ଠାକୁରାଣୀ ଯାତ୍ରାରେ ଅଜବ ବିଶ୍ବାସ : ପାପ ନଷ୍ଟ ପାଇଁ ଶ୍ରଦ୍ଧାଳୁଙ୍କୁ ଚାବୁକ୍‌ ପାହାର

ମାଲକାନଗିରି : ଅଜବ ବିଶ୍ବାସ। ନିଷ୍ଠୁର ଉପଚାର। ପାପ ଧୋଇବାକୁ ରକ୍ତାକ୍ତ ହେବାକୁ ବି ପଛାଉ ନାହାନ୍ତି। ପାହାର ଉପରେ ପାହାର ବାଜୁଛି ତଥାପି ଯନ୍ତ୍ରଣାକୁ ସହି ଯାଉଛନ୍ତି। ଜଣେ କିମ୍ବା ଦୁଇ ଜଣ ନୁ‌ହେଁ। ଶହ ଶହ ଶ୍ରଦ୍ଧାଳୁଙ୍କ ଉପରେ ବସିଲା ଚାବୁକ୍ ପାହାର। ମାଲକାନଗିରି ଜିଲ୍ଲା କୋରୁକୋଣ୍ଡାଠାରେ ଚାଲିଥିବା ମା’ ମାଉଲୀଙ୍କ ବଡ଼ଯାତ୍ରାରେ ଏମିତି କିଛି ଯନ୍ତ୍ରଣାଦାୟକ ଦୃଶ୍ୟ ଦେଖିବାକୁ ମିଳିଛି।

ଶହ ଶହ ବର୍ଷର ପୁରୁଣା ଏଭଳି ଅଜବ ବିଶ୍ବାସରେ ଏବେ ମଧ୍ୟ ବଞ୍ଚୁଛନ୍ତି ଆଦିବାସୀ । ଯେତେ କଷ୍ଟ ହେଲେ ବି ପୂର୍ବପୁରୁଷଙ୍କ ପ୍ରଥା ଓ ବିଧାନକୁ ସେମାନେ ଅକ୍ଷରେ ଅକ୍ଷରେ ପାଳନ କରୁଛନ୍ତି। ଏଥିପାଇଁ ମନରେ ରହିଛି ଅଗାଧ ଭକ୍ତି ଏବଂ ଭୀଷଣ ଭୟ। ସାମାନ୍ୟ ତ୍ରୁଟି ବିଚ୍ୟୁତି ହେଲେ ଦେବୀ କୋପ କରିବେ। ଆଉ ଦଣ୍ଡ ପୂରା ପରିବାର କିମ୍ବା ଗାଁକୁ ମିଳିବ ବୋଲି ବିଶ୍ବାସ ରହିଛି। ଯାହାର ଉଦାହରଣ ହେଲା ମା’ ମାଉଲୀଙ୍କ ବଡ଼ଯାତ୍ରା। ପ୍ରତି ଦୁଇ ବର୍ଷରେ ଏହି ଯାତ୍ରାକୁ ଅତି ନିଷ୍ଠାର ସହ ଗ୍ରାମବାସୀ ଆୟୋଜନ କରୁଛନ୍ତି। ଯାତ୍ରା ଦେଖିବା ସହ ମାନସିକ କରିବାକୁ ଏଠାରେ ଜିଲ୍ଲା ତଥା ରାଜ୍ୟ ବାହାର ହଜାର ହଜାର ଶ୍ରଦ୍ଧାଳୁଙ୍କ ସାମଗମ ହୋଇଥାଏ। ଯାତ୍ରାରେ ପରଂପରା ରହିଛି ଯେ, ନିଜ ଅର୍ଜିତ ପାପକୁ ନଷ୍ଟ କରିବା ପାଇଁ ଭକ୍ତମାନେ ପୂଜକଙ୍କଠାରୁ ଚାବୁକ୍‌ ପାହାର ଖାଇବେ। ଯେତେ ଯନ୍ତ୍ରଣା ହେଲେ ମଧ୍ୟ ସେମାନେ ଏହି ଚାବୁକ୍‌ ପ୍ରହାରକୁ ସହ୍ୟ କରିଯାଉଛନ୍ତି। ଜଣେ ପୂଜକ ନୁହନ୍ତି, ଦୁଇ ଦୁଇ ଜଣ ପୂଜକ ଦୁଇ ପଟରୁ ଭକ୍ତଙ୍କୁ ପ୍ରହାର କରିଥାନ୍ତି। ଦେହସାରା ଚାବୁକ୍‌ ଖାଇବା ପରେ ଗୋଡ଼ ଏବଂ ହାତକୁ ହସି ହସି ଦେଖାଇବାକୁ ପଛାଇ ନାହାନ୍ତି ଦେବୀଙ୍କ ଉପରେ ପ୍ରବଳ ବିଶ୍ବାସ ରଖିଥିବା ଭକ୍ତ। ଏପରିକି ଚାବୁକ୍ ବାଜି ଧାରଧାର ହୋଇ ରକ୍ତ ବାହାରିଲେ ମଧ୍ୟ ଭକ୍ତ ଏହାକୁ ତିଳେମାତ୍ରା ଖାତିର କରୁନଥିବା ଦେଖିବାକୁ ମିଳିଥିଲା। ବିଶ୍ବାସ ରହିଛି ଯେ, ଚାବୁକ୍ ପ୍ରହାର ଖାଇ ତାହାକୁ ସହ୍ୟ କଲେ ମା ପ୍ରସନ୍ନ ହୁଅନ୍ତି। ପାପ କ୍ଷୟ ହେବା ସହ ପରିବାର କିମ୍ବା ଗାଁର କିଛି କ୍ଷତି ହୋଇନଥାଏ ବୋଲି ଲୋକେ କୁହନ୍ତି। ଭକ୍ତମାନେ ଚାବୁକ୍‌ ଖାଇବା ପରେ ପୂଜକଙ୍କୁ କୁଣ୍ଢାଇ ପକାନ୍ତି। ଏଥିରେ ସମସ୍ତ କଷ୍ଟ ଦୂର ହୋଇଥାଏ ବୋଲି ବିଶ୍ବାସ ରହିଛି। ଏଥିସହ କଣ୍ଟା ଦୋଳିରେ ମଧ୍ୟ ବସି ଝୁଲୁଥିବା ଦେଖିବାକୁ ମିଳୁଛି। ଅନ୍ୟପକ୍ଷରେ, ପରମ୍ପରା ନାଁରେ ଏହି ଅନ୍ଧବିଶ୍ବାସକୁ ବୁଦ୍ଧିଜୀବୀ ମହଲରେ ନାପସନ୍ଦ କରାଯାଇଛି।

ସମ୍ବନ୍ଧିତ ଖବର