାଞ୍ଚଳ ଥାନା ଆଇଆଇସି ଜୟନ୍ତ କୁମାର ବେହେରା ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ କାଳୀଚରଣଙ୍କ ପୁଅ ବାଦଲ ଓରଫ୍‌ ସୁଜନ ମହାପାତ୍ରଙ୍କୁ ଥାନାକୁ ନେଇ ଘଟଣା ସଂପର୍କରେ ପଚରାଉଚୁରା ଜାରି ରଖିଛନ୍ତି।

ସମ୍ବନ୍ଧିତ ଖବର