ପଥରମାଫିଆଙ୍କ କବ୍‌ଜାରେ ରଙ୍ଗୁଆ ପାହାଡ଼, ଦିନରାତି ଫୁଟୁଛି ଡିନାମାଇଟ୍

ନୂଆଗାଁ : ଅହରହ ପାହାଡ଼ରେ ଫୁଟୁଛି ଡିନାମାଇଟ୍। ନିକାଞ୍ଚନ ଜାଗାକୁ କବ୍‌ଜା କରି ମାଫିଆମାନେ ଆଡ଼ା ଜମାଇ ଚଲାଇଛନ୍ତି ବ୍ୟବସାୟ। ପ୍ରତିଦିନ ଏଠାରେ ବ୍ଲାଷ୍ଟିଂ ହୋଇଚାଲିଥିଲେ ମଧ୍ୟ ବିଭାଗ ପାଖରେ ଏହାର ଟିକେ ବି ଖବର ନଥିବା ନେଇ ସନ୍ଦେହ ଦେଖାଦେଇଛି। ଫଳରେ ଲକ୍ଷାଧିକ ଟଙ୍କାର ଜଙ୍ଗଲ ସଂପଦ ନଷ୍ଟ ହେବା ସହ ପରିପୂର୍ଣ୍ଣ ହୋଇ ରହିଥିବା ସୌନ୍ଦର୍ଯ୍ୟ ଧିରେ ଧିରେ କମିବାରେ ଲାଗିଛି।

ଖବରରୁ ପ୍ରକାଶ, ନୟାଗଡ଼ ଜିଲ୍ଲାର ବିଭିନ୍ନ ସ୍ଥାନରେ ଚାଲିଛି ମାଳମାଳ ବେଆଇନ୍ ପଥର ବ୍ଲାଷ୍ଟିଂ। ମାଫିଆମାନେ ସରକାରୀ କର୍ମଚାରୀଙ୍କୁ ହାତବାରିସି କରି ଚଲାଇଛନ୍ତି ଏହି ବ୍ୟବସାୟ। କିଏ ପାହାଡ଼କୁ ନିଜ କବ୍‌ଜାରେ ରଖିଛି ତ ଆଉ କିଏ ସରକାରୀ କର୍ମଚାରୀଙ୍କୁ ହାତ କରି ଲୁଟୁଛନ୍ତି। ଏଭଳି ଭାବରେ ଦୈନିକ ଟ୍ରିପ ଟ୍ରିପ ପଥର ବାହାରକୁ ଚୋରା ଚାଲାଣ ହେଉଛି। ଯଦି କେବେ ଅଭିଯୋଗ ହୁଏ, ତେବେ ଲୋକ ଦେଖାଣିଆ ଭାବେ ଧରପଗଡ଼ କରି ଛାଡ଼ି ଦିଆଯାଉଛି। ନୂଆଗାଁ ତହସିଲ ଅଧୀନରେ ଥିବା ସୋରଡ଼ା ପଞ୍ଚାୟତର ରଙ୍ଗୁଆ ପାହାଡ଼ରେ ଚାଲିଛି ଏଭଳି ବେଆଇନ୍ ପଥର ବ୍ଲାଷ୍ଟିଂ। ଏଠାରେ ମାଫିଆମାନେ ଖୋଲାଖୋଲି ଭାବେ ପାହାଡ଼ ଫଟାଇ ଚଳାଇଛନ୍ତି ବ୍ୟବସାୟ। ଚାରିପଟୁ ଏହି ଅଂଚଳକୁ ପାହାଡ଼ ଘେରି ରହିଥିବା ବେଳେ ମାଫିଆ ଏହାର ବେଶ୍ ଫାଇଦା ଉଠାଉଛନ୍ତି। ପ୍ରତିଦିନ ଏଠାରେ ଶ୍ରମିକମାନଙ୍କୁ ଆଣି ଚିପ୍ସ ଏବଂ ମେଟାଲ କାମରେ ନିୟୋଜିତ କରିଛନ୍ତି। ଡିନାମାଇଟ୍ ଦ୍ବାରା ପାହାଡ଼କୁ ଫୁଟାଇ ୧୫ରୁ ୨୦ ଫୁଟ ଗଭୀର କରାଯାଯାଉଥିବା ଦେଖିବାକୁ ମିଳିଛି। କାର୍ଯ୍ୟରେ ନିୟୋଜିତ ହୋଇଥିବା ଶ୍ରମିକଙ୍କର ଯଦି କିଛି ବି ଅଘଟଣ ହୁଏ, ତେବେ ସେମାନଙ୍କ ପତ୍ତା ମିଳିବା କଷ୍ଟକର ବୋଲି ଅନୁମାନ କରାଯାଉଛି।

ନୂଆଗାଁ ତହସିଲ ଅଧୀନରେ କେବଳ ରଂଗୁଆ ପାହାଡ଼ ନୁହେଁ, ଏଭଳି ଅଧିକାଂଶ ପଥର ଖଣି ଚାଲିଥିବା ଦେଖିବାକୁ ମିଳିଛି। ମାସିକିଆ ଚାନ୍ଦା ନେଇ ତହସିଲ କର୍ମଚାରୀମାନେ ଏଭଳି କାର୍ଯ୍ୟକୁ ପ୍ରଶ୍ରୟ ଦେଉଥିବା ନେଇ ଚର୍ଚ୍ଚା ହେଉଛି। ତେବେ ନୂଆଗାଁ ଅଂଚଳରେ ଚାଲିଥିବା ଖଣି ଉପରେ ରାଜସ୍ବ ବିଭାଗ ଏବଂ ବନ ବିଭାଗର ଅଣଦେଖା ଯୋଗୁଁ ବଢି ଚାଲିଛି ପଥର ବ୍ଲାଷ୍ଟିଂ। ଆଉ କିଛି ପଥରଖଣି ଅନୁମତି ପାଇଥିଲେ ସୁଦ୍ଧା ଲାଇସେନ୍ସର ନବୀକରଣ ହୋଇଛି କି ନାହିଁ ଏବଂ ପରିବେଶ ବିଭାଗର ଅନୁମତି ମିଳିଛି କି ନାହିଁ ସେସବୁର ତଦନ୍ତ ହେଉନଥିବା ଜଣାପଡିଛି। ଯଦି ପଥରଖଣିକୁ ଅନୁମତି ମିଳିଛି, ତେବେ କେତେ ଗଭୀର ପର୍ଯ୍ୟନ୍ତ ପଥର ଫୁଟାଇବାର ନିୟମ ରହିଛି ଅନୁମତି ଦିଆଯାଇଥିବା ଜାଗା ଭିତରେ ପଥରଖଣି ରହିଛି କି ଅଧିକ ଜଙ୍ଗଲ ଜମିକୁ ମାଡ଼ିବସି ପଥର ଫୁଟା ଚାଲିଛି, ସେସବୁର ଖବର ବିଭାଗ ପାଖରେ ନାହିଁ। ଯଦି ମାଫିଆମାନେ ଅଧିକ ଜଙ୍ଗଲ ଜମିକୁ ନଷ୍ଟ କରିଛନ୍ତି, ତେବେ ରାଜସ୍ବ କିମ୍ବା ବନ ବିଭାଗ ସେମାନଙ୍କ ବିରୋଧରେ କି ପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ବୋଲି ପରିବେଶବିତ୍‌ମାନେ ପ୍ରଶ୍ନ ଉଠାଇଛନ୍ତି। ଏଥିପ୍ରତି ଜିଲ୍ଲାପାଳ ଦୃଷ୍ଟି ଦେବା ସହିତ ବେଆଇନ୍ ପଥରଖଣିକୁ ତୁରନ୍ତ ବନ୍ଦ କରନ୍ତୁ ବୋଲି ସ୍ଥାନୀୟ ଲୋକେ କହିଛନ୍ତି। ଏହି ଘଟଣାରେ ନୂଆଗାଁ ତହସିଲଦାରଙ୍କୁ ଯୋଗାଯୋଗ କରିଥିଲେ ମଧ୍ୟ ସେ ଭାବେ ଫୋନ୍ ଉଠାଇ ନଥିଲେ।

ସମ୍ବନ୍ଧିତ ଖବର