ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ଲରମ୍ଭା ଥାନା ଚିଟକାମାଲ ଗାଁରେ ଗୁଣିଗାରେଡ଼ି ସନ୍ଦେହରେ ଦମ୍ପତିଙ୍କୁ ପିଟିପିଟି ମାରିଦେଲେ

ପାଟଣାଗଡ଼ : ଯେତେ ଯାହା କଲେ ବି ଅନ୍ଧବିଶ୍ବାସର ଅନ୍ଧଗଳିରୁ ମୁକୁଳି ପା‌ରୁନାହାନ୍ତି ଲୋକେ। ଏବେ ବି ରାଜ୍ୟର ବିଭିନ୍ନ ସ୍ଥାନରେ ଏହି ଅନ୍ଧବିଶ୍ବାସ ଓ ଗୁଣିଗାରେଡ଼ିକୁ କେନ୍ଦ୍ର କରି ଘଟୁଛି ଜଘନ୍ୟ ଅପରାଧ। ସେମିତି ଏକ ଘଟଣା ଦେଖିବାକୁ ମିଳିଛି ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ଲରମ୍ଭା ଥାନା ଚିଟକାମାଲ ଗାଁରେ। ଗୁଣିଗାରେଡ଼ି ସନ୍ଦେହରେ ଏହି ଗାଁରେ ଡବଲ ମର୍ଡର ଘଟିଛି। ଗାଁର ଚିନ୍ତାମଣି ବରିହା (୫୫) ଓ ତାଙ୍କ ପତ୍ନୀ ରୁକ୍ମିଣୀ ବରିହା (୫୦)ଙ୍କୁ ଗ୍ରାମବାସୀ ପିଟିପିଟି ମାରି ଦେଇଥିବା ଅଭିଯୋଗ ହୋଇଛି। ଗାଁ ଠାରୁ ୩ କିମି ଦୂର ପାହାଡ଼ ଉପରୁ ଅଲଗା ଅଲଗା ବସ୍ତାରେ ବନ୍ଧା ହୋଇଥିବା ଦୁଇଜଣଙ୍କ ଶବକୁ ପୁଲିସ ଉଦ୍ଧାର କରିଛି।

ପୁଲିସ ସୂତ୍ରରୁ ପ୍ରକାଶ ଯେ, ଚିଟକାମାଲ ଗ୍ରାମର ନାରାୟଣ ବରିହାଙ୍କ ଦେଢ଼ ବର୍ଷର ଶିଶୁ ଲକି ଗତ ଅଗଷ୍ଟ ୨୧ ତାରିଖରେ ପ୍ରାଣ ହରାଇଥିଲା। ତାର ଶବକୁ ନାରାୟଣ ତାଙ୍କ ଜମିରେ ପୋତି ଦେଇଥିଲେ। କିଛି ଦିନ ପୂର୍ବରୁ ଶବ ପୋତା ଯାଇଥିବା ସ୍ଥାନରେ କେହି ଜଣେ ପୂଜାର୍ଚ୍ଚନା କରି ଫୁଲ ସିନ୍ଦୂର ଆଦି ପକାଇଥିବା ଜଣାପଡ଼ିଥିଲା। ଏହା ପ୍ରଚାର ହେବା ପରେ ନାରାୟଣ ଗ୍ରାମବାସୀଙ୍କ ଏକ ବୈଠକ ଡାକିଥିଲେ। ଗାଁର ଚିନ୍ତାମଣି ବରିହା ଏବଂ ତାଙ୍କ ପତ୍ନୀ ରୁକ୍ମିଣୀ ବରିହା ଗୁଣିଗାରେଡ଼ି କରୁଥିବା ଓ ଶବ ପୋତା ଯାଇଥିବା ‌ସ୍ଥାନରେ ସେମାନେ ପୂଜା କରିଥିବା ସନ୍ଦେହ କରୁଛନ୍ତି ବୋଲି ନାରାୟଣ ଉକ୍ତ ବୈଠକରେ କହିଥିଲେ। ଏ ନେଇ ଲରମ୍ଭା ଥାନାରେ ମଧ୍ୟ ଅଭିଯୋଗ କରିଥିଲେ। ଅନ୍ୟପକ୍ଷରେ ରୁକ୍ମିଣୀ ମଧ୍ୟ ତାଙ୍କୁ ଡାହାଣୀ ବୋଲି ଆକ୍ଷେପ କରାଯାଇ ମାନସିକ ନିର୍ଯାତନା ଦିଆଯାଉଛି ବୋଲି ଲରମ୍ଭା ଥାନାରେ ଏତଲା ଦେଇଥିଲେ। ଏହାକୁ ନେଇ ଗାଁରେ ଚାପା ଉତ୍ତେଜନା ଲାଗି ରହିଥିଲା। ଆଜି (ସୋମବାର) ସକାଳ ୯ଟାରେ ଗ୍ରାମରେ ଥିବା ସ୍କୁଲ ସମ୍ମୁଖରେ ଚିନ୍ତାମଣି ଓ ରୁକ୍ମିଣୀଙ୍କୁ କିଛି ଗ୍ରାମବାସୀ ବାଡ଼ିରେ ପିଟିପିଟି ମାରି ଦେଇଥିବା ଓ ଶବ ଦୁଇଟିକୁ ଦୁଇଟି ବସ୍ତାରେ ବାନ୍ଧି ନିକଟରେ ଥିବା ପାହାଡ଼ ଉପରେ ପକାଇ ଦେଇଥିଲେ ବୋଲି ଚର୍ଚ୍ଚା ହେଉଛି। ଅନ୍ୟପକ୍ଷରେ ଚିନ୍ତାମଣିଙ୍କ ଜ୍ବାଇଁ ଆଜି ସକାଳେ ତାଙ୍କ ଘରକୁ ଆସିଥିଲେ। ସେ ମଧ୍ୟ ସକାଳୁ ନିରୁଦ୍ଦି‌ଷ୍ଟ ଥିବା ଜଣାପଡ଼ିଛି। ହତ୍ୟାକାଣ୍ଡ ସଂପର୍କରେ ଖବର ପାଇ ଏସ୍‌ପି ଏସ୍‌. ସନ୍ଦୀପ ସମ୍ପଦ, ପାଟଣାଗଡ଼ ଏସ୍‌ଡିପିଓ ସୁରେଶ ନାଏକ, ପାଟଣାଗଡ଼ ଥାନାଧିକାରୀ ପ୍ରିୟଙ୍କା ରାଉତରାଏ ଓ ଲରମ୍ଭା ଥାନାଧିକାରୀ ବିନୋଦ ବିହାରୀ ନାୟକ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ। ଏ ସମ୍ପର୍କରେ ଲରମ୍ଭା ଥାନାରେ ଏକ ମାମଲା ରୁଜୁ ହୋଇଛି। ଏହି ମାମଲାରେ ଗାଁର ୪ ଜଣଙ୍କୁ ଅଟକ ରଖି ପଚରା ଉଚରା କରାଯାଉଛି।

ସମ୍ବନ୍ଧିତ ଖବର