ମଇଦଲପୁର : ଗୁଣି ଗାରେଡ଼ି କରୁଥିବା ସନ୍ଦେହରେ ଗାଁରୁ ପ୍ରଥମେ କରାଯାଇଥିଲା ବାସନ୍ଦ। ଏହାପରେ ହତ୍ୟା କରିବାକୁ ହୋଇଥିଲା ଯୋଜନା। ଗତକାଲି ରାତିରେ ମିଳିଥିଲା ସେହି ସୁଯୋଗ। ସେହି ଗାଁର ଦୁଇ ଭାଇ ମହିଳାଙ୍କୁ ଘରୁ ବଳପୂର୍ବକ ଉଠାଇ ନେଇ ନିର୍ମମ ଭାବେ ହତ୍ୟା କଲେ। ଆନ୍ଧବିଶ୍ବାସ ଯୋଗୁଁ ଏମିତି ବଳି ପଡ଼ିଛନ୍ତି ଜଣେ ଆଦିବାସୀ ମହିଳା ତୁଳାବତୀ ସାନ୍ତା (୫୦)। ନବରଙ୍ଗପୁର ଜିଲ୍ଲା ମଇଦଲପୁର ଫାଣ୍ଡି ଅନ୍ତର୍ଗତ ଗୁଜୁମାପଦର ଗାଁର ଏହି ଜଘନ୍ୟକାଣ୍ଡ ଚାଞ୍ଚଲ୍ୟ ଖେଳାଇ
ଦେଇଛି।

Advertisment

ମଙ୍ଗଳବାର ରାତି ପ୍ରାୟ ୧୧ଟା ହେବ। ସେତେବେଳକୁ ଗାଁର ସମସ୍ତେ ନିଘୋଡ଼ ନିଦରେ ଶୋଇଥିଲେ। ଶୂନଶାନ ରାତିରେ ସ୍ଥାନୀୟ ତୁଳାବତୀଙ୍କ ଘର କବାଟ ଭାଙ୍ଗିବାକୁ ଉଦ୍ୟମ ହୋଇଥିଲା। ସେହି ସମୟରେ ତୁଳାବତୀଙ୍କ ପରିବାରର ସମସ୍ତ ପୁରୁଷ ମକା ବାଡ଼ିକୁ ଜଗିବା ପାଇଁ ବାହାରେ ଥିଲେ। ତେଣୁ ଘରେ ଥିବା ମହିଳାମାନେ ଭୟଭୀତ ହୋଇ ଡାକ ପକାଇଥିଲେ ବି କେହି ଶୁଣି ନଥିଲେ। ବାରମ୍ବାର ଶକ୍ତ ଆଘାତ ଖାଇ କବାଟ ଭାଙ୍ଗି ଯାଇଥିଲା। ଘର ଭିତରକୁ ଧସେଇ ପଶି ଯାଇଥିଲେ ସେହି ଗାଁର ଦୁଇ ଭାଇ ଧନୁ ସାନ୍ତା ଏବଂ ରାଧେ ସାନ୍ତା। ଶୋଇଥିବା ସ୍ଥାନରୁ ତୁଳାବତୀଙ୍କୁ ବାହାରକୁ ଟେକି ଆଣି ଗାଁ ଦାଣ୍ଡ ପର୍ଯ୍ୟନ୍ତ ଘୋଷାରି ନେଇଥିଲେ। ଆଉ ଗୋଟିଏ ଜୁଆଳି ଆଣି ମହିଳାଙ୍କ ହାତ, ପିଠି, ଅଣ୍ଟା ଏବଂ ମୁଣ୍ଡକୁ ବାରମ୍ବାର ଆକ୍ରମଣ କରିଥିଲେ। ଶାଶୂଙ୍କୁ ହତ୍ୟା ପାଇଁ ଉଦ୍ୟତ ଦୁଇ ଭାଇଙ୍କୁ ଅଟକାଇବା ପାଇଁ ବୋହୂ ଟିକମ ସାନ୍ତା ଘର ବାହାରକୁ ଚାଲି ଆସିଥିଲେ। କିନ୍ତୁ ହତ୍ୟା କରିବା ଉଦ୍ଦେଶ୍ୟରେ ଆସିଥିବା ଦୁଇ ଭାଇ ଆଦୌ ଅଟକି ନ ଥିଲେ। ବରଂ ସେମାନେ ଟିକମଙ୍କ ଉପରେ ବି ଆକ୍ରମଣ କରିଥିଲେ। ଏପରିକି ଟିକମଙ୍କ ମାସକର ପୁଅକୁ ବି ହତ୍ୟା କରିବେ ବୋଲି ଚେତାବନୀ ଦେଇଥିଲେ। ପୁଅକୁ ବଞ୍ଚାଇବା ପାଇଁ ବାଧ୍ୟ ହୋଇ ବୋହୂ ଟିକମ ଚୁପ୍ ହୋଇ ଯାଇଥିଲେ। ଆଉ ତୁଳାବତୀଙ୍କୁ ନିର୍ମମ ଭାବେ ହତ୍ୟା କରିବା ପରେ ଦୁଇ ଅଭିଯୁକ୍ତ ସେଠାରୁ ଚାଲି ଯାଇଥିଲେ।

ଏହି ଅମାନବୀୟ ଘଟଣା ସଂକ୍ରାନ୍ତରେ ଆଜି ସକାଳୁ ତୁଳାବତୀଙ୍କ ଝିଅ ସୁନାଦେଈ ସାନ୍ତା ମଇଦଲପୁର ଫାଣ୍ଡିରେ ଏତଲା ଦେଇଛନ୍ତି। ଖବର ପାଇ ଏସଡିପିଓ ବିଜୟ କୁମାର ନାୟକ, ଥାନା ଅଧିକାରୀ ଲିମରାଜ ପ୍ରଧାନ, ଏସଆଇ ଅଶ୍ବିନୀ ପଟ୍ଟନାୟକ, ପଞ୍ଚାନନ ପରିଡା, ଏଏସଆଇ ମନୋରଜଂନ ସ୍ବାଇଁ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ। ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ନବରଙ୍ଗପୁର ଜିଲ୍ଲା ସଦର ମହକୁମା ଚିକିତ୍ସାଳୟକୁ ପଠାଯାଇଥିଲା। ପୁଲିସ ଅଭିଯୁକ୍ତ ରାଧେ ସାନ୍ତାକୁ ଥାନାରେ ଅଟକ ରଖି ପଚରାଉଚୁରା କରୁଛି। ସୂଚନାଯୋଗ୍ୟ, ପୂର୍ବରୁ ବି ଅନେକ ଥର ତୁଳାବତୀ ଗୁଣିଗାରେଡ଼ି କରୁଥିବା ନେଇ ଗ୍ରାମବାସୀ ଅଭିଯୋଗ କରି ଆସୁଥିଲେ। ଏପରିକି ଏ ନେଇ ଗାଁରେ ବୈଠକ ବସିଥିଲା ଏବଂ ଗ୍ରାମବାସୀଙ୍କ ନିଷ୍ପତ୍ତି ଅନୁଯାୟୀ ଏହି ପରିବାରକୁ ବାସନ୍ଦ ମଧ୍ୟ କରାଯାଇଥିଲା।