ଗୁଣି ସନ୍ଦେହରେ ପିଟିପିଟି ମାରିଦେଲେ

କାଶୀପୁର : ଗୁଣିଗାରେଡ଼ି ସନ୍ଦେହ ପରିବାର ସମ୍ମୁଖରେ ପିଟିପିଟି ମାରିଦେଲେ। ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ୍‌ ଅନ୍ତର୍ଗତ ଟିକିରି ଥାନା ଅଞ୍ଚଳରେ ଏଭଳି ଲୋମହର୍ଷକ ଘଟଣା ଘଟିଛି। ବୁଧବାର ବିଳମ୍ବିତ ରାତିରେ ଘଟିଥିବା ଏହି ବର୍ବର ଘଟଣାରେ ପୁଲିସ ଗୁରୁବାର ଦିନ ୬ଜଣ ସନ୍ଦିଗ୍ଧଙ୍କୁ ଉଠାଇ ଆଣି ପଚରାଉଚୁରା କରୁଛି।

ସୂଚନା ଅନୁଯାୟୀ, ଟିଟିଗୁଡ଼ା ଗାଁର ଦଇ ମାଝୀ (୫୦ବର୍ଷ) ଗୁଣିଗାରେଡ଼ି କରୁଥିବା ନେଇ ଗାଁର କିଛିଜଣ ବହୁଦିନ ହେଲା ସନ୍ଦେହ କରି ଆସୁଥିଲେ। ଏପରିକି ଦଇ ମାଝୀଙ୍କ ପରିବାର ସହ କଥାବାର୍ତ୍ତା ବନ୍ଦ କରି ବାସନ୍ଦ କରିଥିଲେ। ତଥାପି ଗ୍ରାମବାସୀଙ୍କ ଆକ୍ରୋଶ କମି ନଥିଲା। ମଝିରେ ମଝିରେ ଦଇ ମାଝୀ ଏବଂ ତାଙ୍କ ପରିବାର ସଦସ୍ୟଙ୍କ ସହ ଗଣ୍ଡଗୋଳ କରୁଥିଲେ। ସମୟକ୍ରମେ ପରିବାର ପ୍ରତି ନିର୍ଯାତନା ବଢ଼ିଥିବା ବେଳେ ଜୀବନ ପ୍ରତି ମଧ୍ୟ ବିପଦ ରହିଥିଲା। ତେଣୁ ବାଧ୍ୟହୋଇ କିଛିଦିନ ତଳେ ଟିକିରି ଥାନାରେ ଅଭିଯୋଗ କରିଥିଲେ ଦଇ ମାଝୀ। ପୁଲିସ ଅଭିଯୋଗକୁ ଗୁରୁତ୍ବ ଦେଇ ନଥିଲା। କେବଳ ଉଭୟ ପକ୍ଷକୁ ଡକାଇ ଥାନାରେ ଆଲୋଚନା କରିଥିଲା। ବୁଝାସୁଝା କରି ପୁଣି ଘରକୁ ପଠାଇ ଦେଇଥିଲା।

ତେବେ କିଛି ଲୋକ ବୁଧବାର ବିଳମ୍ବିତ ରାତିରେ ଦଇ ମାଝୀଙ୍କ ଘରେ ପହଞ୍ଚିଥିଲେ। ପୁଣି ପାଟିତୁଣ୍ଡ କରିବା ସହ ଦଇ ମାଝୀଙ୍କୁ ଘରୁ ଘୋଷାରି ଆଣି ଆଖିବୁଜା ପିଟିଥିଲେ। ପୁଅ ଦୁର୍ଯ୍ୟ ମାଝୀ (୨୦ବର୍ଷ) ବାପାଙ୍କ ଉପରେ ମାଡ଼ ହେଉଥିବା ଦେଖି ହସ୍ତକ୍ଷେପ କରିଥିଲେ। ଏଥିରେ ଉତ୍‌କ୍ଷିପ୍ତ ହୋଇ ଆକ୍ରମଣକାରୀ ତାଙ୍କୁ ବି ନିସ୍ତୁକ ପିଟିବାରୁ ‌ସେ ଆହତ ହୋଇଥିଲେ। ପିଟିପିଟି ଦଇ ମାଝୀକୁ ମାରିଦେବାପରେ ଅଭିଯୁକ୍ତମାନେ ସେଠାରୁ ଚାଲି ଯାଇଥିଲେ। ଗୁରୁତର ଅବସ୍ଥାରେ ଦୁର୍ଯ୍ୟ ମାଝୀଙ୍କୁ ଉଦ୍ଧାର କରି ଟିକିରି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସା ପରେ ସୁସ୍ଥ ଅନୁଭବ କରିବାରୁ ଦୁର୍ଯ୍ୟଙ୍କୁ ଘରକୁ ପଠାଇ ଦିଆଯାଇଥିଲା। ଆଜି ସକାଳେ ହତ୍ୟାକାଣ୍ଡ ସଂପର୍କରେ ଖବର ପାଇ ଟିକିରି ଥାନା ପୁଲିସ ସହ ଏସ୍‌ଡିପିଓ ଦିବ୍ୟଜ୍ୟୋତି ଦାଶ ଘଟଣାସ୍ଥଳରେ ପହଞ୍ଚିଥିଲେ। ତଦନ୍ତ ଆରମ୍ଭ କରି ବହୁ ଜଣଙ୍କୁ ପଚରାଉଚୁରା କରିଥିଲେ। ଶେଷରେ ୬ଜଣ ସନ୍ଦିଗ୍ଧଙ୍କୁ ଉଠାଇ ଆଣି ଥାନାରେ ପଚରାଉଚୁରା କରାଯାଉଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର