ରା.ଉଦୟଗିରି(ଜ୍ଞାନରଂଜନ ଷଡ଼ଙ୍ଗୀ): ମାତ୍ର ୮ ବର୍ଷ ବୟସରେ ହଠାତ୍ ଦୃଷ୍ଟିଶକ୍ତି ହରାଇଦେଲେ। ଏବେ ବୟସ ୭୦। କିନ୍ତୁ ଦୃଷ୍ଟିଶକ୍ତି ନଥାଇ ବି ବୟସର ସାୟାହ୍ନରେ ହାର୍ ମାନିନାହାନ୍ତି, କେଶବ ବେହେର୍ଦ୍ଦଳାଇ। କାହା ଉପରେ ବୋଝ ନସାଜି ନିଜ କାମ ନିଜେ କରୁଛନ୍ତି। ଏହି ବୟସରେ ଦଉଡ଼ିଆ ଖଟ ବୁଣି ଦେଉଛନ୍ତି। ଗାଈ ବି ଚରାଉଛନ୍ତି। ଆଉ କ୍ଷେତରେ ତଳି ପକାଇବା ଠାରୁ ଚାଷକାମ, ଏମିତିକି ଅନାୟସରେ ଗଛ ଉପରକୁ ମଧ୍ୟ ଚଢ଼ିପାରୁଛନ୍ତି। କେବଳ ଏତିକି ନୁହେଁ, ଗାଈ ପାଇଁ ପଘା ତିଆରି କରିପାରୁଥିବା ବେଳେ ଆବଶ୍ୟକ ପଡ଼ିଲେ ନିଜ ପାଇଁ ନିଜେ ରୋଷେଇ କରୁଛନ୍ତି। ଆଉ ଇଚ୍ଛାଶକ୍ତି ଆଗରେ ଯେ ସବୁକିଛି ହାର୍ ମାନେ, ତାହା ସେ ସମ୍ଭବ କରି ଦେଖାଇବା ସହ ଅନ୍ୟ ଦୃଷ୍ଟିହୀନଙ୍କ ପାଇଁ ଉଦାହରଣ ସାଜିଛନ୍ତି।
ଗଜପତି ଜିଲ୍ଲା ନୂଆଗଡ଼ ବ୍ଲକ୍ ସମ୍ବଲପୁର ପଞ୍ଚାୟତ ସମ୍ବଲପୁର ଗ୍ରାମର ୭୦ ବର୍ଷୀୟ କେଶବ। ଜନ୍ମ ହେବାର ୮ବର୍ଷ ପର୍ଯ୍ୟନ୍ତ ସବୁକିଛି ଠିକ୍ଠାକ୍ ଥିଲା। ତେବେ ହଠାତ୍ ବସନ୍ତ ରୋଗରେ ଆକ୍ରାନ୍ତ ହେବା ପରେ ସେ ଦୃଷ୍ଟିଶକ୍ତି ହରାଇଥିଲେ। ଦୁନିଆଟା ତାଙ୍କ ପାଇଁ ଅନ୍ଧକାର ପାଲଟିଯାଇଥିଲା। କିନ୍ତୁ କେଶବ ମନୋବଳ ଭାଙ୍ଗି ନଥିଲେ।
ହାର୍ ନମାନି କେଶବ ତାଙ୍କ ବାପାଙ୍କୁ ପ୍ରତି କାମରେ ସାହାଯ୍ୟ କରିବା ସହ ନିଜେ କିଛି ଶିଖିବାକୁ ଚେଷ୍ଟା କରିଥିଲେ। କେଶବଙ୍କୁ ୨୫ ବର୍ଷ ବୟସ ହୋଇଥିବା ବେଳେ ବାପା ଆରପାରିକୁ ଚାଲିଯାଇଥିଲେ। ତା’ପରଠୁ କେଶବ ନିଜ ଜୀବନ ସଂଗ୍ରାମରେ ହାରିନାହାନ୍ତି, କି ଥକି ଯାଇନାହାନ୍ତି। ଅବିବାହିତ କେଶବ ଏବେ ନିଜ କାମ ନିଜେ କରୁଛନ୍ତି। ସବୁଠୁ ବଡ଼କଥା ହେଉଛି, ଯାହା ଅନ୍ୟମାନଙ୍କ ହାତରେ ହୋଇପାରୁନି ସେଥିପାଇଁ ଦୃଷ୍ଟିହୀନ କେଶବଙ୍କୁ ଖୋଜାପଡ଼ୁଛି। ଯେଉଁଠି ଚକ୍ଷୁ ନଥିଲେ ଜଣେ ଅସହାୟ ହୋଇପଡ଼େ ଓ ସାରା ଦୁନିଆ ତା’ ପାଇଁ ଅର୍ଥହୀନ ହୋଇଯାଏ ଏବଂ ଭିକ୍ଷାବୃତ୍ତିକୁ ଆଦରି ନିଅନ୍ତି, ସେହି ସ୍ଥାନରେ କେଶବ ଅନ୍ୟମାନଙ୍କ ପାଇଁ ଉଦାହରଣ ବୋଲି କହିଲେ ଜମାରୁ ଅତ୍ୟୁକ୍ତି ହେବନି। ନିଜେ ଜମିରେ ଚାଷ କରି ନିଜ ଗୁଜରାଣ ମେଣ୍ଟାଇବା ସହ ସରକାର ଦେଉଥିବା ମାସିକ ଭତ୍ତାରେ ନିଜ ମାଆ ଓ ନିଜର ଅନ୍ୟ ୭ ଭାଇଭଉଣୀଙ୍କ ପ୍ରତିପୋଷଣ କରୁଛନ୍ତି। ଦୃଷ୍ଟିଶକ୍ତି ଥିବା ଜଣେ ବ୍ୟକ୍ତି ଜୀବନଯୁଦ୍ଧରେ ହାରି ଯାଉଥିବାବେଳେ ଦୃଷ୍ଟିବାଧିତ କେଶବ ସମସ୍ତଙ୍କ ପାଇଁ ଉଦାହରଣ ନୁହେଁ ତ ଆଉ କଣ?