ଦୁଃଖରେ ଦୃଷ୍ଟିହୀନ ଯୁବତୀ: ଦୁଇମାସ ହେଲା ମିଳିନି ଚାଉଳ

୮ ମାସରୁ ଅଧିକ ଦିନ ହେଲା ଚାଉଳ ପାଇ ନାହାନ୍ତି ୯ ହିତାଧିକାରୀ

ଯୁଯୁମୁରା: ବାଜି ସାରିଛି ପଞ୍ଚାୟତ ନିର୍ବାଚନ ବିଗୁଲ। ସୋମବାରଠାରୁ ଆରମ୍ଭ ହୋଇଯାଇଛି ପ୍ରାର୍ଥିପତ୍ର ଦାଖଲ। ଏହାପରେ ଘର ଘର ବୁଲି ଭୋଟ୍ ଭିକ୍ଷା କରିବେ ନେତା। ମିଳିବ ଗଦା ଗଦା ପ୍ରତିଶ୍ରୁତି। ହେଲେ ଏହି ପ୍ରତିଶ୍ରୁତି କେତେ ପୂରଣ ହେଉଛି ତାହା ପରବର୍ତ୍ତୀ ନିର୍ବାଚନ ଆସିଲେ ଜଣାପଡ଼େ। ସେହିପରି ସରକାର ଗରିବ, ଅସହାୟ, ମହିଳା, ବୃଦ୍ଧ, ବୃଦ୍ଧା ଓ ଦିବ୍ୟାଙ୍ଗମାନଙ୍କ ପାଇଁ ବ୍ୟାପକ ସହାୟତା ଯୋଜନା କରିଛନ୍ତି। ଏହି ଯୋଜନାର ଲାଭ ସମସ୍ତଙ୍କ ପାଖରେ ପହଞ୍ଚୁ ନଥିବା ଅଭିଯୋଗ ହୁଏ। ପ୍ରକୃତ ହିତାଧିକାରୀ ପ୍ରାଶାସନିକ ଅଧିକାରୀ, ସରପଞ୍ଚଙ୍କ ନିକଟକୁ ଦୌଡ଼ି ଦୌଡ଼ି ଥକି ଯାଉଥିଲେ ମଧ୍ୟ ସେମାନଙ୍କୁ ନିରାଶ ହେବାକୁ ହୁଏ। ଅନ୍ୟପକ୍ଷରେ ଏହି ଯୋଜନାରେ ଲାଭ ପାଉଥିବା କିଛି ହିତାଧିକାରୀ ବିଭିନ୍ନ କାରଣରୁ ପରବର୍ତ୍ତୀ ସମୟରେ ସରକାରୀ ଏହି ଯୋଜନାରୁ ବଞ୍ଚିତ ହେଉଥିବା ଦେଖାଯାଇଛି। ଯାହାର ଏକ ଉଦାହରଣ ଯୁଯୁମୁରା ବ୍ଲକ୍ କଂସର ପଞ୍ଚାୟତ ଜାମଲୋଇ ଗ୍ରାମରେ ଦେଖାଯାଇଛି। ଏହି ଗ୍ରାମର ଶତ ପ୍ରତିଶତ ଦୃଷ୍ଟିହୀନ ଯୁବତୀ ଜାହ୍ନବୀ ସାହୁ (୨୮)ଙ୍କୁ ଅନ୍ତୋଦୟ ଯୋଜନାରେ ୩୫ କେଜି ଚାଳଉଳ ମିଳୁଥିଲା।

ମାତ୍ର ଗତ ୨ ମାସ ହେଲା ଏହି ଚାଉଳ ମିଳୁ ନଥିବା ସେ ଅଭିଯୋଗ କରିଛନ୍ତି। ନଭେମ୍ବର ଓ ଡିସେମ୍ବର ମାସର ଚାଉଳ ସେ ପାଇ ନାହାନ୍ତି। ଫଳରେ ଏହି ଚାଉଳ ଉପରେ ନିର୍ଭର କରି ଚଳୁଥିବା ତାଙ୍କ ପରିବାରର ବାପା, ମା’ ଓ ଭଉଣୀ ହଇରାଣ ହେଉଛନ୍ତି। ବାପା ନରେନ୍ଦ୍ର ସାହୁ (୬୦) ବାର୍ଦ୍ଧକ୍ୟରେ ଉପନୀତ ହୋଇଥିବାରୁ ସେ ଆଉ ଆଗପରି ରୋଜଗାର କରିପାରୁ ନାହାନ୍ତି। ସେ ଘରର ଏକମାତ୍ର ରୋଜଗାର କ୍ଷମ ବ୍ୟକ୍ତି। ତେବେ ସେ କାମ କରିପାରୁ ନଥିବାରୁ ତାଙ୍କ ଦୃଷ୍ଟିହୀନ ଝିଅକୁ ମିଳୁଥିବା ଚାଉଳ ସେମାନଙ୍କ କ୍ଷୁଧା ନିବାରଣ କରୁଛି। ସେହିପରି ତାଙ୍କୁ ମଧ୍ୟ ବାର୍ଦ୍ଧକ୍ୟ ଭତ୍ତା ମିଳି ନଥିବା ସେ କହିଛନ୍ତି। ସରକାରୀ ଯୋଜନାରେ ତାଙ୍କୁ ପକ୍କା ଘର ମିଳି ନଥିବା କହିଛନ୍ତି। ଚାଉଳ ବନ୍ଦ ହେବା କାରଣକୁ ନେଇ ସଂପୃକ୍ତ ପଞ୍ଚାୟତର ଏକ ସମୀକ୍ଷା ବୈଠକରେ ଯୋଗାଣ ଅଧିକାରୀ ବିଷ୍ଣୁ ଚରଣ ପ୍ରଧାନଙ୍କୁ ଅବଗତ କରାଯାଇଛି। କେଉଁ କାରଣରୁ ଚାଉଳ ବନ୍ଦ ହୋଇଛି ସେ ବାବଦରେ ସେ କିଛି ଉତ୍ତର ଦେଇ ନଥିଲେ। ଜାହ୍ନବୀ ଏ ନେଇ ଏକ ଅଭିଯୋଗ ଅନ୍‌ଲାଇନ୍‌ରେ ଜିଲ୍ଲାପାଳଙ୍କ ନିକଟରେ କରିଛନ୍ତି।

ଏହି ଦିବ୍ୟାଙ୍ଗ ଯୁବତୀଙ୍କୁ ତୁରନ୍ତ ତାଙ୍କ କୋଟାର ଚାଉଳ ପ୍ରଦାନ ସହିତ ଘର ନିର୍ମାଣ ବ୍ୟବସ୍ଥା କରିବାକୁ ଦାବି ହୋଇଛି। କେବଳ ଜାହ୍ନବୀ ନୁହନ୍ତି ଏହି ବ୍ଲକ୍‌ ଅଧୀନ ଯୁଯୁମୁରା ପଞ୍ଚାୟତର ୯ ଜଣଙ୍କ ହିତାଧିକାରୀଙ୍କୁ ମଧ୍ୟ ୮ ମାସରୁ ଅଧିକ ଦିନ ହେବ ଚାଉଳ ମିଳି ନଥିବା ଅଭିଯୋଗ ହୋଇଛି। ପଞ୍ଚାୟତର ପୁରନ୍ଦର ପ୍ରଧାନ, ଅହଲ୍ୟା ପ୍ରଧାନ, ସୀତା ମିର୍ଦ୍ଧା, ମାର୍ଶାଲ ସୁରିନ୍‌, ରବିନାରାୟଣ ବେହେରା, ସୁମିତ ଡାଙ୍ଗ, ସରିତା ଡାଙ୍ଗ, ହଟେ ସାହୁ ଓ ନିର ମେହେର ଏ ନେଇ ବ୍ଲକ୍‌ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଛନ୍ତି। ଏମାନଙ୍କର ଆଧାର ଲିଙ୍କ ହୋଇ ପାରି ନଥିବାରୁ ସବୁଧାରୁ ବଞ୍ଚିତ ହୋଇଥିବା କୁହାଯାଉଛି। ଏ ବାବଦରେ ସଂପୃକ୍ତ ହିତାଧିକାରୀମାନେ ଯୋଗାଣ ଅଧିକାରୀ ଶ୍ରୀ ପ୍ରଧାନଙ୍କ ସହିତ ମଧ୍ୟ ଯୋଗାଯୋଗ କରିଥିଲେ। ସେ ସେମାନଙ୍କ କଥା ଶୁଣୁ ନଥିବା ଅଭିଯୋଗ ହୋଇଛି। କାମ କରିଦେବା କହି ଦିନ ଗଡ଼ାଇ ଚାଲୁଛନ୍ତି। ଏହି ଅଧିକାରୀଙ୍କ ଏପରି ବେପରୁଆ ମନୋଭାବ ଓ ଅବହେଳା କାରଣରୁ ଏହି ପଞ୍ଚାୟତର ଏପରି ଅସହାୟ ହିତାଧିକାରୀ ଦୀର୍ଘଦିନ ହେଲା ସରକାରୀ ସୁବିଧାରୁ ବଞ୍ଚିତ ହେଉଛନ୍ତି। ଏ ବାବଦରେ ଶ୍ରୀ ପ୍ରଧାନକୁ ଯୋଗାଯୋଗ କରିବାରୁ ସେ ଅତ୍ୟନ୍ତ ଖାମଖିଆଲି ଭାବେ କାମ ହେଇଯିବ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର