ଭଉଣୀକୁ ବଳି ଦେବା ଘଟଣା : ଗାଁ ଛାଡ଼ିଲେ ପରିବାର, ତାନ୍ତ୍ରିକକୁ ଖୋଜୁଛି ପୁଲିସ

ପୁଲିସର ଚାର୍ଜସିଟକୁ ନେଇ ପ୍ରଶ୍ନ

ବଲାଙ୍ଗୀର : ଆଧୁନିକ ବିଜ୍ଞାନ ଯୁଗରେ ବି ମଣିଷ ନିଜର ସ୍ୱାର୍ଥ ହାସଲ ପାଇଁ ମନ୍ତ୍ରତନ୍ତ୍ରରେ ବିଶ୍ୱାସ କରୁଛି। ଏଭଳି ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ବଲାଙ୍ଗୀର ଜିଲ୍ଲାରେ ନିଜ ରକ୍ତ ସଂପର୍କୀୟ ଭାଇ ହାତରେ ରାକ୍ଷୀ ବାନ୍ଧିଥିବା ଭଉଣୀକୁ ବଳି ଦେବା ଘଟଣାକୁ ନେଇ ଚର୍ଚ୍ଚା ଥମୁନି। ସିନ୍ଧେକେଲା ସାଲେବରଟ ଗାଁର ଶୋଭାବନ ରଣା ନିଜ ହାତରେ ସଂପର୍କୀୟ ଭାଇ ଓ ପରେ ଜେଲ୍‌ରୁ ବାହାରି ନିଜ ରକ୍ତ ସଂପର୍କର ଭଉଣୀକୁ ବଳି ଦେବା ଘଟଣା ସମସ୍ତଙ୍କ ମନରେ ଏକ ବଡ଼ ପ୍ରଶ୍ନ ଛିଡ଼ା କରିଛି। ଇତିମଧ୍ୟରେ ଶୋଭାବନ ଜେଲ୍‌ ଯାଇଥିବା ବେଳେ ତାର ବାପା, ମା, ସ୍ତ୍ରୀ ଛୁଆପିଲା ଗାଁ ଛାଡ଼ିଛନ୍ତି। ବାପା ମସୁରୁ ରଣା କାନ୍ଦିକାନ୍ଦି ପୁଅକୁ ଫାଶୀ ଦିଆଯାଉ ବୋଲି କହି ତାଙ୍କ ବୟସ୍କା ସ୍ତ୍ରୀଙ୍କୁ ଧରି ନୂଆପଡ଼ା ଜିଲ୍ଲା ଘରଧରା ଗାଁକୁ ଚାଲିଯାଇଥିବା ଜଣାଯାଇଛି। ଅନ୍ୟପଟେ ଶୋଭାବନର ସ୍ତ୍ରୀ ଉର୍ମିଲି ନିଜ ଦୁଇ ପୁଅକୁ ଧରି ବାପଘର ଗାଁ ଅଲଣ୍ଡାକୁ ଚାଲିଯାଇଛନ୍ତି। ପୁଲିସ ଅଧିକ ତଦନ୍ତ ଜାରି ରଖିଥିବାବେଳେ ଶୋଭାବନର ତାନ୍ତ୍ରିକ ଗୁରୁ କୁଞ୍ଜବନକୁ ଖୋଜୁଛି।

ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ୍‌ ସିନ୍ଧେକେଲା ଥାନାରୁ ପ୍ରାୟ ୫କିମି ଦୂରରେ ଅବସ୍ଥିତ ସାଲେବରଟ ଗାଁ। ଗାଁରେ କୁମ୍ଭାର କାମ କରି ଚଳୁଥିଲେ ମସୁରୁ। ସ୍ତ୍ରୀ, ଗୋଟିଏ ପୁଅ ଶୋଭାବନ, ବୋହୂ, ଦୁଇ ନାତି ଓ ଝିଅ ଜନନୀ(୧୨)ଙ୍କୁ ନେଇ ତାଙ୍କ ପରିବାର। ବେଶ୍‌ ଖୁସିରେ ଚାଲିଥିଲା ସଂସାର। ହେଲେ ହଠାତ୍‌ ଶୋଭାବନ ଅନ୍ଧବିଶ୍ୱାସରେ ପଡ଼ି ତାନ୍ତ୍ରିକ କୁଞ୍ଜବନ ରଣାର ଚେଲା ପାଲଟିଥିଲା। ତନ୍ତ୍ରମନ୍ତ୍ରରେ ବିଶ୍ୱାସ କରି ଚଳାଇଥିଲା ପୂଜାପାଠ। ୨୦୧୮ ଅକ୍ଟୋବର ମାସ ୧୩ ତାରିଖ ସିନ୍ଧେକେଲା ଗାଁର ମିଥୁନ ରଣା ନିଖୋଜ ହେବା ନେଇ ଥାନାକୁ ମାମଲା ଯାଇଥିଲା। ୧୬ ତାରିଖରେ ମିଥୁନର ମୁଣ୍ଡବିହୀନ ଶବ ଉନ୍ଦେର ନଦୀରୁ ପୁଲିସ ଉଦ୍ଧାର କରିଥିଲା। ପାଖରେ ପଡ଼ିଥିଲା ସିନ୍ଦୂର ଓ ପୂଜାପାଠରେ ବ୍ୟବହୃତ ସାମଗ୍ରୀ। ମିଥୁନକୁ ବଳି ଦିଆଯାଇଥିବା ଅଭିଯୋଗ ଉଠିଥିଲା ଓ ଶୋଭାବନ ଓ ତାର ତାନ୍ତ୍ରିକ ଗୁରୁ ସେହି ଘଟଣା ଘଟାଇଥିବା ପୁଲିସ ତଦନ୍ତରୁ ଜାଣିବାକୁ ପା‌ଇଥିଲା। ମିଥୁନ ଥିଲା ଶୋଭାବନର ମାମୁ ପୁଅ ଭାଇ। ସେହି ମାମଲାରେ ଶୋଭାବନ ଓ କୁଞ୍ଜବନ ଜେଲ୍‌ ଯାଇଥିଲେ। ଜେଲ୍‌ରେ ପ୍ରାୟ ୧୦ ମାସ ରହିବା ପରେ ଉଭୟେ ଫେରିଥିଲେ।

ତେବେ ଜେଲରୁ ଫେରିବା ପରେ ପୁଣି ବଳି ପାଇଁ ଶୋଭାବନ କରିଥିଲା ଯୋଜନା। ଆଶ୍ଚର୍ଯ୍ୟର ବିଷୟ ହେଲା ଏଥର ଶୋଭାବନ ନିଜ ଭଉଣୀକୁ ବଳି ଦେବା ପାଇଁ ବାଛିଥିଲା। ଶୋଭାବନ ପୁଲିସକୁ ଦେଇଥିବା ବୟାନ ଅନୁସାରେ, ଜେଲ୍‌ ଭିତରେ ତାନ୍ତ୍ରିକ ଗୁରୁ କହିଥିଲା, ତାର ଉଉଣୀକୁ ଗୁଜେନ ଦେବୀଙ୍କ ଉଦ୍ଦେଶ୍ୟରେ ବଳି ଦେବାକୁ ହେବ। ନଚେତ ତାର ଦୁଇପୁଅ, ସ୍ତ୍ରୀଙ୍କ ମୃତ୍ୟୁ ସୁନିଶ୍ଚିତ। ମାନସିକ ସ୍ତରରେ ଅନ୍ଧ ପାଲଟି ଯାଇଥିବା ଶୋଭାବନ ଗୁରୁଙ୍କ ନିର୍ଦ୍ଦେଶକୁ ପାଳନ କରିବା ପାଇଁ ସତକୁ ସତ ନିଜ ଭଉଣୀକୁ ଅପହରଣ କରିଥିଲା। ଡିସେମ୍ବର ୨୪ ତାରିଖ ଭଉଣୀକୁ ସା‌ଇକଲରେ ବସାଇ ବରକାନୀ ଗାଁ ନିକଟ ଗୁଜିଚକା ଜଙ୍ଗଲକୁ ନେଇଯାଇଥିଲା ଏବଂ ସେଠାରେ ଅତି ନିର୍ମମ ଭାବେ ମୁଣ୍ଡ କାଟି ହତ୍ୟା କରିଥିଲା। ତେବେ ନିଜ ଝିଅକୁ ନପାଇ ବାପା ମସୁରୁ ଥାନାରେ ୨୭ ତାରିଖ ଦିନ ଲିଖିତ ଭାବରେ ନିଖୋଜ ମାମଲା ଦାୟର କରିଥିଲେ। ପରଦିନ ଗ୍ରାମବାସୀ ଶୋଭାବନର ପୂର୍ବ ଘଟଣାକୁ ନେଇ ସନ୍ଦେହ କରି ସେ ବଳି ଦେଇଥିବା କହି ଥାନା ଘେରାଉ କରିଥିଲେ। ଏହାପରେ ପୁଲିସ ତଦନ୍ତକୁ ତ୍ୱରାନ୍ୱିତ କରି ଶୋଭାବନକୁ ଥାନାକୁ ଆଣି ଅଟକ ରଖିଥିଲା। ପ୍ରଥମେ କିଛି କହୁନଥିବା ଶୋଭାବନ ଜାନୁଆରି ୫ ତାରିଖ ନିଜ ଦୋଷ ମାନିଯାଇଥିଲା। ୬ ତାରିଖ ପୁଲିସ ସହ ଜଙ୍ଗଲକୁ ଯାଇ ସବୁ କିଛି ଦେଖାଇବା ସହ ବର୍ଣ୍ଣନା କରିଥିଲା। ଏହାପରେ ୭ ତାରିଖ ପୁଲିସ କୋର୍ଟଚାଲାଣ କରିଥିଲା। ଏସବୁ ଭିତରେ ବାପା ମସୁରୁ ତାଙ୍କର ଏକ ପୁଅ ଥିଲା ବୋଲି ସେ ଭୁଲିଗଲେ ବୋଲି କହିଥିଲେ। ଏହା ସହିତ ଶୋଭାବନକୁ ଫାଶୀ ଦଣ୍ଡ ଦିଆଯାଉ ବୋଲି ଗ୍ରାମବାସୀଙ୍କ ସହ ସ୍ୱର ମିଳାଇଥିଲେ। ଏପରିକି ଶୋଭାବନ ଜେଲ୍‌ ଯିବା ପରେ କାହାକୁ ମୁହଁ ଦେଖାଇବେ ଏହି ଚିନ୍ତାରେ ଏବେ ସାରା ପରିବାର ଛିନଛତ୍ର ହୋଇ ଯିଏ ଯୁଆଡ଼େ ଗାଁ ଛାଡ଼ି ଚାଲିଯାଇଛନ୍ତି।

ଏସବୁ ଭିତରେ କିନ୍ତୁ ଅନେକ ପ୍ରଶ୍ନ ଉଙ୍କି ମାରୁଛି। ମିଥୁନ ହତ୍ୟା ମାମଲାରେ ପୁଲିସର ଚାର୍ଜସିଟକୁ ନେଇ ଲୋକେ ପ୍ରଶ୍ନ ଉଠାଉଛନ୍ତି। ହୁଏତ ଜେଲ୍‌ରେ ଥିଲେ ଶୋଭାବନ ଏତେ ବଡ଼ ଘଟଣା ଘଟାଇନଥାନ୍ତା ବୋଲି ସାଧାରଣରେ ଚର୍ଚ୍ଚା।

ସମ୍ବନ୍ଧିତ ଖବର