ଝିଅ ଅନ୍ୟ ଜାତିରେ ବାହା ହେଲା ବୋଲି ବଳି ପକାଇ ଗାଁକୁ ପବିତ୍ର କରାଇଲେ ଗ୍ରାମବାସୀ

ଶାଳଚୁଆ : ଗାଁ ଦାଣ୍ଡରେ ବସିଛନ୍ତି ଲୋକ। ସାମ୍ନାରେ ରହିଛି କୁକୁଡା ଏବଂ ଛେଳି। ଚାଲିଛି ପୂଜାର୍ଚ୍ଚନା। ପୂଜାର୍ଚ୍ଚନା ପଛର କାହାଣୀ ବି ବେଶ୍‌ ରୋଚକ। ଭିନ୍ନ ଜାତିରେ ବିବାହ କରିଥିବା ଝିଅ ପାଇଁ ଗ୍ରାମ ଅପବିତ୍ର ହୋଇଥିବାରୁ ଗ୍ରାମକୁ ପବିତ୍ର କରାଯାଉଛି। ଅନ୍ଧବିଶ୍ୱାସର ଅନ୍ଧଗଳିରେ ମଣିଷ ଏବେ ବି ବାଟ ହୁଡ଼ୁଛି। ପରମ୍ପରା ନାମରେ ଚାଲିଛି ଏମିତି କାଣ୍ଡ କାରନାମା। ଏ ଅଜବ ଦୃଶ୍ୟ ହେଉଛି ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ବ୍ଲକ୍‌ ଅଧୀନ ପାହାଡ଼ ଜଙ୍ଗଲ ଘେରା ଆଦିବାସୀ ଅଧ୍ୟୁଷିତ ଶରତ ଅଂଚଳର।

ଶରତ ଥାନା ଅଧୀନ ସିଲେଇପୋଖରୀ ଗ୍ରାମର ଜଣେ ସାନ୍ତାଳୀ ସଂପ୍ରଦାୟର ଜଣେ ଝିଅ ମୁଣ୍ଡାରୀ ସଂପ୍ରଦାୟର ପୁଅକୁ ପ୍ରେମ ବିବାହ କରିଥିଲେ। ଯାହାକୁ ବିରୋଧ କରି ଗ୍ରାମରେ ହୋଇଥିଲା ବୈଠକ। ଝିଅଟି ଅନ୍ୟ ଜାତିରେ ବିବାହ କରିଥିବାରୁ ଗ୍ରାମ ଅପବିତ୍ର ହୋଇଯାଇଥିଲା ବୋଲି ସମସ୍ତେ କହିଥିଲେ। ତେଣୁ ସଂପ୍ରଦାୟର ପରମ୍ପରା ଅନୁସାରେ ଝିଅର ବାପାକୁ ଗ୍ରାମ ପବିତ୍ର କରିବା ନିମନ୍ତେ ପୂଜାର୍ଚ୍ଚନା କରିବାକୁ କୁହାଯାଇଥିଲା। ଝିଅର ବାପା ଗୋଟିଏ ବୋଦା, ତିନିଟି କୁକୁଡା, ଚାଉଳ ଆଦି ସାମଗ୍ରୀ ଗ୍ରାମର ମୁଖିଆଙ୍କୁ ପ୍ରଦାନ କରିଥିଲେ। ପରେ ପୂଜାର୍ଚ୍ଚନା ହେବା ସହିତ ବୋଦା ଏବଂ କୁକୁଡାକୁ ବଳି ଦିଆଯାଇ ତାହାର କିଛି ବୁନ୍ଦା ରକ୍ତକୁ ପାଣିରେ ମିଶାଇ ପୁରା ଗ୍ରାମରେ ସିଂଚନ କରାଯାଇଥିଲା। ଲୋକଙ୍କ କହିବା କଥା ଏହା ଦ୍ବାରା ଗ୍ରାମଟି ପବିତ୍ର ହେବା ସହିତ ଝିଅଟି ସାନ୍ତାଳୀ ସଂପ୍ରଦାୟରୁ ଆସି ମୁଣ୍ଡାରୀ ସଂପ୍ରଦାୟର ବୋହୂ ହେବାକୁ ଅନୁମତି ପାଇଲା। ତେବେ ଏମିତି ପ୍ରଥା, ପରମ୍ପରା ଆଳରେ ମଣିଷ ଅନ୍ଧବିଶ୍ବାସକୁ ପ୍ରଶ୍ରୟ ଦେଉଥିବା ଚର୍ଚ୍ଚା ହେଉଛି।

ସମ୍ବନ୍ଧିତ ଖବର