କୋଇଡ଼ା (ସୁନ୍ଦରଗଡ଼) : ଅନ୍ଧବିଶ୍ବାସ ଓ କୁସଂସ୍କାରର ଏକ ଭୟଙ୍କର ରୂପ ପୁଣି ଦେଖିବାକୁ ମିଳିଛି ସୁନ୍ଦରଗଡ଼ ଜିଲ୍ଲାରେ। ଡାହାଣୀ ସନ୍ଦେହରେ ଜଣେ ମହିଳାଙ୍କ ସମେତ ତାଙ୍କର ୪ ଶିଶୁ ସନ୍ତାନଙ୍କୁ ଅତ୍ୟନ୍ତ ନିର୍ମମ ଭାବେ ହତ୍ୟା କରାଯାଇଛି। ଘଟଣା ଘଟାଇବା ପରେ ପିଶାଚମାନେ କୂଅରେ ଫିଙ୍ଗି ଦେଇଛନ୍ତି। ପୁଲିସ ଜଣେ ଗୁଣିଆ ସମେତ ୬ ଜଣଙ୍କୁ ଗିରଫ କରି ତଦନ୍ତ ଜାରି ରଖିଛି।
ସୁନ୍ଦରଗଡ଼ ଜିଲ୍ଲା କୋଇଡା ବ୍ଲକ ମାଲଦା ପଞ୍ଚାୟତ ଅନ୍ତର୍ଗତ ବଡଇନ୍ଦପୁର ଗାଁର କନ୍ଦାସାହିରେ ଏହି ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ଗ୍ରାମର ଟାଙ୍ଗରୁ ମୁଣ୍ଡାଙ୍କ ମୃତ୍ୟୁ ପରେ ତାଙ୍କ ପତ୍ନୀ ମାଙ୍ଗିରୀ ମୁଣ୍ଡା ଓରଫ କୁନି (୩୦) ନିଜ ଦିଅର ସୁଦାମ ମୁଣ୍ଡା (୨୩)ଙ୍କୁ ବିବାହ କରିଥିଲେ। ପ୍ରଥମ ସ୍ବାମୀଙ୍କ ଠାରୁ ମାଙ୍ଗିରୀଙ୍କର ୪ଟି ସନ୍ତାନ ଥିବାବେଳେ ଦ୍ବିତୀୟ ସ୍ବାମୀଙ୍କ ଠାରୁ ଗୋଟିଏ ଝିଅ ଥିଲା। ୬ ମାସ ପୂର୍ବେ ସାପ କାମୁଡ଼ାରେ ଜଣେ ଝିଅ ମଙ୍ଗୁଳି (୬)ର ମୃତ୍ୟୁ ଘଟିଥିଲା। ତେବେ ପତ୍ନୀ ଓ ପିଲାମାନଙ୍କ ସହିତ ସୁଦାମ ବେଶ୍ ଖୁସିରେ ଥିଲେ।
ସୁଦାମ ପେସାରେ ଜଣେ ଟିପର ଚାଳକ। ତେଣୁ ସେ ଅଧିକାଂଶ ସମୟରେ ଘର ବାହାରେ ରହୁଥିଲେ। ଗତ ୨୪ ତାରିଖ ରାତିରେ ସୁଦାମ ଘରେ ନ ଥିବା ବେଳେ ସେହି ଗାଁର କିଶ୍ରି ମୁଣ୍ଡା ଓରଫ ରାଜୁ, ସାଲୁ ମୁଣ୍ଡା, ଡଗମ ମୁଣ୍ଡା, ଡେବ୍ରା ମୁଣ୍ଡା ଓ ମୋଟୁ ମୁଣ୍ଡାଙ୍କ ସମେତ ଆହୁରି ଅନେକ ଲୋକ ତାଙ୍କ ଘର କବାଟ ଭାଙ୍ଗି ଭିତରକୁ ପ୍ରବେଶ କରି ମାଙ୍ଗିରୀଙ୍କ ସମେତ ତାଙ୍କର ୪ ସନ୍ତାନଙ୍କୁ ହତ୍ୟା କରିଥିଲେ। ମୃତକମାନେ ହେଲେ ନିଜେ ମାଙ୍ଗିରି, ତାଙ୍କର ବଡ ଝିଅ ମାର ମୁଣ୍ଡା (୧୦) , ପୁଅ ଟେକେଲ ମୁଣ୍ଡା (୯), ପୁଅ ଚାମରା ମୁଣ୍ଡା (୪) ଓ ବର୍ଷକର କୁନି ଝିଅ ରଇବାରୀ ମୁଣ୍ଡା। ସେ ରକ୍ତମୁଖା ନିର୍ଦୟ ଲୋକମାନେ ଶାବଳ ଓ ଗଇଁତା ସାହାଯ୍ୟରେ ମାଆ ସମେତ ୪ ପିଲାଙ୍କୁ ଜଣଙ୍କ ପରେ ଜଣଙ୍କୁ ବୀଭତ୍ସ ଭାବେ ହତ୍ୟା କରି ନିକଟସ୍ଥ ଏକ ଢାଙ୍କୁଣି ଥିବା କୂଅ ଭିତରକୁ ପକାଇ ଦେଇଥିଲେ।
୨୫ ତାରିଖ ଦିନ ସୁଦାମ ଘରକୁ ଫେରି ଭଙ୍ଗା କବାଟ ଓ ଘର ଭିତରେ ରକ୍ତ ଛିଟା ଦେଖି ସନ୍ଦେହ କରିଥିଲେ। ପତ୍ନୀ ଓ ପିଲା ମାନଙ୍କୁ ଖୋଜାଖୋଜି କରି ନ ପାଇ ସେ କୋଇଡ଼ା ଥାନାରେ ଲିଖିତ ଭାବେ ଜଣାଇଥିଲେ।
ପୋଲିସ, ଅଗ୍ନିଶମ ବିଭାଗ ଓ ସନ୍ଧାନୀ କୁକୁର ମଧ୍ୟ ଘଟଣା ସ୍ଥଳରେ ପହଞ୍ଚିଥିଲେ। ଘର ଭିତରେ ଅନୁସନ୍ଧାନ କରି ସନ୍ଧାନୀ କୁକୁର କୂଅ ପାଖରେ ପହଞ୍ଚିଥିଲା । କୂଅ ଢାଙ୍କୁଣି କଢାଯିବା ପରେ ଦୁଇଟି ଶବ ଭାସୁଥିବା ଉପରୁ ଦେଖିବାକୁ ମିଳିଥିଲା। ଅଗ୍ନିଶମ ବାହିନୀ ସାହାଯ୍ୟରେ କୂଅକୁ ଭାଙ୍ଗି ଶବଗୁଡ଼ିକୁ ଉଦ୍ଧାର କରାଯାଇଥିଲା।
କୂଅ ଭିତରୁ ହତ୍ୟାକାଣ୍ଡରେ ବ୍ୟବହୃତ ଅସ୍ତ୍ରଶସ୍ତ୍ର ମଧ୍ୟ ଜବତ କରାଯାଇଥିଲା।
ରାଉରକେଲା ଏସ୍ପିଙ୍କ ଠାରୁ ମିଳିଥିବା ସୂଚନା ଅନୁସାରେ, ବଡ଼ଇନ୍ଦପୁର ଗାଁରେ ଦୁଧରାମ ମୁଣ୍ଡା ଗୁଣିଆ କାମ କରେ। ଗାଁର ଡେବ୍ରା ମୁଣ୍ଡା ନାମକ ଜଣେ ଲୋକର ଝିଅ ଅସୁସ୍ଥ ହେବାରୁ ସେ ଝିଅକୁ ହସ୍ପିଟାଲ୍ରେ ନ ଦେଖାଇ ସେହି ବୁଧରାମ ପାଖକୁ ନେଇଥିଲା। କିନ୍ତୁ ବୁଧରାମର ତଥାକଥିତ ‘ଚିକିତ୍ସା’ ପରେ ମଧ୍ୟ ଝିଅର ମୃତ୍ୟୁ ଘଟିଥିଲା। ଏହାର କିଛି ଦିନ ପରେ ଡେବ୍ରାର ଆଉ ଜଣେ ଝିଅ ଅସୁସ୍ଥ ହେବାରୁ ସେ ପୁଣି ଗୁଣିଆ ବୁଧରାମର ସହଯୋଗ ଲୋଡ଼ିଥିଲା। ସେତିକିବେଳେ ଗୁଣିଆ କହିଥିଲା ଯେ ମାଙ୍ଗିଲୀ ଓ ତା’ର ପିଲାମାନେ ଡାହାଣୀ ବିଦ୍ୟା ଉପଯୋଗକରି ତା’ର ଏବଂ ଗାଁ ଲୋକଙ୍କ ଅନିଷ୍ଠ କରୁଛନ୍ତି। ତେଣୁ ଡେବ୍ରା ସେମାନଙ୍କୁ ରାସ୍ତାରୁ ହଟାଇବା ପାଇଁ ଯୋଜନା କରି ସମସ୍ତଙ୍କୁ ଏକଜୁଟ୍ କରିଥିଲା। ଏବଂ ମହିଳାଙ୍କ ସମେତ ତାଙ୍କର ୪ ଶିଶୁଙ୍କୁ ନୃଶଂସ ଭାବେ ହତ୍ୟା କରିଥିଲେ।
ଅନ୍ୟପକ୍ଷରେ, ହତ୍ୟାକାରୀ ଡେବ୍ରାର ଅସୁସ୍ଥ ଝିଅକୁ ଆଜି ଚିକିତ୍ସା ପାଇଁ କୋଇଡା ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହି ହତ୍ୟାକାଣ୍ଡ ଏବଂ ଶବକୁ ଲୁଚାଇବାରେ ଗାଁର ଆଉ କେତେକ ଲୋକ ସମ୍ପୃକ୍ତ ଥିବା ପୁଲିସ ଅନୁମାନ କରୁଛି। ସେମାନେ ଖୁବ୍ଶୀଘ୍ର ଧରାପଡ଼ିବେ ବୋଲି ଏସ୍ପି କହିଛନ୍ତି।