ପ୍ରଚଣ୍ତ ବିସ୍ଫୋରଣରେ ଥରିଲା ଗାଁ; ଆଜ୍‌ବେଷ୍ଟସ୍‌ ଉଡ଼ିଲା, ଜଣେ ଗୁରୁତର

ଡଙ୍ଗା ତିଆରି ପାଇଁ ରାସାୟନିକ ପଦାର୍ଥ ବ୍ୟବହୃତ ହେଉଥିଲା

ବ୍ରହ୍ମଗିରି : ଚିଲିକା କୂଳରେ ଥିବା ଜନବସତି ଭିତରେ କେମିକାଲ ବିସ୍ଫୋରଣ ଯୋଗୁ ଏହାର ପ୍ରଚଣ୍ଡ ଶବ୍ଦରେ ଗାଁ ଥରିଉଠିଛି। ଆଖପାଖ ଏକ କିଲୋମିଟର ମଧ୍ୟରେ ଥିବା ଜନବସତିର ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି। ବିସ୍ଫୋରଣ ହୋଇଥିବା ଘରର ଆଜ୍‌ବେଷ୍ଟସ୍‌ ଭାଙ୍ଗିଯାଇଛି। ଏଥିରେ ଜଣେ ଯୁବକ ଗୁରୁତର ଆହତ ହୋଇ ଭୁବନେଶ୍ବରକୁ ସ୍ଥାନାନ୍ତର ହୋଇଛନ୍ତି। ଘଟଣାସ୍ଥଳରେ ପୁଲିସ ପହ‌ଞ୍ଚି ତଦନ୍ତ କରୁଛି। ଅପରାହ୍ନରେ ବରିଷ୍ଠ ପୁଲିସ ଅଧିକାରୀ ଘଟଣାସ୍ଥଳରେ ପହ‌ଞ୍ଚି ତଦନ୍ତ ଜାରି ରଖିଛନ୍ତି।

ରବିବାର ସକାଳ ପ୍ରାୟ ଦଶଟା ବେଳେ ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ୍ ଅରଖକୁଦା ମେରାଇନ୍‌ ଥାନା ଅରଖକୁଦା ଗାଁର ଲକ୍ଷ୍ମୀନାରାୟଣସାହିରେ ବିସ୍ଫୋରଣର ପ୍ରଭାବ ଅନୁଭୂତ ହୋଇଥିଲା। ଘରଦ୍ବାର ଭାଙ୍ଗି ଯାଇଥିଲା। ବିସ୍ଫୋରଣ ଶବ୍ଦ ଶୁଣି ଗାଁ ଲୋକେ ଘଟଣାସ୍ଥଳରେ ପହଞ୍ଚି ଗାଁର ଉମେଶ ବେହେରା(୨୨)ଙ୍କୁ ଅର୍ଦ୍ଧଦଗ୍‌ଧ ଅବସ୍ଥାରେ ଉଦ୍ଧାର କରିଥିଲେ। ପ୍ରଥମେ ତାଙ୍କୁ ରେବଣାନୂଆଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା। ମାତ୍ର, ଅବସ୍ଥା ଗୁରୁତର ଥିବାରୁ ଭୁବନେଶ୍ବର ଏମ୍‌ସକୁ ସ୍ଥାନାନ୍ତର କରାଯାଇଛି ।

ଯେଉଁ କେମିକାଲ୍‌ରୁ ଏହି ବିସ୍ଫୋରଣ ହୋଇଛି, ତାହା ଫାଇବର ଡଙ୍ଗା ତିଆରିରେ ବ୍ୟବହାର କରାଯାଇଥାଏ। ଅରଖକୁଦା ଗାଁରେ ୧୦ ହଜାର ମତ୍ସ୍ୟଜୀବୀ ପରିବାର ବସବାସ କରିଥା’ନ୍ତି। ସମସ୍ତଙ୍କର ଡଙ୍ଗା ରହିଛି। ଚିଲିକା ଓ ସମୁଦ୍ରରେ ମାଛ ଧରି ଏହି ଗାଁର ଲୋକେ ପରିବାର ପ୍ରତିପୋଷଣ କରିଥା’ନ୍ତି। ଫାଇବର ଡଙ୍ଗା ତିଆରି ଏବଂ ଅନ୍ୟ ଡଙ୍ଗାରେ କୋଟିଂ ଦେବା ପାଇଁ ସ୍ବତନ୍ତ୍ର ରାସାୟନିକ ପଦାର୍ଥ ବ୍ୟବହାର ହୋଇଥାଏ।

ଲକ୍ଷ୍ମୀନାରାୟଣସାହିରେ ଏକ ଘରେ ଏହି ରେସିନ୍‌ ନାମକ କେମିକାଲ ସବୁ ରଖାଯାଇ ପୁରୀର ଜଣେ ବ୍ୟକ୍ତି ତାଲିମପ୍ରାପ୍ତ କର୍ମଚାରୀଙ୍କୁ ନେଇ ଏଠାରେ ଡଙ୍ଗା ତିଆରି କରିଥା’ନ୍ତି। ଏହି ଘରର ଦାୟିତ୍ବରେ ଉମେଶ ରହିଥିବାବେଳେ ଅନ୍ୟ କର୍ମଚାରୀ କେହି ନ ଥିବା ସୂଚନା ମିଳିଛି। ସକାଳୁ ଘର ଖୋଲିବା ପରେ ହଠାତ୍ ବିସ୍ଫୋରଣ ହୋଇଥିବା କୁହାଯାଉଛି। କିଭଳି ଏବଂ କେଉଁ ପରିସ୍ଥିତିରେ ଏହି ବିସ୍ଫୋରଣ ହେଲା ତାହ ସ୍ପଷ୍ଟ ହୋଇନାହିଁ। ଖବର ପାଇ ଅରଖକୁଦା ମେରାଇନ ଥାନା ଦାୟିତ୍ବରେ ଥିବା ବ୍ରହ୍ମଗିରି ଥାନା ଆଇଆଇସି ମନୋଜ କୁମାର ଶତପଥୀ ଘଟଣାସ୍ଥଳରେ ପହ‌ଞ୍ଚି ତଦନ୍ତ ଜାରି ରଖିଛନ୍ତି। ଅପରାହ୍ନରେ ପୁରୀ ସଦର ଏସ୍‌ଡିପିଓ କିଶୋର କୁମାର ମୁଣ୍ତୁ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି।

ଉଲ୍ଲେଖଯୋଗ୍ୟ ଯେ, ପୂବର୍ରୁ ମଧ୍ୟ ଥରେ ଏଭଳି ବିସ୍ଫୋରଣ ଘଟି ୫ ଜଣ ଗୁରୁତର ହୋଇଥିଲେ।

ସମ୍ବନ୍ଧିତ ଖବର