ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ତୀର ବିନ୍ଧି ହତ୍ୟା

ବାଲିମେଳା/ମାଲକାନଗିରି : ଗୁଣିଗାରେଡ଼ି ସନ୍ଦେହରେ ତୀର ମାରି ସମାଜସେବୀଙ୍କୁ ହତ୍ୟା। ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ୍‌ ଅନ୍ତର୍ଗତ ତାର୍ଲାକୋଟା ପଞ୍ଚାୟତରେ ଏଭଳି ଅଭାବନୀୟ ଘଟଣା ଘଟିଛି। ହତ୍ୟାକାଣ୍ଡରେ ବ୍ୟବହାର ହୋଇଥିବା ଧନୁ ଓ ତୀରକୁ ପୁଲିସ ଜବତ କରିଛି। ହତ୍ୟା ପରେ ଅଭିଯୁକ୍ତ ଓର୍କେଲ ପୁଲିସ ନିକଟରେ ଆତ୍ମସମର୍ପଣ କରିଛି।

ସୂଚନା ଅନୁଯାୟୀ, ସ୍ଥାନୀୟ ଅଞ୍ଚଳରେ ଜଣେ ସମାଜସେବୀ ଏବଂ ଆଦିବାସୀ ନେତା ଭାବେ ପରିଚିତ ସୁବାସ ଭୂୟାଁ (୫୫)ଙ୍କ ନିକଟରେ ବଜା ମାଡ଼କାମୀ କାମ କରୁଥିଲା। ତେବେ କିଛି ଦିନ ତଳେ ସୁବାସଙ୍କ ଉପରେ ସନ୍ଦେହ କରିବା ଆରମ୍ଭ କରିଥିଲା ବଜା। ଗୁଣିଗାରେଡ଼ି କରି ଲୋକଙ୍କୁ ଅସୁବିଧାରେ ପକାଉଥିବା ନେଇ ସେ ଆଶଙ୍କା କରୁଥିଲା। ତେଣୁ ସୁବାସଙ୍କୁ ହତ୍ୟା କରିବାକୁ ନିଷ୍ପତ୍ତି ନେଇ ଗତକାଲି ରାତିରେ ଧନୁ, ତୀର ଏବଂ ଗୋଟିଏ ଠେଙ୍ଗା ଧରି ପହଞ୍ଚି ଯାଇଥିଲା। ବଜା ପାଟି କରି ଡାକିବାରୁ ସୁବାସଙ୍କ ପତ୍ନୀ ଘର ବାହାରକୁ ଆସିଥିଲେ। ହିତାହିତ ଭୁଲି ଯାଇଥିବା ବଜା ଠେଙ୍ଗାରେ ତାଙ୍କୁ ପ୍ରଥମେ ଆକ୍ରମଣ କରିଥିଲା। ପତ୍ନୀଙ୍କ ଚିତ୍କାର ଶୁଣି ସୁବାସ ବାହାରି ଆସିବାରୁ ଅତର୍କିତ ଭାବେ ତୀର ବିନ୍ଧିଥିଲା ବଜା। ଯାହା ତାଙ୍କ ଛାତିରେ ଗଳି ଯାଇଥିଲା। ଗୁରୁତର ଅବସ୍ଥାରେ ସୁବାସଙ୍କୁ ପ୍ରଥମେ କୋରୁକୋଣ୍ଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ଅବସ୍ଥା ସଂକଟାପନ୍ନ ହେବାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର ସମୟରେ ରାସ୍ତାରେ ମୃତ୍ୟୁ ହୋଇଯାଇଥିଲା। ଏ ନେଇ ସୁବାସଙ୍କ ପୁଅ ଓକେର୍ଲ ଥାନାରେ ଲିଖିତ ଅଭିଯୋଗ କରିବାରୁ ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ଅପରପକ୍ଷରେ ଅଭିଯୁକ୍ତ ନିଜେ ଥାନାରେ ପହଞ୍ଚି ଆତ୍ମସମର୍ପଣ କରିଥିଲା।

ସମ୍ବନ୍ଧିତ ଖବର