ଗୁଣିଗାରେଡ଼ି ସନ୍ଦେହରେ ୬ ମାସ ହେଲା ବାସନ୍ଦ

ଷ୍ଟେସନ୍‌, ବସ୍‌ଷ୍ଟାଣ୍ଡରେ କଟୁଛି ୬ ପ୍ରାଣୀଙ୍କ ରାତି, କୋର୍ଟ ନିର୍ଦ୍ଦେଶ ବି କାର୍ଯ୍ୟକାରୀ ହେଉନି

ଜଗନ୍ନାଥପ୍ରସାଦ : ଅନ୍ଧବିଶ୍ବାସର ବଶବର୍ତ୍ତୀ ହୋଇ ଗୁଣିଗାରେଡି ସନ୍ଦେହରେ ଗ୍ରାମବାସୀ ଦୀର୍ଘ ୬ ମାସ ହେଲା ଖଦାଳ ଗୌଡ଼ ନାମକ ଜଣେ ବ୍ୟକ୍ତିଙ୍କ ପରିବାରକୁ ବାସନ୍ଦ କରି ଦେବା ପରେ ସେମା‌ନଙ୍କ ଜୀବନ ଯେମିତି ଦୁର୍ବିସହ ପାଲଟିଛି। ନ୍ୟାୟ ପାଇଁ ଏବେ ଖଦାଳଙ୍କ ପରିବାର ଲୋକେ ରାଜ୍ୟ ସରକାରଙ୍କଠୁ ଆରମ୍ଭ କରି ଜିଲ୍ଲା ପ୍ରଶାସନର ଦ୍ବାରସ୍ଥ ହେବା ସହ ବାର ଦୁଆର ବୁଲୁଛନ୍ତି। ଏଭଳି ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ବ୍ଲକ ଝାଡ଼ଭୂମି ପଞ୍ଚାୟତର ନୂଆ ଗୋଚ୍ଛାବାଡ଼ି ଗ୍ରାମରେ।

୨୦୧୬ ମସିହାରେ ଗ୍ରାମର କିଛି ଲୋକ ଦୁରାରୋଗ୍ୟରେ ଆକ୍ରାନ୍ତ ହୋଇଥିଲେ। ଏଥିରେ ଦୁଇଜଣଙ୍କ ମୃତ୍ୟୁ ବି ହୋଇଥିଲା। ବିଭିନ୍ନ ସ୍ଥାନରେ ଚିକିତ୍ସା ପରେ କିଛି ଲୋକ ସୁସ୍ଥ ହେଲେ। ତେବେ ଏହି ରୋଗ ଗୁଣିଗାରେଡି ଯୋଗୁଁ ବ୍ୟାପିଥିବା ଗ୍ରାମବାସୀ ସନ୍ଦେହ କରି ସଭା ଡାକି ଥିଲେ। ଶେଷରେ ଖଟବିଦ୍ୟା ଡକାଯାଇଥିଲା। ଖବର ଜାଣି ପୁଲିସ ପହଞ୍ଚିବା ପରେ ବି ଏହାକୁ ରୋକିରେ ବିଫଳ ହୋଇଥିଲା। ଖଟବିଦ୍ୟା ଗାଁର ଆଠ ଜଣକୁ ଚିହ୍ନଟ କରିବା ପରେ ସେମାନଙ୍କଠୁ ମୋଟ ୧୩ ଲକ୍ଷ ଟଙ୍କା ଜରିମାନା ଆଦାୟ ହୋଇଥିଲା। ସେମାନଙ୍କ ଭିତରେ ଖଦାଳ ବି ଦେଢଲକ୍ଷ ଟଙ୍କା ଜରିମାନା ଦେଇଥିଲେ। ଗାଁରେ ଶାନ୍ତି ବି ଫେରିଥିଲା।

ହେଲେ ୨୦୧୮ ମସିହା ଡିସେମ୍ବର ମାସରେ ଗ୍ରାମର ମାମି ଗୌଡ଼ ନାମକ ଜଣେ ମହିଳାଙ୍କ ସ୍ବାମୀ ସନ୍ତୋଷ ଜମ୍ମୁକଶ୍ମୀରରେ ମୃତ୍ୟୁବରଣ କରିଥିଲେ। ତେବେ କୌଣସି ରୋଗରୁ ନୁହଁ, ବରଂ ଖଦାଳ ଓ ତାଙ୍କ ପତ୍ନୀ ଗୁଣିଗାରେଡି କରି ସନ୍ତୋଷଙ୍କୁ ମାରିଛନ୍ତି ବୋଲି ମାମି ଗାଁରେ ଅଭିଯୋଗ ଆଣିଥିଲେ। ଫଳରେ ପୁଣି ଗ୍ରାମସଭା ଡକାଯାଇ ମାମି ଓ ଖଦାଳଙ୍କୁ ପକ୍ଷ ରଖାଗଲା। କିନ୍ତୁ ସଭାକୁ ଖଦାଳ ନଆସି ଗାଁ ଛାଡ଼ି ପଳାଇଥିଲେ। ଆଉ ଖଦାଳଙ୍କ ପରିବାରକୁ ଗ୍ରାମରୁ ବାସନ୍ଦ କରାଯାଇ ତାଙ୍କ ଘରକୁ କୋଠରେ ମିଶାଇ ଦେବାକୁ ନିଷ୍ପତ୍ତି ନିଆଯାଇଥିଲା।

ଡିସେମ୍ବର ୨୦ ତାରିଖ ରାତିରେ ଶତାଧିକ ଗ୍ରାମବାସୀ ଖଦାଳଙ୍କ ପରିବାରବର୍ଗଙ୍କୁ ଘରୁ ବାହାର କରି ଚାବି ପକାଇ ଗାଁରୁ ତଡ଼ିଦେଲେ। ଏହା ଭିତରେ ଦେଖୁ ଦେଖୁ ୬ ମାସରୁ ଅଧିକ ସମୟ ବିତିସାରିଲାଣି। ହେଲେ ଖଦାଳ ତାଙ୍କ ପରିବାରକୁ ନେଇ ନ୍ୟାୟ ଆଶାରେ ଚାରିଆଡ଼େ ଘୁରି ବୁଲୁଛନ୍ତି। ଖଦାଳ ଏହି ଦୁର୍ଦ୍ଦିନ ସମୟରେ ପତ୍ନୀ, ବଡ଼ପୁଅ, ବୋହୂ ଓ ନାତୁଣୀକୁ ନେଇ ଜଗନ୍ନାଥପ୍ରସାଦ ଥାନା, ଗଂଜାମ ଜିଲ୍ଲାପାଳ,ଏସପି, ଏଚଆରପିସି, ମହିଳା କମିସନ ଓ ପୁଲିସ ଡିଜିଙ୍କ ନିକଟରେ ଅଭିଯୋଗ କରିସାରିଛନ୍ତି। କିନ୍ତୁ ନ୍ୟାୟ ନପାଇ ଗତ ମାର୍ଚ୍ଚ ମାସ ୮ ତାରିଖରେ ଖଦାଳ ଉଚ୍ଚତମ ନ୍ୟାୟାଳୟର ଦ୍ବାରସ୍ଥ ହୋଇଥିଲେ। ପରିବାରକୁ ସୁରକ୍ଷା ଦେବା ସହ ଗ୍ରାମରେ ୧୫ ଦିନ ଭିତରେ ଥଇଥାନ୍ କରିବା ଦିଗରେ ପଦକ୍ଷେପ ନେବାକୁ ଗୃହ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ। ଦୁଇ ମାସ ପୂରିଯାଇଥିଲେ ମଧ୍ୟ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନିଆ ନଯିବାରୁ ଗତ ୧୦ ତାରିଖରେ ଖଦାଳ ତାଙ୍କ ପରିବାର ସହ ଛତ୍ରପୁର ଠାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସାମ୍ନାରେ ଧାରଣା ଦେଇଥିଲେ। ଖଦାଳଙ୍କ ପରିବାରକୁ ଥଇଥାନ କରିବା ଦିଗରେ ପଦକ୍ଷେପ ନେବାକୁ ଜିଲ୍ଲାପାଳ ଭଞ୍ଜନଗର ଉପଜିଲ୍ଲାପାଳ, ଜଗନ୍ନାଥପ୍ରସାଦ ତହସିଲଦାର ଓ ଜଗନ୍ନାଥପ୍ରସାଦ ଥାନା ଅଧିକାରୀଙ୍କ ମର୍ମରେ ନିର୍ଦ୍ଦେଶ ଦେଇଥିଲେ।

ତଥାପି କୌଣସି ସୁଫଳ ନମିଳିବାରୁ ଖଦାଳ ତାଙ୍କ ପରିବାରର ପାଞ୍ଚ ପ୍ରାଣୀ ସହ ସହ ଗତ ଡିସେମ୍ବର ମାସରୁ କଟକ, ଭୁବନେଶ୍ୱର, ଛତ୍ରପୁର, ବ୍ରହ୍ମପୁର, ଭଂଜନଗର ବସଷ୍ଟାଣ୍ଡ ଓ ବ୍ରହ୍ମପୁର ଷ୍ଟେସନରେ ରାତି କାଟୁଛନ୍ତି। ଆମ ଦୁଃଖ କେହି ନଶୁଣିଲେ ଭୋକ ଉପବାସରେ ଏମିତି ମରିଯିବୁ ବୋଲି ଖଦାଳ କୋହଭରା କଣ୍ଠରେ କହିଛନ୍ତି।

ସମ୍ବନ୍ଧିତ ଖବର