ରାଉରକେଲା: ଦୁଇ ଆଖିକୁ ଦିଶୁନି। ଶତ ପ୍ରତିଶତ ଦୃଷ୍ଟିହୀନ। ବହୁ ପ୍ରତିକୂଳ ପରିସ୍ଥିତିର ସମ୍ମୁଖୀନ ହୋଇଛନ୍ତି। ସାହି ପଡ଼ିଶାଙ୍କ ଟାହିଟାପରା ବି ସହିଛନ୍ତି। ଅନେକ ଥର ଭାଙ୍ଗି ବି ପଡ଼ିଛନ୍ତି; କିନ୍ତୁ କେବେ ବି ଲକ୍ଷ୍ୟ ପଥରୁ ବିଚ୍ୟୁତ ହୋଇନାହାନ୍ତି। ଅସଂଖ୍ୟ ଦୃଷ୍ଟିହୀନ ଦିବ୍ୟାଙ୍ଗ ଭଳି ଅନ୍ୟ ଉପରେ ନିର୍ଭରଶୀଳ ନ ହୋଇ ସ୍ୱାବଲମ୍ବୀ ହେବାର ସ୍ୱପ୍ନ ଦେଖିଥିଲେ। ଇଚ୍ଛା ଥିଲା ଶିକ୍ଷକତା ବୃତ୍ତିକୁ ଆପଣେଇ ମଣିଷ ଗଢ଼ିବା। ନିଷ୍ଠାପର ପରିଶ୍ରମ ବଳରେ ଏହି ସ୍ବପ୍ନକୁ ପୂରଣ କରି ଏବେ ସହଶ୍ରାଧିକ ଛାତ୍ରଙ୍କୁ ଶିକ୍ଷାଦାନ କରୁଛନ୍ତି। ଏ ହେଉଛନ୍ତି ଶିକ୍ଷକତାକୁ ବ୍ରତୀ କରିଥିବା ଇସ୍ପାତ ସହରର ଦୃଷ୍ଟିହୀନ ଦଂପତି ଦିବ୍ୟ ସୁନ୍ଦର ପରିଡ଼ା ଓ ଅପରାଜିତା ପରିଡ଼ା। ଦିବ୍ୟସୁନ୍ଦର ଏବେ ସେକ୍ଟର-୧୬ ସରକାରୀ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ଥିବାବେଳେ ଅପରାଜିତ ସୁଶୀଳାବତୀ ମହିଳା ମହାବିଦ୍ୟାଳୟର ରାଜନୀତି ବିଜ୍ଞାନର ଅଧ୍ୟାପିକା। ପୃଥକ୍‌ ପୃଥକ୍‌ଭାବେ ଜୀବନ ଯୁଦ୍ଧ ଲଢ଼ିଥିବା ଦିବ୍ୟ ସୁନ୍ଦର ଓ ଅପରାଜିତା ଏବେ ଏକ ହୋଇ ମଣିଷ ଗଢ଼ିବା‌ରେ ଅଗ୍ରସର।

Advertisment

publive-image

ଦିବ୍ୟ ସୁନ୍ଦର(୩୯)ଙ୍କ ବାପା ସ୍ୱର୍ଗତ ଚନ୍ଦ୍ର ଶେଖର ପରିଡ଼ା ଜଣେ ଆର୍‌ଏସ୍‌ପି କର୍ମଚାରୀ ଥିବାବେଳେ ମା’ ବାସନ୍ତୀ ଲତା ଥିଲେ ଜଣେ ଗୃହିଣୀ। ଦୁଇ ଭାଇ ଓ ୩ ଭଉଣୀ, ମୋଟ୍‌ ୫ ଭାଇଭଉଣୀଙ୍କ ମଧ୍ୟରୁ ଦିବ୍ୟସୁନ୍ଦର ଥିଲେ ସବା ସାନ। ଆଜନ୍ମ ଦୃଷ୍ଟିହୀନ ଦିବ୍ୟ ସୁନ୍ଦରଙ୍କ ବାଲ୍ୟ ଜୀବନ ଏତେ ସୁଖମୟ ନ ଥିଲା। ଯଦିଓ ପରିବାର ସଦସ୍ୟ, ପ୍ରିୟଜନଙ୍କ ପୂର୍ଣ୍ଣ ସମର୍ଥନ ଥିଲା, କିନ୍ତୁ ସାହି ପଡ଼ିଶା ଲୋକେ ଭିନ୍ନ ଚକ୍ଷୁରେ ଦେଖୁଥିଲେ। କ’ଣ ହେବ ଭବିଷ୍ୟତ, କେମିତି ଚଳିବେ ସେନେଇ ଯାବତୀୟ କଥା ଶୁଣିବାକୁ ପଡ଼ୁଥିଲା। ତେବେ ପରିବାରବର୍ଗ ଆକୁଣ୍ଠ ସମର୍ଥନ ଦେଇ ପାଠ ପଢ଼ିବାକୁ ଉତ୍ସାହିତ କରିଥିଲେ। ଏଣୁ ଦିବ୍ୟ ସୁନ୍ଦର ସୁନ୍ଦରଗଡ଼ ସ୍ଥିତ ସ୍କୁଲ ଫର୍‌ ବ୍ଲାଇଣ୍ଡ୍‌ରୁ ପ୍ରଥମରୁ ସପ୍ତମ, ବୁର୍ଲା ସ୍ଥିତ ବ୍ଲାଇଣ୍ଡ୍‌ ସ୍କୁଲରେ ହାଇସ୍କୁଲରେ ପାଠ ପଢ଼ିଥିଲେ। ଏହାପରେ ସେ ବିଜେବି କଲେଜରୁ ଯୁକ୍ତ ଦୁଇ ଓ ଯୁକ୍ତ ତିନି ଓଡ଼ିଆ ସମ୍ମାନରେ ସଫଳତାର ସହ କୃତକାର୍ଯ୍ୟ ହୋଇଥିଲେ। ପରେ ବାଣୀବିହାର ବିଶ୍ୱବିଦ୍ୟାଳୟ(ଭୁବନେଶ୍ୱର)ରୁ ସ୍ନାତକୋତ୍ତର ଓ ଡିପ୍ଲୋମା ଇନ୍‌ ସ୍ପେଶାଲ୍‌ ଏଜୁକେଶନରେ ବି.ଇଡି ଶିକ୍ଷା ଲାଭ କରିଥିଲେ। ଏହାପରେ ସେ ୨୦୦୮ ମସିହାରେ ସରକାରୀ ଶିକ୍ଷକଭାବେ ନିଯୁକ୍ତି ପାଇଥିଲେ। ଶିକ୍ଷକତା ବାଦ୍‌ ଗୀତ ଗାଇବା ହେଉଛି ଦିବ୍ୟ ସୁନ୍ଦରଙ୍କ ପ୍ରଥମ ପସନ୍ଦ। ଘରେ କ୍ୟାସିଓ ରଖି ରୀତିମତ ସଙ୍ଗୀତ ଅଭ୍ୟାସ କରିବାସହ ବିଗତ ଦିନରେ ଏକାଧିକ ସାଂସ୍କୃତିକ କାର୍ଯ୍ୟକ୍ରମରେ ବି ସଙ୍ଗୀତ ପରିବେଷଣ କରିଛନ୍ତି।

publive-image

ସେହିଭଳି ଅପରାଜିତା ମଧ୍ୟ ପିଲାଟି ଦିନରୁ ଦୃଷ୍ଟିଶକ୍ତି ହରାଇଥିଲେ। ଅପରାଜିତାଙ୍କ ବାପା ବଟକୃଷ୍ଣ ସାମଲ ଆର୍‌ଏସ୍‌ପି କର୍ମଚାରୀ ଥିଲେ। ପରିବାର କହିଲେ ମା’ ନନ୍ଦିନୀ ସାମଲ ଓ ଦୁଇ ଭାଇ। ଦୃଷ୍ଟିହୀନ ହୋଇଥିଲେ ମଧ୍ୟ ପାଠପଢ଼ିବାକୁ ଅପରାଜିତାଙ୍କର ବହୁତ ଇଚ୍ଛା ଥିଲା। ଭବି‌ଷ୍ୟତରେ ଶିକ୍ଷକତା କରିବାକୁ ପିଲାଟି ଦିନରୁ ହିଁ ସ୍ବପ୍ନ ଦେଖିଥିଲେ। ଏହାକୁ ପୂରଣ କରିବାକୁ କିନ୍ତୁ ତାଙ୍କ ପକ୍ଷେ ଏତେ ସହଜ ନଥିଲା। କିନ୍ତୁ ପରିବାରର ସମର୍ଥନ ବଳରେ ସେ ସ୍କୁଲ ଫର୍‌ ବ୍ଲାଇଣ୍ଡ୍‌ରୁ ପ୍ରଥମରୁ ସପ୍ତମ, ଭୀମ ଭୋଇ ବ୍ଲାଇଣ୍ଡ୍‌ ସ୍କୁଲ (ଭୁବନେଶ୍ୱର)ରୁ ହାଇସ୍କୁଲ, ରମାଦେବୀ କଲେଜରୁ ଯୁକ୍ତ ଦୁଇ ଓ ସ୍ନାତକ ଶିକ୍ଷା ଗ୍ରହଣ କରିଥିଲେ। ପରେ ବାଣୀବିହାର ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ସ୍ନାତକୋତ୍ତର ଶେଷ କରିଥିଲେ। ଏହାପରେ ସେ ବି.ଇଡି ଶିକ୍ଷା ମଧ୍ୟ ସଫଳତାର ସହ ପାସ୍‌ କରିଥିଲେ। ହାଇସ୍କୁଲରୁ ସ୍ନାତକୋତ୍ତର ପର୍ଯ୍ୟନ୍ତ; ସବୁଥିରେ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିଲେ ଅପରାଜିତା। ୨୦୧୩ ମସିହାରେ ଅପରାଜିତା ଝୀରପାଣି ସ୍ଥିତ ପ୍ରାଥମିକ ସ୍କୁଲରେ ସରକାରୀ ଶିକ୍ଷକଭାବେ ନିଯୁକ୍ତ ହୋଇଥିଲେ। ପ୍ରାୟ ୩ ବର୍ଷଧରି ସ୍କୁଲରେ ଶିକ୍ଷାକତା କରିବାପରେ ୨୦୧୬ ଫେବ୍ରୁଆରୀ ମାସରେ ସୁଶୀଳାବତୀ ମହିଳା ମହାବିଦ୍ୟାଳୟରେ ରାଜନୀତି ବିଜ୍ଞାନର ଅଧ୍ୟାପିକାଭାବେ ନିଯୁକ୍ତି ପାଇଥିଲେ।

publive-image

୨୦୧୬ ମସିହା ନଭେମ୍ବର ମାସରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ଦିବ୍ୟ ସୁନ୍ଦର ଓ ଅପରାଜିତା। ସେତେବେଳେ ଏହି ବିବାହ ଚର୍ଚ୍ଚାର ବିଷୟ ପାଲଟିଥିଲା। ଦୃଷ୍ଟିହୀନ ଦଂପତିଙ୍କୁ ଚାରିଆଡ଼ୁ ପ୍ରଶଂସାର ସୁଅ ଛୁଟିବା ସହ ସେମାନଙ୍କର ଜୟଯାତ୍ରାକୁ ଉଚ୍ଚ ପ୍ରଶଂସିତ ହୋଇଥିଲା। ବିବାହ ପୂର୍ବରୁ ଉଭେୟ ପରସ୍ପରଙ୍କ ବିଷୟରେ ଜାଣିଥିଲେ। ଉଭୟଙ୍କ ଘରେ ବିବାହ ପାଇଁ ଆଲୋଚନା ଆରମ୍ଭ ହେବାରୁ ଉଭୟେ ପରସ୍ପରକୁ ଜୀବନ ସାଥୀଭାବେ ବାଛିନେବାକୁ ସମ୍ମତି ଜଣାଇଥିଲେ। ଏବେ ସେମାନଙ୍କର ଅଢ଼େଇ ବର୍ଷର ପୁଅ ଦୀପେନ୍ଦୁ। ତିନି ପ୍ରାଣୀଙ୍କୁ ନେଇ ହସଖୁସିର ଜୀବନ ବିତୁଛି ସେକ୍ଟର-୧୮, କ୍ବାର୍ଟର ନଂ ଇ-୨୮ରେ। ସେମାନଙ୍କ ସହିତ ଭାଇ-ଭାଉଜ ରହୁଛନ୍ତି, କିନ୍ତୁ ସେମାନେ ଏବେ କାହା ଉପରେ ବୋଝ ହୋଇରହିନାହାନ୍ତି। ଉଭୟେ ଏକା ଏକା ସ୍କୁଲ/କଲେଜକୁ ଯାଇ ଅନାୟାସରେ ଶିକ୍ଷାଦାନ କରିବା ସହ ଏକମାତ୍ର ପୁଅକୁ ମଧ୍ୟ ଘରେ ଶିକ୍ଷାଦାନ କରୁଛନ୍ତି। ପୁଅ ଦୀପେନ୍ଦୁଙ୍କର କୌଣସି ଦୃଷ୍ଟିଶକ୍ତି ସଂପର୍କୀତ ସମସ୍ୟା ନାହିଁ। ପୁଅକୁ ଅନୁଭବ କରିବାକୁ ଦେଉନାହାନ୍ତି ଯେ ଉଭୟେ ଦୃଷ୍ଟିହୀନ।

ଏନେଇ ଦିବ୍ୟ ସୁନ୍ଦରଗଡ଼ ଓ ଅପରାଜିତା କହିଛନ୍ତି, ଛୋଟବେଳେ ଅନେକ ଟାହିଟାପରା ଶୁଣିବାକୁ ମିଳୁଥିଲା। ଆମର ଭବିଷ୍ୟତ ନେଇ ଲୋକେ ଭିନ୍ନ ଭିନ୍ନ ମତ ଦେଉଥିଲେ। କିନ୍ତୁ ପରିବାର ସଦସ୍ୟଙ୍କ ଆକୁଣ୍ଠ ସମର୍ଥନ ଓ ନିରବଚ୍ଛିନ୍ନ ପ୍ରୋତ୍ସାହନ ବଳରେ ଶିକ୍ଷା ଗ୍ରହଣ କରିଥିଲୁ। ପରେ ଅଧ୍ୟାପନାକୁ ବୃତ୍ତିଭାବେ ବାଛି ପିଲାଙ୍କୁ ମଣିଷ କରିବାର ଜିମ୍ମା ଉଠାଇଛୁ। ସମାଜରେ ପରିବର୍ତ୍ତନ ଘଟିଛି। ପୂର୍ବଭଳି ଆଉ ଦୃଷ୍ଟିହୀନ କିମ୍ବା ଅନ୍ୟ ଦିବ୍ୟାଙ୍ଗଙ୍କୁ ଭିନ୍ନ ଚକ୍ଷୁରେ ଦେଖୁନାହାନ୍ତି। ସ୍କୁଲ/କଲେଜକୁ ଗଲେ ଛାତ୍ରଛାତ୍ରୀ, ସହକର୍ମୀ ସ୍ବତଃସ୍ପୂର୍ତ୍ତଭାବେ ଆଗେଇ ଆସି ସାହଯ୍ୟ କରିଥାନ୍ତି। ଗମନାଗମନରେ ମଧ୍ୟ ବହୁମାତ୍ରାରେ ସହାଯ୍ୟ ମିଳିଥାଏ। ଜଣେ ଦିବ୍ୟାଙ୍ଗ ହେଉ ଅବା ସାଧାରଣ ମଣିଷ; ସମସ୍ତଙ୍କ ଜୀବନରେ କିଛି ନା କିଛି ସମସ୍ୟା ଲାଗିରହିଥାଏ। ପ୍ରଥମେ ନିଜର ସମସ୍ୟାକୁ ସ୍ବୀକାର କରନ୍ତୁ। ଏହି ସମସ୍ୟାକୁ ଏକ ଅଭିଶାପ ନ ଭାବି ଆଶୀର୍ବାଦଭାବେ ବିବେଚନା କରିବା ଶେୟସ୍କର। ଏହାପରେ ନିଜ ଉପରେ ଶତ ପ୍ରତିଶତ ଭରସା ରଖି ଶୃଙ୍ଖଳିତଭାବେ ଧାର୍ଯ୍ୟ ଲକ୍ଷ୍ୟପଥରେ ଆଗେଇଲେ; ସଫଳତା ମିଳିବା ନିଶ୍ଚିତ।