ଦାନଗଦୀ : ଗୁଣି ସନ୍ଦେହରେ ମହିଳାଙ୍କ ମୁଣ୍ଡ କାଟି ହତ୍ୟା, କଟାମୁଣ୍ଡ ସହ ଅଭିଯୁକ୍ତକୁ ଧରିଲା ପୁଲିସ

ଦାନଗଦୀ : ଗୁଣି ସନ୍ଦେହରେ ଘଟିଛି ବୀଭତ୍ସ ହତ୍ୟାକାଣ୍ଡ। ଜଣେ ବୃଦ୍ଧାଙ୍କ ଗଣ୍ଡି ମୁଣ୍ଡ ଅଲଗା କରି ଦିଆଯାଇଛି। ପରେ ପୁଲିସ କଟାମୁଣ୍ଡ ସହ ଅଭିଯୁକ୍ତକୁ ଗିରଫ କରିଛି। ଏଭଳି ଘଟଣା ଘଟିଛି ଯାଜପୁରରୋଡ ଥାନା ତଥା ଦାନଗଦୀ ଫାଣ୍ଡି ଅନ୍ତର୍ଗତ ଓଲଳ ପଞ୍ଚାୟତ ଗୋଡ଼ିଗୋଠ(ଛତରା) ଗ୍ରାମରେ । ମୃତ ବୃଦ୍ଧା ଜଣକ ହେଲେ ଏହି ଗ୍ରାମର ସ୍ବର୍ଗତ ରସାନନ୍ଦ ପୂର୍ତ୍ତିଙ୍କ ପତ୍ନୀ ନନ୍ଦିନୀ ପୂର୍ତ୍ତି(୬୫)। ଜଣେ ପଡ଼ୋଶୀଙ୍କ ମୃତ୍ୟୁ ପରେ ଏପରି ବୀଭତ୍ସ କାଣ୍ଡ ଘଟିଛି।

ସୂଚନା ଅନୁଯାୟୀ, ଗୋଡ଼ିଗୋଠ ଗ୍ରାମର ସନାତନ କେରେଇ(୨୮) ଅସୁସ୍ଥ ଥିଲେ। ତାଙ୍କୁ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ତେବେ ସେଠାରୁ ଫେରିବା ପରେ ଘରେ ଆଜି ତାଙ୍କର ମୃତ୍ୟୁ ହୋଇଥିଲା। ସନାତନଙ୍କ ଦାଦା ପୁଅ ଭାଇ ତଥା ରବି କେରେଇଙ୍କ ପୁଅ କାର୍ତ୍ତିକ କେରେଇ(୨୪) ଏନେଇ ପଡ଼ୋଶୀ ନନ୍ଦିନୀ ପୂର୍ତ୍ତିଙ୍କ ଉପରେ ସନ୍ଦେହ କରିଥିଲେ। ଗୁଣିଗାରେଡ଼ି କରି ନନ୍ଦିନୀ ତାଙ୍କ ଭାଇଙ୍କୁ ମାରି ଦେଇଥିବା ଭାବି ତାଙ୍କୁ ହତ୍ୟା କରିବାକୁ ନିଷ୍ପତ୍ତି ନେଇଥିଲେ। ଆଜି ଅପରାହ୍ଣରେ ଏକ ଟାଙ୍ଗିଆ ଧରି ନନ୍ଦିନୀଙ୍କ ଘରେ ପହଞ୍ଚି ତାଙ୍କୁ ହାଣି ଦେହରୁ ମୁଣ୍ଡକୁ ଅଲଗା କରିଦେଇଥିଲେ। କଟା ମୁଣ୍ଡକୁ ଧରି କାର୍ତ୍ତିକ ଫେରାର ହୋଇଯାଇଥିଲା। ଦାନଗଦୀ ପୁଲିସ ନିକଟସ୍ଥ ବିଲରୁ ରାତି ପ୍ରାୟ ୮ଟା ବେଳେ ଅଭିଯୁକ୍ତ କାର୍ତ୍ତିକକୁ କାବୁ କରିବା ସହ ଟାଙ୍ଗିଆ ଓ କଟା ମୁଣ୍ଡକୁ ଜବତ କରିଥିଲା।

ପ୍ରକାଶ ଯେ, ଗତକାଲି ବାଡ଼ିରେ ଏକ ଗାଈ ପଶିଯିବାକୁ ନେଇ ନନ୍ଦିନୀ ଓ କାେର୍ତ୍ତିକଙ୍କ ପରିବାର ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଆଜି କାର୍ତ୍ତିକଙ୍କ ଭାଇ ସନାତନଙ୍କ ଡାକ୍ତରଖାନାରେ ମୃତ୍ୟୁ ହୋଇଥିଲା। ହେଲେ ନନ୍ଦିନୀ ପ୍ରତିଶୋଧ ନେବାକୁ ଗୁଣିଗାରେଡ଼ି କରି ଭାଇକୁ ମାରିଦେଲା ବୋଲି କାର୍ତ୍ତିକ ସନ୍ଦେହ କରିଥିଲା। ଏହାପରେ ସେ ରକ୍ତମୁଖା ହୋଇ ଏକ ଟାଙ୍ଗିଆ ନେଇ ନନ୍ଦିନୀଙ୍କୁ ଆକ୍ରମଣ କରିଥିବା ପ୍ରକାଶ। ଯାଜପୁର ରୋଡ ଥାନା ପକ୍ଷରୁ ଘଟଣାର ତଦନ୍ତ ଚାଲିଛି।

ସମ୍ବନ୍ଧିତ ଖବର