ଅନୁଗୁଳ, ଢେଙ୍କାନାଳ ଓ ଦେବଗଡ଼ ଜିଲ୍ଳାରେ ଆଭାସୀ ଜରିଆରେ ବସ୍‌ ସେବାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ୩ ଜିଲ୍ଲାରେ ସମୁଦାୟ ୧୧୭ ବସ୍ ଚଳାଚଳ କରିବା ଲାଗି ଲକ୍ଷ୍ୟ ରଖିଛନ୍ତି ସରକାର। ୫୦୭ ଗ୍ରାମ ପଞ୍ଚାୟତର ୨୮ଲକ୍ଷ ଲୋକ ଏହାଦ୍ବାରା ଉପକୃତ ହେବେ। ଏହି ଜିଲ୍ଲାଗୁଡ଼ିକରେ ପର୍ଯ୍ୟଟନ, ପରିବହନ ଓ ସ୍ଥାନୀୟ ଲୋକଙ୍କ ମଧ୍ୟରେ ରୋଜଗାର ବଢ଼ାଇବା କ୍ଷେତ୍ରରେ ଏହାର ଅବଦାନ ଉଲ୍ଲେଖନୀୟ ରହିବ। ସ୍ଥାନୀୟ ଅର୍ଥନୀତିକୁ ସମୃଦ୍ଧି କରିବାରେ ମଧ୍ୟ ଏହା ସହାୟକ ହେବ। ଅନୁଗୁଳ ଜିଲ୍ଲାର ୨୨୫ ଗ୍ରାମ ପ୍ରଞ୍ଚାୟତ ଓ ୮ ବ୍ଲକ୍‌ରେ ଯୋଗାଯୋଗ ବ୍ୟବସ୍ଥାକୁ ସୁଦୃଢ଼ କରିଛି ଲକ୍ଷ୍ମୀ ବସ୍‌। ବ୍ଲକ୍ ଭିତରେ ଯୋଗାଯୋଗ ବ୍ୟବସ୍ଥାରେ ଉନ୍ନତି ଆଣିବା ପାଇଁ ୨୮ଟି ଅଣ-ଏସି ବସ୍ ଯୋଗାଇ ଦେଇଛନ୍ତି ସରକାର। ସେହିଭଳି ଜିଲ୍ଲାସ୍ତର ପର୍ଯ୍ୟନ୍ତ ଏହି ସେବା ପହଞ୍ଚାଇବା ଲାଗି ୬ଟି ଏସି ବସ୍ ଯୋଗାଇ ଦିଆଯାଇଛି। ଏହାଦ୍ବାରା ଜିଲ୍ଲାର ୧୨ଲକ୍ଷ ଲୋକ ସିଧାସଳଖ ଉପକୃତ ହେବେ।

Advertisment

ସେହିପରି ଢେଙ୍କାନାଳ ଜିଲ୍ଲା ମଧ୍ୟ ଏହି ଯୋଜନାରେ ଉପକୃତ ହେବ। ଜିଲ୍ଲାର ୧୨୩୭ ଗାଁ ଓ ୨୧୨ ଗ୍ରାମ ପଞ୍ଚାୟତରେ ଯାତାୟତ ବ୍ୟବସ୍ଥାକୁ ସୁଦୃଢ଼ କରିବ ଲକ୍ଷ୍ମୀ ବସ୍‌ ସେବା। ଜିଲ୍ଲାର ୧୩ଲକ୍ଷ ଲୋକଙ୍କ ପାଇଁ ବ୍ଲକସ୍ତରରେ ଗମନାଗମନ ସେବାକୁ ଆହୁରି ସହଜ କରିବା ପାଇଁ ୫୫ଟି ଅଣ ଏସି ବସ୍‌ର ବ୍ୟବସ୍ଥା କରାଯାଇଛି। ସେହିଭଳି ଜିଲ୍ଲାସ୍ତରରେ ଯୋଗାଯୋଗ ବ୍ୟବସ୍ଥାର ଉନ୍ନତି ଆଣିବ ଲକ୍ଷ୍ମୀ ବସ୍‌। ଏଥିଲାଗି ୭ଟି ଏସି ବସ୍‌କୁ ସାମିଲ କରାଯାଇଛି। ପର୍ଯ୍ୟଟନ ଦୃଷ୍ଟିରୁ ରାଜ୍ୟ ପାଇଁ ଅତି ଗୁରୁତ୍ବପୂର୍ଣ୍ଣ ହେଉଛି ଦେବଗଡ଼ ଜିଲ୍ଲା। ରାଜ୍ୟ ସରକାର ଏହି ଜିଲ୍ଲାରେ ମଧ୍ୟ ଲକ୍ଷ୍ମୀ ବସ୍‌ ସେବାର ଶୁଭାରମ୍ଭ କରିଛନ୍ତି। ଜିଲ୍ଲାର ୩ଲକ୍ଷ ଲୋକଙ୍କ ଗମନାଗମନ ବ୍ୟବସ୍ଥାରେ ଏହି ସେବା ସୁଧାର ଆଣିବ। ୭୦ଟି ଗ୍ରାମ ପଞ୍ଚାୟତ ବସ୍‌ ସେବାରେ ଯୋଡ଼ି ହୋଇଯିବ। ବ୍ଲକସ୍ତରରେ ଯୋଗାଯୋଗ ବ୍ୟବସ୍ଥାରେ ରୂପାନ୍ତର ପାଇଁ ସରକାର ୧୭ଟି ଅଣ ଏସି ବସ୍ ଯୋଗାଇ ଦେଇଛନ୍ତି। ଅନ୍ୟପକ୍ଷରେ ଜିଲ୍ଲାକୁ ସଂଯୋଗ ପାଇଁ ୪ଟି ଏସି ବସ୍‌ର ବ୍ୟବସ୍ଥା କରାଯାଇଛି।

ମାଲକାନଗିରିରେ ଗଡ଼ୁଛି ୩୬ବସ୍‌ ୧୧୧ଟି ପଞ୍ଚାୟତକୁ ଯୋଡ଼ୁଛି ଲକ୍ଷ୍ମୀ
ମାଲକାନଗିରିକୁ ବିକାଶର ଲଞ୍ଚ ପ୍ୟାଡ୍‌ ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବ୍ୟବହାର କରି ଆସୁଛନ୍ତି। ଏକ ଟଙ୍କିଆ ଚାଉଳ, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ପରି ଅନେକ ଗୁରୁତ୍ବପୂର୍ଣ୍ଣ ଯୋଜନା ସେ ମାଲକାନଗିରିରୁ ହିଁ ଆରମ୍ଭ କରିଥିଲେ। ଏହି କ୍ରମରେ ଲକ୍ଷ୍ମୀ ବସ୍‌ ବି ପ୍ରଥମେ ମାଲକାନଗିରିରୁ ଗଡ଼ିଲା। ମୁ୍ଖ୍ୟମନ୍ତ୍ରୀ ନିଜେ ଏହି ଯୋଜନାର ଶୁଭାରମ୍ଭ କରିବା ସହିତ ବସ୍‌ରେ ୧୦ ଟଙ୍କା ଦେଇ ପ୍ରଥମ ଟିକେଟ୍‌ କିଣିଥିଲେ। ଏଥିସହିତ ମାଲକାନଗିରିରୁ ଏମ୍‌ଭି-୦୩ ଯାଏ ଯାତ୍ରା କରିଥିଲେ। ମାଲକାନଗିରିରେ ଏବେ ୩୬ଟି ବସ୍‌ ଗଡ଼ୁଛି। ୧୧୧ଟି ପଞ୍ଚାୟତକୁ ପରିବହନ ସେବା ଯୋଡ଼ିବାରେ ଏହି ଯୋଜନା ଏବେ ସହାୟକ ହୋଇଛି। ଏସବୁ ପଞ୍ଚାୟତରେ ବିକାଶର ନୂଆ ଧାରା ଆରମ୍ଭ ହୋଇଥିବା ସରକାର କହିଛନ୍ତି।

publive-image

ରାୟଗଡା : ୫୨ଟି ବସ୍‌ ୧୮୨ଟି ପଞ୍ଚାୟତକୁ ଯୋଡିବ
ରାୟଗଡା ଜିଲ୍ଲାରେ ଲକ୍ଷ୍ମୀ ବସ୍‌ ଯୋଜନା ଆରମ୍ଭ ହୋଇଛି। ଏହି ଯୋଜନାରେ ଜିଲ୍ଲାରେ ୫୨ଟି ବସ୍‌ ଚାଲିଛି ଏବଂ ସବୁ ପଞ୍ଚାୟତକୁ ବସ୍‌ ଗଡ଼ୁଛି। ଜିଲ୍ଲାର ସମସ୍ତ ୧୮୨ଟି ପଞ୍ଚାୟତକୁ ବସ୍‌ ଚଳାଚଳ ଗୋଟିଏ ଛୋଟିଆ ଉପଲବ୍ଧି ନୁହେଁ। ଏଥିପାଇଁ ୩୦୦ଟି ବସ୍‌ ରହଣୀସ୍ଥଳ କରିଛନ୍ତି ସରକାର। ଗାଁ ଲୋକଙ୍କ ଜୀବନରେ ଗତି ଓ ପ୍ରଗତି ଆଣିବା କ୍ଷେତ୍ରରେ ଲକ୍ଷ୍ମୀ ବସ୍ ଯୋଗଦାନ ରହିବ। ଏତେ ବଡ଼ ଯୋଜନା ସଂପର୍କରେ ସରକାର କୁହନ୍ତି ଯେ ଯୋଗାଯୋଗ ହେଉଛି ବିକାଶର ଇଞ୍ଜିନ। ଏହା ସ୍ଥାନୀୟ ପରିବହନ ବ୍ୟବସ୍ଥାକୁ ସୁଦୃଢ କରିଛି ଏବଂ ପର୍ଯ୍ୟଟନ ତଥା ଆଞ୍ଚଳିକ ଆର୍ଥିକ ବ୍ୟବସ୍ଥାକୁ ପ୍ରୋତ୍ସାହିତ କରିଛି। ଯେହେତୁ ପଞ୍ଚାୟତ ଗୁଡିକ ହେଉଛି ମୋ ସରକାରର ବିକାଶ କାର୍ଯ୍ୟକ୍ରମର ମୁଖ୍ୟ ଫୋକସ୍,ଏଣୁ ସବୁ ପଞ୍ଚାୟତରେ ରୂପାନ୍ତର ଆଣି ସାରା ଓଡିଶାର ରୂପାନ୍ତର କରିବା ଲାଗି ସରକାର ଲକ୍ଷ୍ୟ ରଖିଛନ୍ତି।

ମାର୍ଗଶୀର ଗୁରୁବାରରେ ନବରଙ୍ଗପୁରରେ ଲକ୍ଷ୍ମୀ
ନବରଙ୍ଗପୁର ଜିଲ୍ଲାରେ ଲକ୍ଷ୍ମୀ ବସ୍ ଯୋଜନାର ଶୁଭାରମ୍ଭ ମାର୍ଗଶୀର ମାସ ପ୍ରଥମ ଗୁରୁବାର ହିଁ କରାଯାଇଥିଲା। ନବରଙ୍ଗପୁରରେ ଏହି କାର୍ଯ୍ୟକ୍ରମ ଜିଲ୍ଲାର ୧୦ଟି ବ୍ଲକର ସବୁ ପଞ୍ଚାୟତକୁ ଯୋଡ଼ିଛି। ସରକାର ଏଠାରେ ୪୪ଟି ବସ୍ ଚଳାଇଛନ୍ତି। ନବରଙ୍ଗପୁରରେ ଉଦ୍‌ଘାଟନ ବେଳେ ଜିଲ୍ଲାବାସୀଙ୍କୁ ମୁଖ୍ୟମନ୍ତ୍ରୀ କହିଲେ ଯେ ଦୁର୍ଗମ ଅଞ୍ଚଳରେ ଗମନାଗମନ ଏକ ବଡ ସମସ୍ୟା। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଜିଲ୍ଲାଗସ୍ତରୁ ଲୋକଙ୍କ ଯିବା ଆସିବାର ଅସୁବିଧା ବିଷୟରେ ମୁଁ ଜାଣିବା ପରେ ଆମର ଏହି ଲକ୍ଷ୍ମୀ ଯୋଜନା ଆରମ୍ଭ କରାଗଲା। ଲକ୍ଷ୍ମୀ ଯୋଜନାରେ ଗମନାଗମନ ଓ ପରିବହନ ବ୍ୟବସ୍ଥାରେ ଆପଣଙ୍କ ଗାଁ ଏବେ ଯୋଡି ହେଲା। ଏହା ଦ୍ୱାରା ଗ୍ରାମାଞ୍ଚଳରେ ସାମାଜିକ ସଂପର୍କ ମଜବୁତ୍ ହେବା ସହିତ ଅର୍ଥନୀତି ମଧ୍ୟ ଆହୁରି ସୁଦୃଢ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ସରକାରଙ୍କ ଏହି ଯୋଜନା ପଛର ଉଦ୍ଦେଶ୍ୟ ହେଉଛି, ଲକ୍ଷ୍ମୀ ବସ୍ ଯୋଗୁ ସମସ୍ତେ ସୁବିଧାରେ ନିଜ କାମରେ ବିଭିନ୍ନ ଜାଗାକୁ ଯାଇପାରିବେ। ଏହା ଦ୍ୱାରା ସାମାଜିକ, ଅର୍ଥନୈତିକ ବିକାଶ ଘଟିବ। ଏହା ମାଧ୍ୟମରେ ଘରକୁ ମା’ ଲକ୍ଷ୍ମୀ ଆସିବେ ଓ ଘରେ ଘରେ ଖୁସି ଓ ଆନନ୍ଦ ଆଣିବା ଦିଗରେ ଏହା ବଡ଼ ଯୋଗଦାନ ରଖିବ। ଏଇଥିପାଇଁ ଯେ ଯୋଗାଯୋଗ ହେଉଛି ବିକାଶର ଆଧାର। ଲକ୍ଷ୍ମୀ ଯୋଜନା ସମସ୍ତଙ୍କୁ ବିକାଶ ସହିତ ଯୋଡିବ। ଗମନାଗମନ ଓ ପରିବହନ ବ୍ୟବସ୍ଥାରେ ଏହା ରୂପାନ୍ତର ଆଣିବ। ଗାଁ କୁ ଗାଁ ସହିତ ଯୋଡିବ। ଘର ପାଖକୁ ଆସିବ ବସ୍। ପିଲାଙ୍କୁ ସ୍କୁଲ କଲେଜ ସହିତ ଏବଂ ଚାଷୀଙ୍କୁ ମାର୍କେଟ ସହିତ ଯୋଡିବ। ରୋଗୀଙ୍କୁ ହସ୍ପିଟାଲ ଯିବା ପାଇଁ ସୁବିଧା ହେବ। ଗମନାଗମନ କ୍ଷେତ୍ରରେ ସୁବିଧା ଯୋଗାଇ ଦେଇ ବିଭିନ୍ନ କାମରେ ଲକ୍ଷ୍ମୀ ବସ୍ ହେବ ସାରଥି।

publive-image

ଗଜପତି ଜିଲ୍ଲାରେ ପରିବହନ ବ୍ୟବସ୍ଥାରେ ରୂପାନ୍ତର
ଗଜପତି ଜିଲ୍ଲାରେ ୩୬ଟି ବସ୍‌ ଗଡ଼ୁଛି। ଜିଲ୍ଲାର ୭ଟି ବ୍ଲକର ୧୨୬ଟି ପଞ୍ଚାୟତକୁ ବସ୍‌ ସୁବିଧା ପ୍ରଦାନ କରାଯାଇଛି। ଏହି ଯୋଜନା ପାଇଁ ଗଜପତିରେ ୬୯ଟି ନୂଆ ବସ୍ ରହଣୀସ୍ଥଳ ତିଆରି କରିଛନ୍ତି ସରକାର। ପୂର୍ବରୁ ଥିବା ୬୪ଟି ବସ୍ ରହଣୀସ୍ଥଳର ମଧ୍ୟ ଉନ୍ନତୀକରଣ କରାଯାଇଛି। ଲକ୍ଷ୍ମୀ ଯୋଜନା ମାଧ୍ୟମରେ ଏସବୁ ପଞ୍ଚାୟତରେ ବିକାଶର ନୂଆ ଧାରା ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭାଷାରେ, ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଜିଲ୍ଲାଗସ୍ତ ସମୟରେ ଲୋକଙ୍କ ଯିବା ଆସିବାର ଅସୁବିଧା ବିଷୟରେ ଜଣାପଡ଼ିଲା। ଏକଥା ସେ ଜାଣିବା ପରେ ଲକ୍ଷ୍ମୀ ଯୋଜନା ଆରମ୍ଭ କରିଥିଲେ। ରାଜ୍ୟର ଗମନାଗମନ ଓ ପରିବହନ ବ୍ୟବସ୍ଥାରେ ଏହା ରୂପାନ୍ତର ଆଣିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଏହାସହିତ ଏହି ବସ୍‌ ସେବା ଗାଁ କୁ ଗାଁ ସହିତ ଯୋଡିବ। ଫଳରେ ଲୋକଙ୍କ ସାମାଜିକ ସମ୍ପର୍କ ମଜବୁତ୍ ହେବ। ଓଡ଼ିଶାର ଅର୍ଥନୀତି ମଧ୍ୟ ସଶକ୍ତ ହେବ ବୋଲି ପ୍ରକାଶ।
କୋରାପୁଟରେ ଉପକୃତ ହେବେ ୧୩ ଲକ୍ଷ ଲୋକ
କୋରାପୁଟରେ ୬୩ଟି ବସ୍ ଜିଲ୍ଲାର ୨୩୪ ପଞ୍ଚାୟତକୁ ଯୋଡ଼ିଛି ଲକ୍ଷ୍ମୀ ବସ୍‌। ଜିଲ୍ଲାର ୧୩ଲକ୍ଷ ଲୋକ ଏହାଦ୍ବାରା ଉପକୃତ ହୋଇଛନ୍ତି। ଏହା ଦ୍ବାରା ଅନେକ ଅପହଞ୍ଚ ଅଞ୍ଚଳକୁ ଗମନାଗମନ ଲାଗି ଦୈନନ୍ଦିନ ଅସୁବିଧା ଦୂର ହେବା ସହିତ ଲୋକମାନେ କମ୍ ଖର୍ଚ୍ଚରେ ଯିବାଆସିବା ସୁବିଧା ପାଇପାରିଛନ୍ତି। ବିଶେଷକରି ଲକ୍ଷ୍ମୀ ବସ୍‌ ସମସ୍ତଙ୍କୁ ଯୋଡିବା କାମରେ ଲାଗିଛି। ପିଲାମାନଙ୍କୁ ସ୍କୁଲ କଲେଜ ନେବା ସହିତ ରୋଗୀକୁ ହସ୍ପିଟାଲ ନେବା କ୍ଷେତ୍ରରେ ଏହା ସହାୟକ ହୋଇଛି। ଏଥିସହିତ ଚାଷୀକୁ ମାର୍କେଟ ସହିତ ଯୋଡିବା ଏବଂ ମା’ମାନଙ୍କୁ ବିଭିନ୍ନ କାର୍ଯ୍ୟରେ ଯିବାଆସିବା ପାଇଁ ସୁବିଧା ହୋଇଛି। ସମସ୍ତଙ୍କ ପାଇଁ ଲକ୍ଷ୍ମୀ ବସ୍‌ ଏକ ଆଶୀର୍ବାଦ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‌ଘାଟନ କରିବା ବେଳେ ସୂଚନା ଦେବା ସହିତ ଲକ୍ଷ୍ମୀ ବସ୍‌ ବିକାଶର ଆଲୋକକୁ ଆହୁରି ଉଜ୍ଜଳ କରିଛି ବୋଲି କହିଥିଲେ। ଉଦ୍‌ଘାଟନ ଅବସରରେ ୫ଟି ତଥା ନବୀନ ଓଡିଶା ଅଧ୍ୟକ୍ଷ ଭି.କେ. ପାଣ୍ଡିଆନ କହିଥିଲେ ଯେ ଲକ୍ଷ୍ମୀ ଯୋଜନାର ବସ୍‌ ରାଜ୍ୟବାସୀଙ୍କ ଟଙ୍କାରେ କିଣା ଯାଇଛି। ତେଣୁ ଏହାକୁ ନିଜ ସମ୍ପତ୍ତି ଭାବି ଏହାର ଉପଯୁକ୍ତ ରକ୍ଷଣାବେକ୍ଷଣ କରିବା ଦରକାର।