ଗୁଣିଆ ଜାଲରେ ପଡ଼ିଗଲେ ୨ ଘଣ୍ଟା; ମୃତ ଛାତ୍ରଙ୍କୁ ବଞ୍ଚାଇବାକୁ ଝଡ଼ାଫୁଙ୍କା, ୧୦୮ ଗରା ପାଣି ଢଳାହେଲା

ରାଇସୁଙ୍ଗୁଡ଼ା : ସାପ କାମୁଡ଼ିଥିବା ଜଣେ କଲେଜ ଛାତ୍ରଙ୍କୁ ଡାକ୍ତର ମୃତ ଘୋଷଣା କରିବା ପରେ ବି ତାଙ୍କୁ ବଞ୍ଚାଇଦେବାକୁ କହି ଜଣେ ଗୁଣିଆ ଦୀର୍ଘ ଦୁଇଘଣ୍ଟା ଧରି ଗାଁରେ ତାମ୍‌ସା କରିଛନ୍ତି। ମୃତଦେହ ଉପରେ ୧୦୮ ଗରା ପାଣି ଢଳାଇବା ସହ ଝଡ଼ାଫୁଙ୍କା କରି ଲୋକଙ୍କୁ ଭୁଆଁ ବୁଲାଇଛନ୍ତି। ଶେଷରେ, କାର୍‌ସାଦି ଧରାପଡ଼ିଯିବ ବୋଲି ଜାଣିପାରି ସେ ଭିଡ଼ର ସୁଯୋଗ ନେଇ ଖସି ଯାଇଛନ୍ତି। ସାଲେପୁର ବ୍ଲକ୍‌ ମିର୍ଜାପୁର ପଞ୍ଚାୟତ କାନପୁର ଗାଁରେ ଏଭଳି ଏକ ଘଟଣା ଘଟିଛି ।

ଖବର ମୁତାବକ, କାନପୁର ଗ୍ରାମର ବୀରକିଶୋର ସାହୁଙ୍କ ପୁଅ ପବିତ୍ର(୧୭) ଗତକାଲି ରାତିରେ ଘରେ ଶୋଇଥିବାବେଳେ ତାଙ୍କୁ ଏକ ରଣା ସାପ କାମୁଡ଼ି ଦେଇଥିଲା। ଗୁରୁତର ଅବସ୍ଥାରେ ପବିତ୍ରଙ୍କୁ ସାଲେପୁର ଗୋଷ୍ଠୀ ସ୍ବାସ୍ଥ୍ର୍ୟକେନ୍ଦ୍ରକୁ ନିଆଯାଇଥିଲା। ତେବେ, ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପରିବାରର ଲୋକେ ପବିତ୍ରଙ୍କ ମୃତଦେହ ଘରକୁ ଆଣିଥିଲେ। ତେବେ, ପବିତ୍ର ମୃତ ବୋଲି ଜାଣିଥିଲେ ବି ଜଣେ ବ୍ୟକ୍ତିଙ୍କ ପରାମର୍ଶରେ ସମ୍ପର୍କୀୟମାନେ ନାନ୍ଦୋଳ ଅଞ୍ଚଳର ଜଣେ ଗୁଣିଆଙ୍କ ସହ ଯୋଗାଯୋଗ କରିଥିଲେ। ଘଟଣା ସମ୍ପର୍କରେ ଶୁଣି ସଂପୃକ୍ତ ଗୁଣିଆ ଝଡ଼ାଫୁଙ୍କା କରି ପବିତ୍ରଙ୍କୁ ବଞ୍ଚା‌ଇଦେବ ବୋଲି ନିର୍ଭର ପ୍ରତିଶ୍ରୁତି ଦେଇଥିଲେ। ଗୁଣିଆଙ୍କ ପରାମର୍ଶ ଅନୁସାରେ ମୃତକଙ୍କ ମୁଣ୍ତରେ ୧୦୮ ଢାଳ ପାଣି ଢଳାଯାଇଥିଲା ଓ ଗୁଣିଆଜଣକ ଏକଘଣ୍ଟା ଧରି ଝଡ଼ାଫୁଙ୍କା କରିଥିଲେ।

ମୃତକ ଜୀବିତ ହେବେ ବୋଲି ଖବର ପ୍ରଚାର ହେବାରୁ ଗୁଣିଆଙ୍କ କାମ ଦେଖିବା ପାଇଁ ସ୍ଥାନୀୟ ଅଞ୍ଚଳର ଶହଶହ ଲୋକ ସେଠାରେ ଭିଡ଼ ଜମାଇଥିଲେ। ଅଧିକ ଲୋକ ଏକାଠି ହେବାରୁ ଗୁଣିଆଜଣକ ଭୟ ପାଇଥିଲେ। ଦୀର୍ଘ ଦୁଇଘଣ୍ଟା ଧରି ସେ ଚଳାଇଥିବା ତାମ୍‌ସା ଧରାପଡ଼ିଯିବ ବୋଲି ସ୍ପଷ୍ଟ ହୋଇଯିବାରୁ ସୁଯୋଗ ଖୋଜି ସେ ଲୋକଙ୍କ ଭିଡ଼ ଭିତରୁ ଖସି ପଳାଇଥିଲେ। ତାଙ୍କୁ ଆଣିଥିବା ବ୍ୟକ୍ତିଜଣକ ମଧ୍ୟ କେଉଁଆଡ଼େ ଉଭାନ୍‌ ହୋଇଯାଇଥିଲେ। ଫଳରେ ଲୋକମାନେ ନିରାଶ ହୋଇ ସ୍ଥାନ ଛାଡ଼ିଥିଲେ। ଏହି ଘଟଣା ସମଗ୍ର ଅଞ୍ଚଳରେ ଚର୍ଚାର ବିଷୟ ହୋଇଛି। ମୃତ ପବିତ୍ର କୁଆଁପାଳସ୍ଥିତ ଜେ.ଏନ୍ କଲେଜରେ +୨ କଳାରେ ଅଧ୍ୟୟନ କରୁଥିଲେ। ତାଙ୍କ ପିତା ବାହାର ରାଜ୍ୟରେ ଥିବାରୁ ସେ ଆସିବା ପରେ ଶେଷକୃତ୍ୟ କରାଯିବ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର