୩ ମୁଣ୍ଡ ଗଡ଼ିବ ଅମାବାସ୍ୟାରେ! : ଭୌତିକ କାଣ୍ଡକୁ ନେଇ ଆତଙ୍କ

ତିହିଡ଼ି : ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଲକ ବାମନବିନ୍ଧା ପଞ୍ଚାୟତ ଅଧୀନ କାନପୁର ଗାଁରେ ଗତ କିଛି ଦିନ ହେଲା ଭୂତ ଲାଗିବା ଓ ନାନା ଅଘଟଣ ଘଟିବା ଭଳି କିଛି ଭୌତିକ କାଣ୍ଡକୁ ନେଇ ଆତଙ୍କର ବାତାବରଣ ସୃଷ୍ଟି ହୋଇଛି। ଭୂତ ଲାଗିବା ସମୟରେ କେତେକ ବାଳିକା ଆଜି ଅମାବସ୍ୟା ତିଥିରେ ଗାଁରେ ତିନି ଜଣଙ୍କ ମୁଣ୍ଡ ଗଡ଼ିବ ବୋଲି କହିବା ପରେ ଏହାକୁ ବିଶ୍ୱାସ କରି ଗାଁ ସାରା ଲୋକେ ଆତଙ୍କିତ ହେବା ସହ କେତେକ ଲୋକ ଗାଁ ଛାଡ଼ି ଅନ୍ୟତ୍ର ଚାଲି ଯାଉଛନ୍ତି। ଏହାଛଡ଼ା ଆଜି ଶନିବାର ଅମାବାସ୍ୟା ଥିବାରୁ ଶତାଧିକ ଗ୍ରାମବାସୀ ରାତି ସାରା ଉଜାଗର ରହି ଗାଁରେ ଜଗି ରହିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି ।

ଗ୍ରାମବାସୀଙ୍କ କହିବା ଅନୁଯାୟୀ ଗତ କିଛି ଦିନ ହେଲା କାନପୁର ଗାଁରେ ଛୋଟ ଛୋଟ ପିଲାଙ୍କୁ କୌଣସି ପ୍ରେତାତ୍ମା ସବାର ହେବା ସମୟରେ ସେମାନେ ବାଉଳିଚାଉଳି ହେବା ସହ ଏହି ଗାଁରେ ତନ୍ତ୍ର ସାଧନା କରୁଥିବା ଜଣେ ବ୍ୟକ୍ତି ଅମାବସ୍ୟାରେ(ଆଜି) ଗାଁର ଛୋଟ ପିଲା ଓ ଗର୍ଭବତୀ ସ୍ତ୍ରୀଲୋକଙ୍କର ୩ଟି ମୁଣ୍ଡ ନେଇ ନିଜ ମନସ୍କାମନା ପୂରଣ କରିବ ବୋଲି କହିବା ପରେ ଗାଁରେ ଆତଙ୍କ ଖେଳିଯାଇଥିଲା। ଏହାକୁ ବିଶ୍ୱାସ କରି ଗାଁର କିଛି ପରିବାର ଭୟରେ ଛୋଟ ପିଲା ଓ ପ୍ରସୂତି ମହିଳାମାନଙ୍କୁ ବନ୍ଧୁବାନ୍ଧବଙ୍କ ଘରେ ଛାଡ଼ି ଦେଇଥିଲେ।

ତେବେ କୌତୂହଳର ବିଷୟ ହେଲା, ଗାଁର ଜଣେ ୭/୮ ବର୍ଷର ବାଳିକା ବେକରେ ରଶି ଦେଇ ଆତ୍ମହତ୍ୟା ଉଦ୍ୟମ କରୁଥିବା ବେଳେ ଗ୍ରାମବାସୀ ତାକୁ ଅଳ୍ପକେ ମୃତ୍ୟୁ ମୁହଁରୁ ରକ୍ଷା କରିଛନ୍ତି । ଅପରପକ୍ଷେ ଅନ୍ୟ ଜଣେ ବାଳିକା ପୋଖରୀରେ ବୁଡ଼ି ଯାଉଥିବାବେଳେ ପରିବାର ଲୋକେ ତାକୁ ଉଦ୍ଧାର କରିଛନ୍ତି। ଏଭଳି ଅଘଟଣ ଘଟିବା ପରେ ଦୁଇ ପରିବାର ଏତେ ଭୟଭୀତ ହୋଇ ଯାଇଛନ୍ତି ଯେ ଘରେ ତାଲା ପକାଇ ଗାଁ ଛାଡ଼ି ବାହାରକୁ ପଳାଇ ଯାଇଛନ୍ତି।

ସମ୍ବନ୍ଧିତ ଖବର