ରାଜଗାଙ୍ଗପୁର : ଅନ୍ଧବିଶ୍ୱାସର ଏକ ଜ୍ଵଳନ୍ତ ଉଦାହରଣ ରାଜଗାଙ୍ଗପୁର ବ୍ଲକ୍ର କୁକୁଡ଼ା ଗ୍ରାମରେ ଦେଖିବାକୁ ମିଳିଛି। ଡାକ୍ତରଙ୍କ ମୃତ ଘୋଷଣା ପରେ ମଧ୍ୟ ଶବକୁ ବଞ୍ଚାଇବାକୁ ଲୋକେ ଝଡ଼ାଫୁଙ୍କା କରୁଛନ୍ତି। ଆଧୁନିକ ଯୁଗରେ ମଧ୍ୟ ଲୋକେ ଆନ୍ଧବିଶ୍ୱାସ ଉପରେ ଗୁରୁତ୍ୱ ଦେଉଛନ୍ତି। ରାଜଗାଙ୍ଗପୁର କୁକୁଡ଼ା ଗ୍ରାମର ଆଇଲିନ କେର୍କେଟାଙ୍କୁ ବୁଧବାର ବିଳମ୍ବିତ ରାତିରେ ସାପ କାମୁଡ଼ିଥିଲା। ସେଠାରେ ତାଙ୍କର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ପରିବାର ଲୋକ ରାଜଗାଙ୍ଗପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ସେଠାରେ ପ୍ରାଥମିକ ଚିକିତ୍ସା ପରେ ସ୍ୱାସ୍ଥ୍ୟ ଅବସ୍ଥାରେ କୌଣସି ପ୍ରକାରର ଉନ୍ନତି ନହେବାରୁ ରାଉରକେଲା ସରକାରୀ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଡାକ୍ତର ଆଇଲିନଙ୍କୁ ମୃତ ଘୋଷଣା କରିଥିଲେ। ପରିବାର ଲୋକ ତାଙ୍କ ମୃତଦେହକୁ ଅନ୍ୟତ୍ର ଚିକିତ୍ସା କରାଇବା ନିମନ୍ତେ କହି ଘରକୁ ଆଣି ଗୋଟିଏ ଦିନ ଅର୍ଥାତ ଗୁରୁବାର ଦିନ ଝଡ଼ାଫୁଙ୍କା କରିଥିଲେ କିନ୍ତୁ କୌଣସି ସୁଫଳ ମିଳିନଥିଲା। ଶେଷରେ ମୃତଦେହକୁ ରାଜଗାଙ୍ଗପୁର ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣି ପୁଲିସକୁ ଖବର ଦେଇଥିଲେ। ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି।
ମୃତ ମହିଳାଙ୍କ ମା ଜଣେ ଆଶାକର୍ମୀ ହୋଇମଧ୍ୟ ଝଡ଼ାଫୁଙ୍କାକୁ ଗୁରୁତ୍ୱ ଦେଇଛନ୍ତି। ସରକାର ଆଶାକର୍ମୀଙ୍କୁ ପ୍ରାଥମିକ ଚିକିତ୍ସା ପାଇଁ ତାଲିମ ଦେଉଛନ୍ତି କିନ୍ତୁ ଏହି ଘଟଣାରେ ଡାକ୍ତରୀ ଚିକିତ୍ସା ଉପରେ ବିଶ୍ବାସ ନକରି ଝଡ଼ାଫୁଙ୍କାକୁ ଗୁରୁତ୍ୱ ଦେଇଛନ୍ତି। ବିଭିନ୍ନ ସମୟରେ ଜନ ସଚେତନତା କାର୍ଯ୍ୟକ୍ରମ କରାଯାଉଛି ହେଲେ ମଧ୍ୟ ଏହି ଭଳି କୁସଂସ୍କାର ଲୋକଙ୍କ ମନରେ ବସା ବାନ୍ଧିଛି ଯଦ୍ଵାରା ଅନେକ ଜୀବନ ହାନି ଘଟୁଛି। ଆଦିବାସୀ ଅଧ୍ୟୁଷିତ ଗାଁ ମାନଙ୍କରେ ଗୁଣି ଗାରେଡ଼ିରେ ଲୋକେ ବିଶ୍ୱାସ କରୁଥିବାରୁ ଜୀବନହାନୀ ହେଉଛି।