ସାଢେ ୫ ବର୍ଷରେ ଡାହାଣୀ ସନ୍ଦେହରୁ ଗଲାଣି ୨୪୧ ଜୀବନ

ଡାହାଣୀ ହତ୍ୟାରେ ଝାଡ଼ଖଣ୍ଡ ପରେ ଓଡ଼ିଶା ଦ୍ବିତୀୟ

ଉତ୍ତରଦାୟିତ୍ବ ନେବାକୁ କେହି ନାହାନ୍ତି: ହେତୁବାଦୀ ସମାଜ
ଅନ୍ଧବିଶ୍ବାସ ରୋକିବାକୁ କାର୍ଯ୍ୟ କରିବେ ଏସ୍‌ଏଚ୍‌ଜି ଓ ଅଙ୍ଗନବାଡ଼ି କର୍ମୀ

ଭୁବନେଶ୍ୱର : ରାଜ୍ୟରେ ଗତ ସାଢେ ୫ ବର୍ଷ ମଧ୍ୟରେ ଡାହାଣୀ ସନ୍ଦେହରେ ୨୪୧ଟି ଅମୂଲ୍ୟ ଜୀବନ ଗଲାଣି। ରାଜ୍ୟର ସବୁ ଅଞ୍ଚଳରେ ଏଭଳି ଦୁର୍ଭାଗ୍ୟଜନକ ଘଟଣା ଘଟୁଥିଲେ ମଧ୍ୟ ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, କୋରାପୁଟ ଓ ଗଂଜାମରେ ସ୍ଥିତି ଉଦ୍‌ବଗେଜନକ। ଅନ୍ଧବିଶ୍ବାସ ଯୋଗୁଁ ଏତେ ଲୋକଙ୍କ ଜୀବନ ଯାଉଥିଲେ ହେଁ ରାଜ୍ୟ ସରକାରଙ୍କ ପକ୍ଷରୁ ଏହାକୁ ରୋକିବା ପାଇଁ କୌଣସି ଠୋସ ପଦକ୍ଷେପ ଗ୍ରହଣ କରାଯାଇ ନାହିଁ ବୋଲି ଅଭିଯୋଗ କରିଛି ଓଡ଼ିଶା ହେତୁବାଦୀ ସମାଜ।

୨୦୧୭ ମସିହାରେ ଏ ସଂକ୍ରାନ୍ତରେ କମ୍ପୋଜିଟ ଆକ୍ସନ ପ୍ଲାନ୍‌ ପ୍ରସ୍ତୁତ କରାଯାଇଥିଲା। ଏଥିରେ ଗୃହ ବିଭାଗ ପକ୍ଷରୁ ଶିକ୍ଷା, ସ୍ବାସ୍ଥ୍ୟ, ସଂସ୍କୃତି, ମହିଳା ଏବଂ ଶିଶୁ କଲ୍ୟାଣ ବିଭାଗକୁ ବିଭିନ୍ନ ଦାୟିତ୍ବ ଦିଆଯାଇଥିଲା। କିନ୍ତୁ ଏହାକୁ ନେଇ କୌଣସି କାର୍ଯ୍ୟ ହେଉନଥିବା ଏବଂ ଉତ୍ତରଦାୟିତ୍ବ ମୁଣ୍ଡାଇବାକୁ କେହି ନଥିବା ଅଭିଯୋଗ କରିଛନ୍ତି ହେତୁବାଦୀ ସମାଜ ସମ୍ପାଦକ ଦେବେନ୍ଦ୍ର ସୁତାର। ଅନ୍ୟଦିଗରେ ବର୍ଷେ ହେଲା ସାମାଜିକ ସଙ୍ଗଠନ ଆକ୍ସନ୍‌ ଆଡ୍‌ ସହଯୋଗରେ ମହିଳା କମିସନ ପକ୍ଷରୁ ଏହାକୁ ନେଇ ରିପୋର୍ଟ ପ୍ରସ୍ତୁତ କରାଯାଉଛି। ଏହାପରେ ଏହାର କାରଣ ଏବଂ ରୋକିବା ସମ୍ପର୍କରେ ଆବଶ୍ୟକ ସୁପାରିସ୍‌ କରାଯିବ ବୋଲି ଆକ୍ସନ୍‌ ଆଡ୍‌ର ଘାସିରାମ ପଣ୍ଡା ସୂଚନା ଦେଇଛନ୍ତି।

ଏନ୍‌ସିଆର୍‌ବିର ଏକ ରିପୋର୍ଟ ଅନୁସାରେ, ଝାଡ଼ଖଣ୍ଡ ପରେ ଓଡ଼ିଶା ଦ୍ବିତୀୟ ରାଜ୍ୟ ଯେଉଁଠି ଡାହାଣୀ ସନ୍ଦେହରେ ସର୍ବାଧିକ ହତ୍ୟାକାଣ୍ଡ ହୁଏ। ୨୦୦୮ରୁ ୨୦୧୩ ମସିହା ମଧ୍ୟରେ ରାଜ୍ୟରେ ଡାହାଣୀ ସନ୍ଦେହରେ ୧୭୭ ଜଣଙ୍କୁ ହତ୍ୟା ଯାଇଛି। ଓଡ଼ିଶା ହେତୁବାଦୀ ସମାଜର ତଥ୍ୟ ଅନୁସାରେ, ୨୦୧୬ ମସିହାରେ ୫୮, ୨୦୧୭ ମସିହାରେ ୩୬, ୨୦୧୮ ମସିହାରେ ୩୯, ୨୦୧୯ ମସିହାରେ ୫୪, ୨୦୨୦ ମସିହାରେ ୩୬ ଏବଂ ୨୦୨୧ ମସିହାରେ ବର୍ତ୍ତମାନ ପର୍ଯ୍ୟନ୍ତ ୧୮ ଜଣଙ୍କ ଜୀବନ ଗଲାଣି। ସାମାଜିକ-ଆର୍ଥିକ ଭାବରେ ପଛୁଆ ଅଞ୍ଚଳରେ ଏଭଳି ଘଟଣା ଅଧିକ ଘଟିଥାଏ। ଶିଶୁମାନେ ରକ୍ତହୀନତା, ଅପପୁଷ୍ଟି କିମ୍ବା କୌଣସି ସ୍ବାସ୍ଥ୍ୟଗତ କାରଣରୁ ପ୍ରାଣ ହରାଇଲେ, ଏପରିକି ଗୃହପାଳିତ ପଶୁଙ୍କ ମୃତ୍ୟୁ ହେଲେ କିମ୍ବା ଫସଲ ନଷ୍ଟ ହେଲେ ଡାହାଣୀ ଯୋଗୁଁ ଏଭଳି ‌ହେଉଛି ବୋଲି ସନ୍ଦେହ କରାଯାଏ। ଶେଷରେ ନୟାଗଡ଼ ଜିଲ୍ଲା ଦଶପଲ୍ଲା ଭଳି ଭୟଙ୍କର ପରିଣତି ହୁଏ। ଏଥିରେ ମହିଳାମାନେ ମୁଖ୍ୟତଃ ଟାର୍ଗେଟ ହେଉଥିବାରୁ ଲିଙ୍ଗଗତ ବିଷମତା ବଡ଼ କାରଣ ବୋଲି କୁହାଯାଇପାରିବ।

ଦେବେନ୍ଦ୍ର ସୁତାରଙ୍କ କହିବା ଅନୁସାରେ, କେବଳ ଅନ୍ଧବିଶ୍ବାସ ନୁହେଁ; ମାନସିକ ରୋଗ, ରାଜନୈତିକ କିମ୍ବା ପୂର୍ବ ଶତ୍ରୁତା ଏବଂ ଗଞ୍ଜାମ ଜିଲ୍ଲାରେ ଅର୍ଥ ଉପାର୍ଜନ ମଧ୍ୟ ଡାହାଣୀ ହତ୍ୟା ପଛର ବଡ଼ କାରଣ। ଗଞ୍ଜାମ ଜିଲ୍ଲାରେ ଡାହାଣୀ ସନ୍ଦେହ କରି ଗୁଣିଆ ଡକାଯାଏ, ଖଟ ବୁଲାଯାଏ। ଏଥିପାଇଁ ଲକ୍ଷାଧିକ ଟଙ୍କା ସଂଗ୍ରହ ହୁଏ। ସ୍ଥିତି ଏଭଳି ହୁଏ ଯେ ଜଣେ ବ୍ୟକ୍ତି ନିଜ ଶତ୍ରୁତା ପାଇଁ ଡାହାଣୀ ଅନ୍ଧବିଶ୍ବାସକୁ ଆଳ କରି ଗ୍ରାମବାସୀଙ୍କୁ ପ୍ରତିପକ୍ଷଙ୍କ ବିରୋଧରେ ଛିଡ଼ା କରାଇ ଦେଇପାରେ। ଅନେକ କ୍ଷେତ୍ରରେ ଗୁଣିଆ ବିରୋଧରେ ଏତଲା ଦିଆଯାଇଥିଲେ ମଧ୍ୟ ପୁଲିସ ନିଜେ ମଧ୍ୟ ଅନ୍ଧବିଶ୍ବାସର ବଶବର୍ତ୍ତୀ ହୋଇଥିବାରୁ ସେମାନଙ୍କୁ ଗିରଫ କରିବା ପାଇଁ ଭୟ କରିଥାଏ। ଗ୍ରାମବାସୀ ସଂଘବଦ୍ଧ ହେଲେ ପୁଲିସକୁ ପଦକ୍ଷେପ ଗ୍ରହଣ ପାଇଁ କଷ୍ଟକର ହୁଏ। ଏପରିକି ଅନେକ ସମୟରେ ଯେଉଁ ସଙ୍ଗଠନ ଏବଂ ବିଭାଗର କର୍ମଚାରୀ ସଚେତନତା କାର୍ଯ୍ୟ କରନ୍ତି; ସେମାନେ ବି ବିଭିନ୍ନ ପ୍ରକାର ଅନ୍ଧବିଶ୍ବାସରେ ପୀଡ଼ିତ ଥାଆନ୍ତି। ଏଥିପାଇଁ ଉପଯୁକ୍ତ ଭାବରେ ଏହାର ନିରାକରଣ ହୁଏ ନାହିଁ। ଏଥିପାଇଁ ଅନ୍ଧବିଶ୍ବାସକୁ ମୂଳରୁ ଲୋକଙ୍କୁ ମନରୁ ଦୂର କରିବା ପାଇଁ ଓଡ଼ିଶା ହେତୁବାଦୀ ସମାଜ ପକ୍ଷରୁ ଗୁଣିଆମାନେ କରୁଥିବା ବିଭିନ୍ନ କଳାଯାଦୁର ବୈଜ୍ଞାନିକ କାରଣ ଦର୍ଶାଯାଏ। ଆଦିବାସୀ ଅଧ୍ୟୁଷିତ ଏବଂ ଉପକୂଳବର୍ତ୍ତୀ ଜିଲ୍ଲାରେ ଡାହାଣୀ ଲାଗିବା କାରଣ ଏବଂ ପ୍ରକ୍ରିୟା ଭିନ୍ନ ଥାଏ। ଉପକୂଳବର୍ତ୍ତୀ ଜିଲ୍ଲାର ବିଭିନ୍ନ ଗାଁରେ ପରିବାରରେ ଶୋଷିତ ହୋଇ ରହୁଥିବା ମହିଳା ନିଜ କଥା କହିନପାରିଲେ; ମାନସିକ ରୋଗର ଶିକାର ହୋଇ ଅଜାଣତରେ ଅଦ୍ଭୁତ ବ୍ୟବହାର ପ୍ରଦର୍ଶନ କରନ୍ତି। ଏଠାରେ ହତ୍ୟାକାଣ୍ଡ ଭଳି ଘଟଣା କମ୍‌ ହୁଏ ବୋଲି ହେତୁବାଦୀ ସମାଜ କହିଛି।

ତେବେ ବର୍ତ୍ତମାନ ମିସନ ଶକ୍ତି ଏ ଦିଗରେ କାର୍ଯ୍ୟ କରିବାକୁ ଅଣ୍ଟା ଭିଡ଼ିଛି। ଡାହାଣୀ ସନ୍ଦେହରେ ହତ୍ୟା ଭଳି ଅନ୍ଧବିଶ୍ବାସକୁ ରୋକିବା ଲାଗି ସ୍ବୟଂ ସହାୟକ ଗୋଷ୍ଠୀ ଏବଂ ଅଙ୍ଗନବାଡି କର୍ମୀମାନଙ୍କୁ ପ୍ରଶିକ୍ଷଣ ଦିଆଯିବ। ଏଥିପାଇଁ ସେମାନଙ୍କୁ ନିଜ ଅଞ୍ଚଳରେ ହେଉଥିବା ଗୁଣିଗାରେଡ଼ି ଏବଂ ଡାହାଣୀ ବିରୋଧୀ ହିଂସା ବାବଦରେ ତଥ୍ୟ ରଖିବେ, ହିଂସା ପ୍ରବଣ ଅଞ୍ଚଳର ତାଲିକା ପ୍ରସ୍ତୁତ କରିବାକୁ କୁହାଯାଇଛି। ଆବଶ୍ୟକ ସ୍ଥଳରେ ସଚେତନତା କାର୍ଯ୍ୟକ୍ରମ ସହିତ ସର୍ଭେ ମଧ୍ୟ କରିବାକୁ କୁହାଯାଇଛି।

ସମ୍ବନ୍ଧିତ ଖବର