ଗୁଣି ଗାରେଡ଼ି ସନ୍ଦେହରୁ ପ୍ରବଳ ମାଡ଼

ପଟ୍ଟାମୁଣ୍ଡାଇ : ଗୁଣିଗାରେଡ଼ି ସନ୍ଦେହରେ ଜଣେ ବ୍ୟକ୍ତିଙ୍କୁ ଲୋକେ ମନ୍ଦିରରୁ ଟାଣି ନେଇ ଗାଁ ଦାଣ୍ଡରେ ନିସ୍ତୁକ ମାଡ଼ ମାରିଛନ୍ତି। ବିଧା, ଗୋଇଠା ମାରି ତାଙ୍କୁ ଦରମରା କରିଛନ୍ତି। ଏ ଘଟଣା କୋରାପୁଟ କି ମାଲକାନାଗିରି ଅଞ୍ଚଳର ନୁହେଁ, ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ ଓସଙ୍ଗରା ଗାଁରେ। ଗତକାଲିର ଏହି ଘଟଣା ସଂପର୍କରେ ବ୍ୟକ୍ତି ଜଣକ ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ ଘଟଣାର ତଦନ୍ତ ଚଳାଇଛି।

ଗତକାଲି ଓସଙ୍ଗରା ଗ୍ରାମର ଗଗନ ବାରିକ ଗ୍ରାମଦେବତୀ ମା’ ବୁଢ଼ି ଜାଗୁଳାଇ ମନ୍ଦିରକୁ ପୂଜା କରିବାକୁ ଆସିଥିଲେ। ଏହି ସମୟରେ ସେହି ଗ୍ରାମର ଏକ ଦଳିତ ପରିବାରର ପୁରୁଷ ଓ ମହିଳାମାନେ ମନ୍ଦିର ଭିତରେ ପଶି ଗଗନଙ୍କୁ ଟାଣି ଆଣିଥିଲେ। ଗୁଣିଗାରେଡ଼ି କରି ଦଳିତ ସାହିର ୫ ଜଣଙ୍କୁ ପାଗଳ କରିଦେଇଥିବା ଅଭିଯୋଗ ଆଣି ସେମାନେ ଗଗନଙ୍କୁ ଗାଁ ଦାଣ୍ଡରେ ନିସ୍ତୁକ ମାଡ଼ ମାରିଥିଲେ। ତାଙ୍କ ଉପରେ ବିଧା, ଗୋଇଠା ବର୍ଷିଥିଲା। ଗାଁ ଲୋକେ ଛିଡ଼ା ହୋଇ ଘଟଣା ଦେଖୁଥିଲେ ବି କେହି ପ୍ରତିବାଦ କରି ନ ଥିଲେ। ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ ଓସଙ୍ଗରା ଗାଁରେ ଏଭଳି ଘଟଣା ଘଟିଛି। ଗୁଣି ଗାରେଡି ସନ୍ଦେହରେ ଏହି ଗାଁର ଗଗନ ବାରିକ ମାଡ ଖାଇ ଆହତ ହୋଇଥିବାର ଥାନାରେ ଅଭିଯୋଗ ହୋଇଛି। ଗଗନଙ୍କ ଚିତ୍କାର ଶୁଣି ସେଠାରେ ତାଙ୍କ ପରିବାର ଲୋକେ ପହଞ୍ଚିଥିଲେ। ସେମାନେ ତାଙ୍କୁ ଉଦ୍ଧାର କରି ଥାନାକୁ ନେଇଥିଲେ। ଗଗନ ଏ ନେଇ ପଟ୍ଟାମୁଣ୍ଡାଇ ଥାନାରେ ଏତଲା ଦେଇଛନ୍ତି। ଗାଁର ରବି ମଳିକ, ଅନାଦି ମଳିକ, ଲିଭା ମଳିକ, ଭୀମ ମଳିକ, ଝଲି ମଳିକ, ପୂଜା ମଳିକ ପ୍ରମୁଖ ତାଙ୍କୁ ମାଡ଼ ମାରିଥିବା ଏତଲାରେ ଦର୍ଶାଇଛନ୍ତି। ଅଭିଯୁକ୍ତ ମାନଙ୍କୁ ଖୁବ ଶୀଘ୍ର ଗିରଫ କରାଯିବା ବୋଲି ପୁଲିସ କହିଛି।

ସମ୍ବନ୍ଧିତ ଖବର