ବିଦ୍ୟୁତ ପ୍ରକଳ୍ପ ପାଇଁ ଖଣି ଖୋଳା : ବ୍ଲାଷ୍ଟିଂରେ ଦୁଲୁକୁଛି ଗାଁ

ପ୍ରଭ‌ାବିତ ଲୋକଙ୍କୁ କ୍ଷତିପୂରଣ ଦେଉନି କମ୍ପାନି, ଜିଲ୍ଲା ପ୍ରଶାସନ ସବୁ ଜାଣି ନିରବ

ସୁନ୍ଦରଗଡ଼ : ସୁନ୍ଦରଗଡ଼ରେ ଏନ୍‌ଟିପିସିର ଡୁଲୁଙ୍ଗା କୋଇଲା ଖଣି ପ୍ରକଳ୍ପ। ଦର୍ଲିପାଲିଠାରେ ସ୍ଥାପିତ ୮ ଶହ ମେଗାୱାଟ ବିଶିଷ୍ଟ ଜାତୀୟ ତାପଜ ବିଦ୍ୟୁତ ପ୍ରକଳ୍ପର ଇନ୍ଧନ ପାଇଁ ଡୁଲୁଙ୍ଗାରେ ଚାଲିଛି ଖଣି ଖୋଳା। ଗାଁ ଶେଷମୁଣ୍ଡରେ ଥିବା ପ୍ରେମଶିଳା ନାମ୍ନୀ ଜଣେ ମହିଳାଙ୍କ ଘରଠାରୁ ମାତ୍ର ୨ ଶହ ମିଟର ଦୂରରେ ଚାଲିଛି ବ୍ଲାଷ୍ଟିଂ। ଦୁଲୁକୁଛି ଗାଁ ଓ ଘର ଦ୍ବାର। ଲୋକେ ଭୟରେ ଥରହର। ରାତିରେ ବ୍ଲାଷ୍ଟିଂ ହେଲେ ଚାଉଁକିନା ନିଦ ଭାଙ୍ଗିଯାଏ, ହଡ଼ବଡ଼େଇ ଉଠି ଘର ବାହାରକୁ ଯିବାକୁ ପଡ଼େ କହନ୍ତି ପ୍ରେମଶୀଳା।

ଗତ ମାର୍ଚ୍ଚ ୨୫ରୁ ଏନ୍‌ଟିପିସି ଡୁଲୁଙ୍ଗା କୋଇଲା ଖଣି ଖୋଳା ଓ କୋଇଲା ଉତ୍ତୋଳନ ଆରମ୍ଭ ହୋଇଥିବା କର୍ତ୍ତୃପକ୍ଷ ଦର୍ଶାଇଛନ୍ତି। କିନ୍ତୁ ପ୍ରକୃତରେ ଖଣି ଖୋଳା ବହୁ ଆଗରୁ ଚାଲିଥିବା ପ୍ରଭାବିତ ଗାଁ ଲୋକେ କହିଛନ୍ତି। ଖଣି ପ୍ରଭାବିତ ଗାଁ ମଧ୍ୟରେ ମଝାପଡ଼ା, ଡୁଲୁଙ୍ଗା, ବେଲଡିହି ଓ ଖପ୍ରିକଛାର ରହିଥିବା ବେଳେ ମଝାପଡ଼ା ଓ ଡୁଲୁଙ୍ଗା ପୂରା ଗାଁଟି ଉଠିଯିବ। ଅନ୍ୟ ଦୁଇ ଗାଁ ବେଲଡିହି ଓ ଖପ୍ରିକଛାରର କେବଳ ଚାଷ ଜମି ଯାଇଛି। ୪ଟି ଗାଁର ୫୦୮ ପ୍ରଭାବିତ ପରିବାରକୁ ଜମି, ଗଛ, କୂଅର କ୍ଷତିପୂରଣ ମିଳି ସାରିଥିବା ବେଳେ ଦୁଇ ଗାଁ ମଝାପଡ଼ା ଓ ଡୁଲୁଙ୍ଗାର ବିସ୍ଥାପିତଙ୍କୁ ଘରବାରିର କ୍ଷତିପୂରଣ ମିଳି ନାହିଁ। କ୍ଷତିପୂରଣ ଦେଲେ ଉଠିବେ ବୋଲି ଅଡ଼ି ବସିଛନ୍ତି ୨ ଗାଁର ୩୧୭ ପରିବାର। କିନ୍ତୁ କମ୍ପାନି କ୍ଷତିପୂରଣ ନଦେଇ ଗାଁ କଡ଼ରୁ ଖଣି ଖୋଳା ଆରମ୍ଭ କରି ଦେଇଛି।
ଘର ପଛ ପଟେ ବ୍ଲାଷ୍ଟିଂ, ତା’ ବି କୌଣସି ନିର୍ଦ୍ଦିଷ୍ଟ ସମୟ କି ନୀତି ନିୟମ ଭିତରେ ନୁହେଁ। ଖଣି କଡ଼ରେ ବ୍ଲାଷ୍ଟିଂ ପାଇଁ ସତର୍କ ଘଣ୍ଟିର ସୂଚନା ଫଳକ ଲାଗିଛି ସତ, ମାତ୍ର ବ୍ଲାଷ୍ଟିଂ ସମୟ ୧ଟାରୁ ୩ଟା ଉଲ୍ଲେଖ ରହିଥିଲେ ବି ତାହା ରାତି ନା ଦିନର ସମୟ ତାହା ସ୍ପଷ୍ଟ ନାହିଁ। ତେଣୁ ରାତି ହେଉ ବା ଦିନ ମନଇଚ୍ଛା ବ୍ଲାଷ୍ଟିଂ କରାଯାଉଥିବା ଡୁଲୁଙ୍ଗା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ବ୍ଲାଷ୍ଟିଂରେ ଲୋକଙ୍କ ଘର ଦ୍ବାର ଫାଟିଲାଣି। ରାତିରେ ଶୋଇଥିବା ବେଳେ ବ୍ଲାଷ୍ଟିଂ ହେଲେ ପ୍ରାଣ ବିକଳରେ ଖଟ ମସିଣା ସହ ପିଲାକବିଲା ଧରି ପଦାକୁ ବାହାରି ଆସୁଥିବା ଗାଁ ଲୋକେ ପ୍ରକାଶ କରିଛନ୍ତି। କେତେବେଳେ ଯେ କି ଅଘଟଣ ନଘଟିବ ତା’ର କୌଣସି ଗ୍ୟାରେଣ୍ଟି ନାହିଁ। ପ୍ରତି ମୁହୂର୍ତ୍ତରେ ମରଣକୁ ସାମ୍ନା କରିବାର ଭୟରେ ଥରୁଛି ସାରା ଗାଁ।

ସେପଟେ କଳାମେଘାଠାରେ ବିସ୍ଥାପିତଙ୍କ ପାଇଁ ପୁନର୍ବାସ କଲୋନି ନିର୍ମାଣ ଚାଲିଛି। ୩୨୦ ଘର ବିଶିଷ୍ଟ ଏହି କଲୋନିରେ ମଝାପଡ଼ାର ୧୧୮ରୁ ୭୨ ପରିବାର, ଡୁଲୁଙ୍ଗାର ୧୯୯ରୁ ୧୩୫ ପରିବାର, ବେଲଡିହିର ୧୦୬ରୁ ୭୮ ପରିବାର, ଖପ୍ରିକଛାରର୮୫ରୁ ୩୫ ପରିବାର ଥଇଥାନ ହେବେ। ଅନ୍ୟମା‌ନେ କ୍ଷତିପୂରଣ ନେଇ ଅନ୍ୟତ୍ର ବସବାସ କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ପୁନର୍ବାସ ଓ ଥଇଥାନ ଯୋଜନାର ଏହି କଲୋନିକୁ ରାଜ୍ୟ ସରକାର ୨୦୧୪ ଜୁଲାଇ ୧୭ରେ ଅନୁମୋଦନ କରିଥିଲେ। ତେବେ ୨୦୧୯ ମାର୍ଚ୍ଚ ଭିତରେ ୩୨୦ରୁ ୨୦୦ ଘର ନିର୍ମାଣ ଶେଷ କରିବାକୁ କମ୍ପାନି ସମୟ ନେଇଥିଲା। ଇତିମଧ୍ୟ‌ରେ ଅଢ଼େଇ ମାସରୁ ଅଧିକ ସମୟ ଅତିକ୍ରମ କରିଗଲାଣି। କଲୋନି ଅଧପନ୍ତରିଆ ହୋଇ ରହିଛି। ସରିବାକୁ ଆହୁରି ୨ରୁ ୩ ମାସ ଲାଗିପାରେ। ଏମିତିରେ ଖଣି ଖୋଳା ପାଇଁ ଆତଙ୍କିତ ଡୁଲୁଙ୍ଗା ଗାଁବାସୀ କୁଆଡ଼େ ଯିବେ ସେ ନେଇ ସେମାନଙ୍କୁ ଚିନ୍ତା ଘାରିଛି। ଘର ତିଆରି ଶେଷ ‌ନ କରି ତରବରିଆ ଭାବେ ଗୃହ ପ୍ରବେଶ ଓ କିଛି ବିସ୍ଥାପିତଙ୍କୁ ଚାବି ହସ୍ତାନ୍ତର କରିଛି କମ୍ପାନି। ଚୁକ୍ତି ମୁତାବକ ସବୁ କିଛି ଠିକ୍‌ଠାକ ଚାଲିଥିବା ଦର୍ଶାଇବା ପାଇଁ କମ୍ପାନି ଏମିତି କରିଥିବା ଚର୍ଚ୍ଚା ହେଉଛି। ଅନ୍ୟପଟେ ଘର ଛାଡ଼ିଲେ ଘରବାରିର କ୍ଷତିପୂରଣ ମିଳିବ ବୋଲି କହୁଛି କମ୍ପାନି। ଲୋକେ ପେଡ଼ିପୁଟୁଳା ବାନ୍ଧି ଘରୁ ବାହାରିଲେ କୁଆଡ଼େ ବାଟରେ ସେମାନଙ୍କୁ କ୍ଷତିପୂରଣ ଚେକ୍‌ ଧରାଇଦେବ କମ୍ପାନି। କିନ୍ତୁ ଏଥିରେ ରାଜି ନୁହନ୍ତି ବିସ୍ଥାପିତ। ଜିଦ୍‌ ଧରିଛନ୍ତି କ୍ଷତିପୂରଣ ମିଳିଲେ ଘର ଛାଡ଼ିବେ। ଏଥିରେ ଦବି ଯାଇନି କମ୍ପାନି। ସିଧାସଳଖ ବ୍ଲାଷ୍ଟିଂ କରି ଖଣି ‌ଖୋଳା ଆରମ୍ଭ କରି ଦେଇଛି। ଘର କଡ଼ରୁ ଖଣି ଖୋଳା ହେଲେ ଲୋକେ ଭୟରେ ଘର ଛାଡ଼ି ପଳାଇବେ। କମ୍ପାନି ପାଇଁ ଏହାଠୁ ବଳି ସହଜ ଉପାୟ ଆଉ କ’ଣ ହୋଇପାରେ?

ସେହିପରି ବିସ୍ଥାପିତ ଓ ଖଣି ପ୍ରଭାବିତ ଗାଁର ଜଣେ ବି ବେକାର ଯୁବକ ଯୁବତୀଙ୍କୁ କମ୍ପାନି ସିଧାସଳଖ ସ୍ଥାୟୀ ନିଯୁକ୍ତି ସୁଯୋଗ ଦେଇ ନାହିଁ। ଏହା ବଦଳରେ ପରିବାରର ୧୮ରୁ ୫୮ ବର୍ଷ ବୟସର ବିବାହିତ ପୁଅ କିମ୍ବା ଅବିବାହିତା ଝିଅଙ୍କୁ ‘ଏ’ରୁ ‘ଏଫ୍‌’ ଗ୍ରେଡ୍‌ ହିସାବରେ ଏକକାଳୀନ ଭାବେ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ଏହା ସହ ଏନ୍‌ୟୁଟିଏ ଯୋଜନାରେ ଜଣକୁ ମାସିକ ୩ ହଜାର ଟଙ୍କା ଭତ୍ତା ଦିଆଯାଉଛି। କିନ୍ତୁ ଏବେ ବି ଅନେକ ପୁଅଝିଅ ଏହି ତାଲିକାରେ ନଥିବା ବେଳେ କିଛି ତାଲିକାରୁ କାଟି ଦିଆଯାଇଥିବା ଅଭିଯୋଗ ହୋଇଛି। ଏ ସମ୍ପର୍କରେ କମ୍ପାନି, ପ୍ରଶାସନକୁ ଗୁହାରି କରିଥିଲେ ପ୍ରଭାବିତ ଗାଁ ଲୋକେ। କିନ୍ତୁ ସବୁ ଜାଣି ବି ଜିଲ୍ଲା ପ୍ରଶାସନ ଆଖି ବୁଜି ଦେବା ବିଡ଼ମ୍ବନା ନିଶ୍ଚୟ।

ସମ୍ବନ୍ଧିତ ଖବର