ଡାଆଣୀ ସନ୍ଦେହରେ ପୁଣି ଜଣେ ମହିଳାଙ୍କୁ ମାଡ଼

ପୀଡ଼ିତା ମହିଳାଙ୍କୁ ଉଦ୍ଧାର କଲା ପୁଲିସ

ବଡ଼ସାହି : ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ଥାନା ଅଞ୍ଚଳରେ ଡାଆଣୀ ସନ୍ଦେହରେ ପୁଣି ଜଣେ ମହିଳାଙ୍କୁ ବାନ୍ଧିପକାଇ ମାଡ଼ ମରାଯାଇଛି। ଏଥର ପୁଲିସର ତତ୍‌ପରତା ଯୋଗୁ ସଂପୃକ୍ତ ମହିଳାଙ୍କୁ ସଙ୍ଗେସଙ୍ଗେ ଉଦ୍ଧାର କରାଯାଇଛି। ଏହି ମାମଲାରେ ୫ ଜଣଙ୍କୁ ଅଟକ ରଖାଯାଇଛି।

ଘଟଣାଟି ଏମିତି। ୧୫-୨୦ ଦିନ ତଳେ ତାଳପଦା ପଞ୍ଚାୟତର ମାରକୁଣ୍ଡି ଗ୍ରାମର ପରେଶଚନ୍ଦ୍ର ସେଠୀଙ୍କ ଭଣଜାର ମୃତ୍ୟୁ ହୋଇଥିଲା। ସେହି ଗ୍ରାମରେ ଏକଘରକିଆ ହୋଇ ରହୁଥିଲେ ଲଳିତା ପ୍ରଧାନ। ସେ ଏହାକୁ ନେଇ ପରେଶଙ୍କ ପ୍ରତି ନକରାତ୍ମକ ମନ୍ତବ୍ୟ ଦେଇ କହିଥିଲେ; ‘ଜଣକୁ ମାରିଲି, ତୋର ମଧ୍ୟ ସମୟ ଆସୁଛି।’ ଏଥିରେ ପରେଶ ଉତ୍‌କ୍ଷିପ୍ତ ହୋଇ ଗାଳିଗୁଲଜ କରିଥିଲେ। କିଛି ସମୟ ପରେ ପରେଶଙ୍କ ପରିବାର ଲୋକ- ମା’, ଭଉଣୀ ଓ ପତ୍ନୀ ଆସି ତାଙ୍କୁ ବାନ୍ଧିପକାଇ ମାଡ଼ ମାରିଥିଲେ। ଲଳିତାଙ୍କ ଭଉଣୀ ବିଶାଖା ମହାନ୍ତି ମଧ୍ୟ ଆସି ତାଙ୍କୁ ମାଡ଼ ମାରିଥିଲେ। ଖବର ପାଇ ବଡ଼ସାହି ପୁଲିସ ପହଞ୍ଚି ଲଳିତାଙ୍କୁ ଉଦ୍ଧାର କରିଥିଲା। ଏ ସଂକ୍ରାନ୍ତରେ ୯୫/୧୭ରେ ଏକ ମାମଲା ରୁଜୁ ହୋଇଛି। ୫ ଜଣ ଅଭିଯୁକ୍ତଙ୍କୁ ଅଟକ ରଖି ପୁଲିସ ପଚରାଉଚରା କରୁଛି। ସେମାନେ ହେଲେ ପରେଶଚନ୍ଦ୍ର ସେଠୀ, ତାଙ୍କ ମା’ ପାତିମଣି ସେଠୀ, ଉଭଣୀ ବିଳାସ ସେଠୀ ଓ ପତ୍ନୀ ମାମା ସେଠୀଙ୍କ ସମେତ ନନ୍ଦ ମହାନ୍ତିଙ୍କ ପତ୍ନୀ ବିଶାଖା ମହାନ୍ତି।

ଉଲ୍ଲେଖଯୋଗ୍ୟ, ବଡ଼ସାହି ଥାନା ମଧୁପୁର ଗାଁରେ ଡାଆଣୀ ସନ୍ଦେହରେ ୫ ଜଣଙ୍କୁ ଗଛରେ ବାନ୍ଧି ମାଡ଼ ମାରିବା ଭିଡିଓ କିଛିଦିନ ତଳେ ଭାଇରାଲ ହୋଇଥିଲା। ଏହି ମାମଲାରେ ପ୍ରାୟ ୧୩ ଦିନ ପରେ ପୁଲିସ ଗତକାଲି ୭ ଜଣଙ୍କୁ ଗିରଫ କରିଥିଲା। ଏହାର ଦିନକ ପରେ ପୁଣି ଡାଆଣୀ ସନ୍ଦେହରେ ଜଣେ ମହିଳାଙ୍କୁ ବାନ୍ଧି ମାଡ଼ ମାରିବା ଆଲୋଡ଼ନ ସୃଷ୍ଟି କରିଛି।

ସମ୍ବନ୍ଧିତ ଖବର