ପ୍ରାଣୀସମ୍ପଦ ବିକାଶର ଜ୍ବଳନ୍ତ ଉଦାହରଣ ସୁପ୍ରଭା : ଗୋପାଳନ କରି ଚଳାଉଛନ୍ତି ୫ ପରିବାର

ବୀରମହାରାଜପୁର, (ଯୁଗଳ କିଶୋର ମିଶ୍ର) : ମହିଳା ଦୁର୍ବଳା ନୁହନ୍ତି। ସବୁବେଳେ ମହିଳା ସଶକ୍ତ। ପ୍ରବଳ ଇଚ୍ଛା ଶକ୍ତି ଓ ଦୃଢ଼ ମନୋବଳ ଥିଲେ ଜଣେ ମହିଳା ଅନେକ କିଛି କରିପାରିବେ। ନିଜେ ବଞ୍ଚିବା ସହିତ ଅନ୍ୟମାନଙ୍କ ପାଇଁ ରୋଜଗାରର ମାଧ୍ୟମ ହୋଇପାରିବେ। ଏହାର ଏକ ଜ୍ୱଳନ୍ତ ଉଦାହରଣ ହେଉଛନ୍ତି ସୁପ୍ରଭା ଦାନୀ।

ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ସହର ନିକଟସ୍ଥ ଶୌର ନଗରପଡ଼ାରେ ରୁହନ୍ତି ସୁପ୍ରଭା। ଜଣେ ଉଚ୍ଚଶିକ୍ଷିତା ଗୃହିଣୀ ହୋଇଥିଲେ ମଧ୍ୟ ପ୍ରାଣୀ ସମ୍ପଦର ବିକାଶ କ୍ଷେତ୍ରରେ ଏକ ଉଦାହରଣ ସୃଷ୍ଟି କରିପାରିଛନ୍ତି। ସେ ନିଜସ୍ୱ ଉଦ୍ୟମରେ ୨୦୧୭ ମସିହାରେ ଚାରୋଟି ଗାଈଙ୍କୁ ନେଇ ଆରମ୍ଭ କରିଥିଲେ ତାଙ୍କର ମିସନ। ପ୍ରଥମବର୍ଷ କିଛି ଅସୁବିଧାର ସମ୍ମୁଖୀନ ହୋଇଥିଲେ ବି ପଛକୁ ଚାହିଁନଥିଲେ। ଏହାପରେ ବିଭିନ୍ନ ପ୍ରଜାତିର ଗାଈଙ୍କୁ ନେଇ ଡାଏରି ଫାର୍ମକୁ ମଜବୁତ କରିଥିଲେ। ତାଙ୍କ ଫାର୍ମରେ ଜର୍ସି, ସିବିଜର୍ସି, ଗିର୍ ଓ ହଷ୍ଟ୍ରିୟେନ୍ ପ୍ରଜାତିର ଗାଈ ରଖିଛନ୍ତି। ଆଜି ସୁପ୍ରଭା ଦିନକୁ ୧୧୦ରୁ ୧୨୦ ଲିଟର କ୍ଷୀର ଉତ୍ପାଦନ କରୁଛନ୍ତି। ସୁପ୍ରଭା କ୍ଷୀର ବିକ୍ରି କରିବାରେ କିଛିଟା ଅସୁବିଧାର ସମ୍ମୁଖୀନ ହେଉଥିଲେ ବି ଅଧ୍ୟାପକ ସ୍ୱାମୀ ଅନିଲ ଦାନୀଙ୍କ ସହ ଆଲୋଚନା ପରେ ଆରମ୍ଭ କରିଥିଲେ ଦହି, ପନିର, ଛେନାପୋଡ଼, ରାବିଡି ଓ ଘିଅ ପ୍ରସ୍ତୁତି। ଏସବୁ କାର୍ଯ୍ୟ ଆରମ୍ଭ କଲାପରେ ତାଙ୍କର କ୍ଷୀର ବିକ୍ରି କରିବାରେ ଯେଉଁସବୁ ଅସୁବିଧା ହେଉଥିଲା, ତାହା ଦୂର ହୋଇଯାଇଛି।

କେବଳ ଗୋପାଳନ ନୁହେଁ, ସୁପ୍ରଭା ବିଭିନ୍ନ ପ୍ରକାରର ପନିପରିବା, ଫୁଲ ଓ ଛତୁ ଚାଷ ମଧ୍ୟ କରୁଛନ୍ତି। ସେ ଘର ଆଗରେ ଫୁଲ ବଗିଚା କରିଥିବା ବେଳେ ବାଡ଼ିରେ କିଚେନ ଗାର୍ଡେନ ସୃଷ୍ଟି କରିପାରିଛନ୍ତି। ଫଳରେ ସେ ୫ ପରିବାରକୁ ରୋଜଗାର ମଧ୍ୟ ଦେଇ ପାରୁଛନ୍ତି। ପ୍ରାଣୀ ସମ୍ପଦର ବିକାଶ କ୍ଷେତ୍ରରେ ତାଙ୍କର ଉଲ୍ଲେଖନୀୟ ଯୋଗଦାନ ପାଇଁ ୨୦୧୯ ମସିହା ଜାନୁଆରି ୧୫ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୁପ୍ରଭାଙ୍କୁ ସମ୍ବର୍ଦ୍ଧିତ କରିଥିଲେ।

ସୁପ୍ରଭା କୁହନ୍ତି, ହ୍ରାଇଡ୍ରୋପନିକ ଗ୍ରାସ (ଘାସ) ବିନା ମାଟିରେ ହୋଇପାରିବ। ଏହାକୁ ମକା ବସ୍ତା ଭିତରେ ଦେଇ ୨୪ ଘଣ୍ଟା ପର୍ଯ୍ୟନ୍ତ ପାଣିରେ ଭିଜାଇ ଦିଆଯାଇଥାଏ। ତାକୁ କାଢ଼ି ଆଉ ଏକ ବସ୍ତାରେ ୨ ଦିନ ଖୋଲା ସ୍ଥାନରେ ରଖାଯାଇଥାଏ। ତା’ପରେ ଗୋଟିଏ ଗୋଟିଏ ଟ୍ରେ’ରେ ଏକ କିଲୋ ଲେଖାଏଁ ମଞ୍ଜି ଥୋଇ ଦିଆଯାଇଥାଏ। ଆଠ ଦିନ ମଧ୍ୟରେ ଘାସ ବାହାରି ଯାଇଥାଏ। ଅନ୍ୟ ଗୃହିଣୀଙ୍କୁ ତାଙ୍କର ପରାମର୍ଶ ହେଲା ଗୃହିଣୀମାନେ ଘରେ ରହି ଗୋପାଳନ ଓ ଛତୁଚାଷ କରିପାରିବେ। ଏହାଦ୍ୱାରା ଘରର ଆର୍ଥିକ ପରିସ୍ଥିତିକୁ ସୁଧାରି ପାରିବେ। ଏଥିସହିତ ସେମାନେ ଶାରୀରିକ ଓ ମାନସିକ ଦୃଷ୍ଟିକୋଣରୁ ସୁସ୍ଥତା ଅନୁଭବ କରି ପାରିବେ। ସୁପ୍ରଭା ଦାନୀ ଏବେ ଗାୟତ୍ରୀ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀର ସଭାନେତ୍ରୀ ଭାବରେ ମଧ୍ୟ ଦକ୍ଷତାର ସହିତ କାର୍ଯ୍ୟ କରୁଛନ୍ତି।

ସମ୍ବନ୍ଧିତ ଖବର