ମୃତ ଯୁବକଙ୍କୁ ବଞ୍ଚାଇବାକୁ ଡାକ୍ତରଖାନାରେ ଝଡ଼ାଫୁଙ୍କା

ଭବାନୀପାଟଣା : ଅନ୍ଧବିଶ୍ବାସ କିଭଳି ଏବେ ବି ଲୋକଙ୍କ ମଧ୍ୟରେ ରହିଛି, ତାହାର ଏକ ଜ୍ବଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଭବାନୀପାଟଣା ସଦର ମୁଖ୍ୟ ଡାକ୍ତରଖାନାରେ। ସାପ କାମୁଡ଼ାରେ ମୃତ୍ୟୁ ହୋଇଥିବା ଜଣେ ଯୁବକଙ୍କୁ ବଞ୍ଚାଇବା ପାଇଁ ଗୁଣିଆ ଝଡ଼ାଫୁଙ୍କା କରିଛନ୍ତି। ଗୁଣିଆଙ୍କୁ ଘଉଡ଼ାଇବା ପାଇଁ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କୁ ମଧ୍ୟ ନାକେଦମ୍‌ ହେବାକୁ ପଡ଼ିଛି। ଏପରିକି, ପୁଲିସ୍‌ର ସହାୟତା ନେବାକୁ ପଡ଼ିଛି।

କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକର କିକିଆ ପଞ୍ଚାୟତ ଅନ୍ତର୍ଗତ ଡୁମେରମୁଣ୍ଡା ଗ୍ରାମର ସତୀଶ ଗୋପାଳ(୨୧)ଙ୍କୁ ସାପ କାମୁଡିବାରୁ ଗୁରୁତର ହୋଇଥିଲେ। ଗୁରୁବାର ସକାଳ ୮ଟା ୨୦ରେ ତାଙ୍କୁ ଭବାନୀପାଟଣା ସଦର ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଥିଲା। ହେଲେ ସାଢେ ୯ଟାରେ ତାଙ୍କର ମୃତ୍ୟୁ ଘଟିଥିଲା। ଡାକ୍ତରଖାନା ପକ୍ଷରୁ ସତୀଶଙ୍କୁ ମୃତ୍ୟୁ ଘୋଷଣା କରିବା ପରେ ପୁଲିସକୁ ଖବର ଦେଇ ଡାକ୍ତରଖାନା କର୍ମଚାରୀ ଶବ ବ୍ୟବଚ୍ଛେଦ ପାଇଁ ନେଇଥିଲେ। ହେଲେ ଉତ୍ତ୍ୟକ୍ତ ପରିବାର ଲୋକେ ମୃତ ଯୁବକଙ୍କୁ ବଞ୍ଚାଇବାକୁ ଯାଇ ଗୁଣିଆକୁ ଡକାଇଥିଲେ। ଗୁଣିଆ ଆସିବା ପରେ ଶବ ବ୍ୟବଚ୍ଛେଦ ଗୃହର ତାଲା ଖୋଲିବା ପାଇଁ ପରିବାର ଲୋକେ ତାଗିଦ କରିଥିଲେ। ମୃତ୍ୟୁ ହେବାର ୩ ଘଣ୍ଟା ପରେ ଗୁଣିଆ ଝଡାଫୁଙ୍କା ଆରମ୍ଭ କରିଥିଲେ। ଝଡାଫୁଙ୍କା ସମୟରେ ସେଠାରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା। ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ଫଟୋ ନ ଉଠାଇବା ପାଇଁ ଧମକଚମକ ମଧ୍ୟ ଦେଇଥିଲେ। ଝଡାଫୁଙ୍କା ନ କରିବାକୁ ଡାକ୍ତରଖାନା କର୍ମଚାରୀ ମନା କରିବାରୁ ସେମାନଙ୍କୁ ଗୋଡାଇବାକୁ ମଧ୍ୟ ପଛାଇ ନଥିଲେ। ଅନ୍ଧ ବିଶ୍ବାସର ବଶବର୍ତ୍ତୀ ହୋଇ ବହୁ ଝଡାଫୁଙ୍କା ଚେଷ୍ଟା ସତ୍ତ୍ବେ ମଧ୍ୟ ଯୁବକକୁ ବଞ୍ଚାଇବାରେ ସକ୍ଷମ ହୋଇନଥିଲେ। ଉତ୍ତେଜନା ପରିସ୍ଥିତି ସୃଷ୍ଟି ହେବା ପ‌ରେ ଘଟଣାସ୍ଥଳରେ ଅତିରିକ୍ତ ପୁଲିସ ଏସପି ଗୋପୀନାଥ ମଣିପାତ୍ର ଓ ଟାଉନ ଥାନା ଆଇଆଇସି ସତ୍ୟ କୁମାର ନନ୍ଦ ପହଞ୍ଚି ଶବ ଗୃହରୁ ଝଡାଫୁଙ୍କା ବନ୍ଦ କରି ଗୁଣିଆ ଓ ଲୋକଙ୍କୁ ବାହାର କରି ଦେଇଥିଲେ।

ସମ୍ବନ୍ଧିତ ଖବର