ଗୁଣି ପାଇଁ ପୁଣି ହତ୍ୟା : ମୟୂରଭଂଜରେ ଗୁଣିଗାରେଡ଼ି ସନ୍ଦେହରେ ଦମ୍ପତିଙ୍କୁ ମାରିଦେଲେ

ସୁନ୍ଦରଗଡ଼ ଜିଲ୍ଲାର ଲହୁଣିପଡ଼ା ଥାନା ଅଞ୍ଚଳରେ ବିଜୟା ଦଶମୀରେ ବେକ କାଟି ଗୁଣିଆକୁ ହତ୍ୟା

ଶାଳଚୁଆ : ଅନ୍ଧବିଶ୍ବାସ ଯୋଗୁ ପୁଣି ଏକ ବୟସ୍କ ଦମ୍ପତିଙ୍କ ପ୍ରାଣ ଯାଇଛି। ଦୁର୍ବୃତ୍ତମାନେ ଗୁଣିଗାରେଡ଼ି ସନ୍ଦେହରେ ଉଭୟଙ୍କୁ ହତ୍ୟା କରିଥିବା ଜଣାପଡ଼ିଛି। ମୟୂରଭଂଜ ଜିଲ୍ଲା କପ୍ତିପଦା ଥାନା ଅନ୍ତର୍ଗତ ମଝିଗଡ଼ିିଆ ପଞ୍ଚାୟତରେ ଏପରି ଏକ ନାରକୀୟ କାଣ୍ଡ ଘଟିଛି।

ସୂଚନା ଅନୁସାରେ; ମଝିଗଡ଼ିିଆ ପଞ୍ଚାୟତ ସୀତାରାମ ସାହିର ଦମ୍ପତି ସୀତାରାମ ସିଂ (୫୫ବର୍ଷ) ଓ ଲେତ ସିଂ (୫୦ବର୍ଷ) ଗତ ରବିବାର ଦିନ ନିକଟସ୍ଥ ଛତ୍ରାଆମ୍ବ ଅଞ୍ଚଳକୁ ଫୁଟବଲ୍ ଖେଳ ଦେଖିବାକୁ ଯାଇ ଘରକୁ ଫେରିନଥିଲେ। ପରିବାର ପକ୍ଷରୁ ଉଭୟଙ୍କୁ ଖୋଜାଖୋଜି କରାଯାଉଥିବା ବେଳେ ଗ୍ରାମ ପାଖ ଏକ ଚାଷଜମିରେ ସେମାନଙ୍କ ବ୍ୟବହୃତ ସାମଗ୍ରୀ ଦରପୋଡ଼ା ଅବସ୍ଥାରେ ପଡ଼ିଥିବା ଓ ସେଥିରେ ରକ୍ତଛିଟା ଲାଗିଥିବା ଦେଖିବାକୁ ମିଳିଥିଲା। ଫଳରେ ସୀତାରାମ ଓ ଲେତଙ୍କୁ ହତ୍ୟା କରାଯାଇଥିବା ନେଇ ସଂଦେହ ଉପୁଜିଥିଲା। ସେମାନଙ୍କ ଝିଅ ଘଟଣା ସଂପର୍କରେ କପ୍ତିପଦା ଥାନାରେ ଲିଖିତ ଅଭିଯୋଗ କରିଥିଲେ।

ଅଭିଯୋଗ ପାଇବା ପରେ ପୁଲିସ ସାଇଣ୍ଟିଫିକ୍ ଟିମ୍ ସହ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ସନ୍ଧାନୀ କୁକୁର ଘଟଣାସ୍ଥଳରୁ ୩ କିମି ଦୂର ସୁନେଇ ଡ୍ୟାମ୍‌ ନିକଟକୁ ଯାଇ ଅଟକି ଯାଇଥିଲା। ତେଣୁ ଦମକଳ ବାହିନୀକୁ ଡକାଇ ଡ୍ୟାମ୍‌ ଭିତରେ ଖୋଜାଖୋଜି କରାଯାଇଥିଲା। ହେଲେ କୌଣସି ସୁରାକ୍ ମିଳିପାରିନଥିଲା। ପରେ ପୁଲିସ ପ୍ରଥମେ ୩ ଜଣ ବ୍ୟକ୍ତିଙ୍କୁ ସନ୍ଦେହରେ ଅଟକ ରଖିଥିଲା। ଏହି କ୍ରମରେ ମହୁଲପଙ୍ଖା ଗ୍ରାମର ଲାଗୋ ହୋ (୨୫)ଙ୍କୁ ମଙ୍ଗଳବାର ଥାନାକୁ ଆଣି ପଚରାଉଚରା କରାଯାଇଥିଲା। ଗୁଣିଗାରେଡ଼ି ଘଟଣାକୁ ନେଇ ଲାଗୋ ଓ ତାଙ୍କ ସହଯୋଗୀ ଦିବାକର ଡାଙ୍ଗିଲି (୨୨) ମିଶି ସୀତାରାମ ଓ ପନ୍ତିଲେତଙ୍କୁ ଧାରୁଆ ଅସ୍ତ୍ର ସାହାଯ୍ୟରେ ହତ୍ୟା କରିଥିବା ସ୍ବୀକାର କରିଥିଲା। ସେମାନେ ଉଭୟଙ୍କ ମୃତଦେହକୁ ପଥରରେ ବାନ୍ଧିବା ସହ ଡଙ୍ଗା ସାହାଯ୍ୟରେ ସୁନେଇ ଡ୍ୟାମ୍‌ର ୨ କିମି ଦୂର ଗଭୀର ପାଣିରେ ଫିଙ୍ଗି ଦେଇଥିଲେ ବୋଲି କହିଥିଲା। ଫଳରେ ପୁଲିସ ଓଡ୍ରାଫ୍‌ ଟିମ୍ ସାହାଯ୍ୟରେ ଡ୍ୟାମ୍‌କୁ ଯାଇ ମୃତଦେହ ଉଦ୍ଧାର କରିଥିଲା।

ଉଲ୍ଲେଖଯୋଗ୍ୟ; ଗତ ଅଗଷ୍ଟ ମାସ ୩୦ ତାରିଖ ଦିନ ସୀତାରାମ ସାହିରେ ଗୁଣିଗାରଡ଼ିକୁ ନେଇ କିଛି ଲୋକ ସୀତାରାମ ଓ ତାଙ୍କ ପତ୍ନୀ ଲେତ ତଥା ସମୁଦି ଗୁରୁଭା ସିଂଙ୍କୁ ମାଡ଼ ମାରିଥିଲେ। ଖବର ପାଇ ପୁଲିସ ସାହିରେ ପହଂଚି ସେମାନଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲା।

ବିଜୟା ଦଶମୀରେ ବେକ କାଟି ଗୁଣିଆକୁ ହତ୍ୟା

ବଣାଇଁଗଡ଼/ଲହୁଣିପଡ଼ା : ବିଜୟା ଦଶମୀରେ ସୁନ୍ଦରଗଡ଼ ଜିଲ୍ଲାର ଲହୁଣିପଡ଼ା ଥାନା ଅଞ୍ଚଳରେ ଏକ ବୀଭତ୍ସ ହତ୍ୟାକାଣ୍ଡ ଘଟିଛି। ଦୁର୍ବୃତ୍ତମାନେ ମନ୍ଦିରରେ ପୂଜା ପାଉଥିବା ଖଣ୍ଡାରେ ଜଣେ ଗୁଣିଆଙ୍କୁ ବେକ କାଟି ହତ୍ୟା କରିଛନ୍ତି। ତେବେ ଏହି ହତ୍ୟାକାଣ୍ଡ ପଛର କାରଣ ଏଯାଏ ସ୍ପଷ୍ଟ ହୋଇ ନ ଥିବାବେଳେ ବଳି ଦେବା ଉଦ୍ଦେଶ୍ୟ‌େର କିମ୍ବା ପୂର୍ବ ଶତ୍ରୁତାରୁ ଏହି ହତ୍ୟାକାଣ୍ଡ ଘଟିଥିବା ପୁଲିସ ସନ୍ଦେହ କରୁଛି।

ଲହୁଣିପଡ଼ା ଥାନା କୁଳିପୋଷ ଗାଁର ନୀଳାଦ୍ରି ନାଏକ (୬୫) ଜଣେ ଗୁଣିଆ ଭାବେ ପରିଚିତ ଥିଲେ। ପ୍ରାୟ ୪ ବର୍ଷ ପୂର୍ବେ ଗାଁ ନିକଟସ୍ଥ ସାଗୁଳିହୁଡି ଜଙ୍ଗଲ ଖଡ଼ିଆମୁଣ୍ତା ହୁଡିରେ ସେ ଏକ ମନ୍ଦିର ନିର୍ମାଣ କରି ପୂଜାର୍ଚ୍ଚନା କରିବା ସହିତ ସେହି ନିଛାଟିଆ ସ୍ଥାନରେ ଘର କରି ରହୁଥିଲେ। ଆଜି ସକାଳ ୬ଟାରେ ସେହି ଗାଁର ଜଣେ ଲୋକ ନିଜ ଛୋଟ ଛୁଆକୁ ଧରି ଝଡାଫୁଙ୍କା କରିବା ପାଇଁ ନୀଳାଦ୍ରିଙ୍କ ଘରକୁ ଯାଇଥିଲେ। ମାତ୍ର ସେଠାରେ ତାଙ୍କର ରକ୍ତ ଜୁଡୁବୁଡୁ ଶବ ପଡ଼ିଥିବା ଦେଖି ସେ ଗ୍ରାମବାସୀଙ୍କୁ ଖବର ଦେଇଥିଲେ। ଗୁଣିଆଙ୍କ ମୁଣ୍ତଟି ଗଣ୍ତିରୁ ତଳକୁ ଓହଳି ରହିଥିଲା। ସେଠାରେ ପୂଜା ପାଉଥିବା ଖଣ୍ଡାଟି ନ ଥିବାରୁ ଗୁଣିଆଙ୍କୁ କେହି ଦୁର୍ବୃତ୍ତ ଶୋଇଥିବା ଅବସ୍ଥାରେ ଏହି ଖଣ୍ତାରେ ବେକକୁ ହାଣି ହତ୍ୟା କରିଛି ଓ ହତ୍ୟାକାଣ୍ଡ ପରେ ଖଣ୍ତାକୁ ଧରି ଫେରାର ହୋଇଯାଇଛି ବୋଲି ଅନୁମାନ କରାଯାଉଛି। ଦଶହରା ଦିନ ପୂଜା ପାଉଥିବା ଖଣ୍ଡାରେ ଖଟିଆରେ ମୁଣ୍ଡକୁ ଝୁଲାଇଥିବା ଅବସ୍ଥାରେ ବେକକୁ କାଟି ହତ୍ୟା କରାଯାଇଥିବାରୁ ବଳି ପାଇଁ ଏହି ହତ୍ୟାକାଣ୍ଡ ଘଟିଥିବା ଆଲୋଚନା ହେଉଛି। ତେବେ ପୂର୍ବ ଶତ୍ରୁତା କାରଣରୁ ତାଙ୍କୁ କେହି ହତ୍ୟା କରିଥିବା ଆଶଙ୍କାକୁ ମଧ୍ୟ ଏଡାଇ ଦେଇ ହେବନାହିଁ। କିନ୍ତୁ ହତ୍ୟା ପାଇଁ ହତ୍ୟାକାରୀ ଦଶହରାକୁ ବାଛିଥିବାରୁ ବଳିର ଆଶଙ୍କା ଅଧିକ ବୋଲି କୁହାଯାଉଛି।

ସମ୍ବନ୍ଧିତ ଖବର