କନ୍ଧମାଳରେ ଅନ୍ଧବିଶ୍ୱାସ ନିଆଁ : ଓଲଟା ଝୁଲାଇ ଝୁଣା ଝାସ

ଫୁଲବାଣୀ : ଠାକୁରାଣୀଙ୍କ ଉପାସନା କରୁଥିବା ମାଆଙ୍କ ମନରେ ବିଶ୍ୱାସ ଜନ୍ମାଇଲେ, ଦୈବୀ କୃପାରୁ ତାଙ୍କ ଦିବ୍ୟାଙ୍ଗ ଯୁବକ ପୁଅ ସୁସ୍ଥ ହୋଇଯିବ। ବାଲିଗୁଡ଼ା ମହାମାୟୀ ଠାକୁରାଣୀଙ୍କ ନିକଟରେ ଓଲଟା ଝୁଲାଇ ଝୁଣା ଝାସ ଦେଲେ ସେ ସମସ୍ତଙ୍କ ଭଳି ସେ ସ୍ୱାଭାବିକ ସ୍ୱାସ୍ଥ୍ୟବାନ୍‌ ହୋଇ ଜୀବନ ଜିଇଁବ। ଏମିତି ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ଦିବ୍ୟାଙ୍ଗ ଯୁବକ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସହର ଭଗମୁଣ୍ଡା ସାହିର ଭବାନୀ ଶଙ୍କର ନନ୍ଦ(୩୦) ନିଆଁରେ ପୋଡ଼ି ହୋଇ ଗୁରୁତର ହୋଇଛନ୍ତି। ଘଟଣାକୁ ଲୁଚାଇ ରଖି ମନ୍ଦିରରେ ଏକ କୋଠରୀରେ ତାଙ୍କୁ ଗୁରୁତର ଅବସ୍ଥାରେ ପକାଇ ରଖା ଯାଇଥିଲା। ଦେଶୀ ଚିକିତ୍ସା ଚାଲିଥିଲା। ହେଲେ ପୁଅର ଅବସ୍ଥା ସଂକଟାପନ୍ନ ହେବା ଦେଖି ମାଆ ଜିଦ୍‌ ଧରି ପୁଅକୁ ଆଜି ମେଡିକାଲରେ ଭର୍ତ୍ତି କରାଇବା ପରେ ଘଟଣା ପଦାକୁ ଆସିଛି। ପୁଲିସ ନିଜ ଆଡୁ ମାମଲା ରୁଜୁ କରି ମନ୍ଦିରର ଦୁଇ ଜଣ ପୂଜକଙ୍କୁ ଗିରଫ କରିଛି।

ଭବାନୀ ଜଣେ ଦିବ୍ୟାଙ୍ଗ। ପୁଅ ଭବାନୀଙ୍କୁ ଭଲ କରି ଦେବା ମନାସି ତାଙ୍କ ମା’ ଗାଁ ମୁଣ୍ଡରେ ଥିବା ମହାମାୟୀ ମନ୍ଦିରକୁ ନିୟମିତ ଯାଇ ପ୍ରାର୍ଥନା କରିଥାନ୍ତି। ମନ୍ଦିରକୁ ଯାଉଥିବା ଅନ୍ୟ ଜଣେ ମହିଳାଙ୍କୁ ଠାକୁରାଣୀ କୁଆଡ଼େ ସ୍ୱପ୍ନାଦେଶ ଦେଇ ଭବାନୀଙ୍କୁ ଝୁଣା ଝାସ ଦେଲେ ସେ ଭଲ ହୋଇଯିବ ବୋଲି କହିଥିଲେ। ଏହା ଜାଣିବା ପରେ ଭବାନୀଙ୍କୁ ନେଇ ଗତ ଶନିବାର ଦିନ ତାଙ୍କ ମାଆ ମନ୍ଦିରରେ ପହଞ୍ଚିଥିଲେ। ସେଠାରେ ଭବାନୀଙ୍କ ଗୋଡ଼ ଉପରକୁ ଓ ମୁଣ୍ଡ ତଳକୁ କରି ଝୁଲାଇ ନିଆଁ ଝୁଣା ଝାସ ଦିଆଯାଇଥିଲା। ୩-୪ ଥର ଝାସ ଦେବା ପରେ ଭବାନୀଙ୍କ ଶରୀରର ୨୦ରୁ ୩୦ ପ୍ରତିଶତ ପୋଡ଼ି ଯାଇଥିଲା। ସେ ଚିତ୍କାର କରିବାରୁ ତାଙ୍କୁ ଆଉ ଝାସ ଦିଆଗଲା ନାହିଁ। ଭବାନୀଙ୍କ ଅବସ୍ଥା ଗୁରୁତର ଥିଲେ ମଧ୍ୟ ତାଙ୍କୁ ସେ ଦିନ ଠାରୁ ମନ୍ଦିରରେ ହିଁ ରଖାଯାଇ ଦେଶୀ ଚିକିତ୍ସା ଚାଲିଥିଲା। ମାଆ ଜିିଦ୍‌ ଧରିବାରୁ ଆଜି ସକାଳେ ତାଙ୍କୁ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ସମ୍ବନ୍ଧିତ ଖବର