ରାଉରକେଲା : ଆଜି ମଧ୍ୟାହ୍ନ ପ୍ରାୟ ସାଢ଼େ ୧୨ଟାରେ ରାଉରକେଲାର ଜନଗହଳିପୂର୍ଣ୍ଣ ମଧୁସୂଦନପାଲୀ ତେଲୁଗୁ ବସ୍ତିର ଏକ କୋଠାରେ ଭୟଙ୍କର ବିସ୍ଫୋରଣ ଘଟି ସମଗ୍ର ବସ୍ତି ଏକପ୍ରକାର ଛାରଖାର ହୋଇଯାଇଛି। ବିସ୍ଫୋରଣରେ ସଂପୃକ୍ତ ଘର ମାଲିକ ଜବାଲାଲ ଶ୍ରୀବାସ୍ତବଙ୍କ ସାନବୋହୂ ରେଖା ଶ୍ରୀବାସ୍ତବଙ୍କର ମୃତ୍ୟୁ ଘଟିଛି। ସାନବୋହୂ ବିସ୍ଫୋରଣରେ ଭୁଶୁଡି ପଡିଥିବା ଛାତତଳେ ଚାପି ହୋଇ ମୃତ୍ୟୁବରଣ କରିଥିବାବେଳେ ବଡ଼ବୋହୂଙ୍କୁ ୮୦% ଜଳି ଯାଇ ଗୁରୁତର ଅବସ୍ଥାରୋ ଚିକିତ୍ସାଧୀନ ରହିଛନ୍ତି। ତାଙ୍କୁ ପ୍ରଥମେ ରାଉରକେଲାର ଇସ୍ପାତ ଜେନେରାଲ ହସ୍ପିଟାଲ ଓ ପରେ ବୁର୍ଲା ସ୍ଥାନାନ୍ତର କରା ଯାଇଥିଲା। ଅବସ୍ଥାର ଅଧିକ ଗୁରୁତର ହେବାରୁ ତାଙ୍କୁ ପୁନର୍ବାର ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ଉଲ୍ଲେଖନୀୟ ଯେ ଭୁଶୁଡ଼ି ପଡ଼ିଥିବା ଛାତ ତଳେ ପ୍ରାୟ ୨ ଘଣ୍ଟା ଧରି ଚାପି ହୋଇ ରହିଥିବା ସାନବୋହୂଙ୍କୁ ଅଗ୍ନିଶମ କର୍ମଚାରୀମାନେ ଉଦ୍ଧାର କରିଥିଲେ। କିନ୍ତୁ ସେତେବେଳକୁ ତାଙ୍କର ମୃତ୍ୟୁ ହୋଇସାରିଥିଲା। ତେବେ ବିସ୍ଫୋରଣ ସମୟରେ ଘର ବାହାରେ ବସିଥିବା ଶାଶୁ ଗାୟତ୍ରୀ ଶ୍ରୀବାସ୍ତବ ଓ ତାଙ୍କର ଛୋଟ ନାତି ଅଳ୍ପକେ ବର୍ତ୍ତି ଯାଇଛନ୍ତି।
ଗ୍ୟାସ ସିଲିଣ୍ଡରର ଲିକ୍ ଯୋଗୁଁ ଲାଗିଥିବା ନିଆଁ ବିସ୍ଫୋରକ ବାରୁଦ ସଂସ୍ପର୍ଶରେ ଆସିବାରୁ ଏହି ଅଘଟଣ ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି। ଗଚ୍ଛିତ ବାଣରେ ନିଆଁ ଲାଗିଯିବାରୁ ବିସ୍ଫୋରଣ ଘଟିଲା ବୋଲି ପଡୋଶୀମାନେ ଅଭିଯୋଗ କରିଛନ୍ତି। ବିସ୍ଫୋରଣରେ ଖଣ୍ଡବିଖଣ୍ଡିତ କୋଠାର ଇଟା ଓ କଂକ୍ରିଟ ମାଡ଼ରେ ପଡୋଶୀ ଘରର ପ୍ରାୟ ୫ ଜଣ ଆହତ ହୋଇଛନ୍ତି। ଆଖପାଖରେ ଥିବା ପ୍ରାୟ ୪୦ରୁ ଅଧିକ ଘର କ୍ଷତିଗ୍ରସ୍ତ ହୋଇଛି। ବିସ୍ଫୋରଣ ପରେ ଲାଗିଥିବା ନିଆଁରେ କୋଠା ସମ୍ମୁଖ କେତେକ ଘରର ଆସବାବପତ୍ର ମଧ୍ୟ ଜଳିଯାଇଛି। ପାଖରେ ଥିବା ଦୁଇଟି କପଡା ଗୋଦାମରେ ନିଆଁ ମଧ୍ୟ ଲାଗିଯାଇଥିଲା।
ଆଜି ମଧ୍ୟାହ୍ନରେ ଏକ ଭୟଙ୍କର ବିସ୍ଫୋରଣର ଶବ୍ଦରେ ହଠାତ୍ ତେଲୁଗୁ ବସ୍ତି ଥରି ଉଠିଥିଲା। ଲୋକେ ପ୍ରଥମେ କିଛି ବୁଝି ପାରି ନ ଥିଲେ। ବିସ୍ଫୋରଣ ପରେ ପ୍ରାୟ ୨ ମିନିଟ୍ ସମଗ୍ର ଅଞ୍ଚଳ ଧୂଆଁମୟ ହୋଇଯାଇଥିଲା। ଜୀବନ ବଞ୍ଚାଇବାକୁ ବସ୍ତିର ଲୋକମାନେ ପିଲାଛୁଆ ଧରି ଯିଏ ଯୁଆଡେ ଦୌଡିଥିଲେ। ବିସ୍ଫୋରଣ ତୀବ୍ରତା ଏତେ ଜୋରଥିଲା ଯେ, ବସ୍ତିଠାରୁ ପ୍ରାୟ ୧ କିଲୋମିଟର ପର୍ଯ୍ୟନ୍ତ ଏହି ଶବ୍ଦ ଶୁଣିବାକୁ ମିଳିଥିଲା। ଧୂଆଁ କମିବା ପରେ ଘର ସବୁ ଭାଙ୍ଗି ଯାଇଥିବା ଲୋକେ ଦେଖିଥିଲେ। ଖବର ପାଇ ୫ଟି ଦମକଳ ସହିତ ଡେପୁଟି ଫାୟାର୍ ଅଫିସର୍ ବିନୋଦ କୁମାର ସିଂ ଓ ଅଗ୍ନିଶମ କର୍ମଚାରୀମାନେ ପହଞ୍ଚି ଉଦ୍ଧାର କାମରେ ଲାଗିଥିଲେ। ବସ୍ତି ଭିତରକୁ ଭଲ ରାସ୍ତା ନ ଥିବାରୁ ଦମକଳ ଗାଡି ଓ ଆମ୍ବୁଲାନ୍ସ ପଶି ପାରି ନ ଥିଲା। ତେଣୁ ଉଦ୍ଧାର କାର୍ଯ୍ୟରେ ବାଧା ସୃଷ୍ଟି ହୋଇଥିଲା। ପରେ ପଶ୍ଚିମାଞ୍ଚଳ ଡିଆଇଜି କବିତା ଜାଲାନ, ଏସ୍ପି ଡ. ଉମାଶଙ୍କର ଦାଶ ଓ ଡିଏସ୍ପି ପି.କେ. ମିଶ୍ର ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ ଆରମ୍ଭ କରିଥିଲେ।
ଗ୍ୟାସ ସିଲିଣ୍ଡରର ଲିକ୍ ଯୋଗୁଁ ଲାଗିଥିବା ନିଆଁ ବାରୁଦ ସଂସ୍ପର୍ଶରେ ଆସିବା ପରେ ବିସ୍ଫୋରଣ ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି। କୋଠା ଭିତରୁ ବିସ୍ଫୋରକ ବାରୁଦର ଗନ୍ଧ ଆସୁଛି। ସେ ବିଷୟରେ ଫରେନ୍ସିକ୍ ଟିମ୍ ଦ୍ୱାରା ତଦନ୍ତ ଚାଲିଛି।