କଟକ: ଓଡ଼ିଶା ଶୁଣିବ ଶ୍ୟାମ ଚାଚାଙ୍କ ସ୍ୱର । ଆଉ କଟକର ଗୋଟିଏ ଗଳିରେ ଅଟକି ଯିବନି ଚାଚାଙ୍କ ସୁରିଲା ସୁରିଲା ଗୀତ। ହୃଦୟସ୍ପର୍ଶୀ ଜଗନ୍ନାଥ ଜଣାଣ । ୨ୟ ସାଲବେଗ କୁହାଯାଉଥିବା କଟକର ଅବଦୁଲ ସମଦ ନିଜାମୀଙ୍କୁ ଏବେ ଶୁଣିବ ସାରା ଓଡ଼ିଶା । କାଳିଆ ପାଇଁ ତାଙ୍କ କଣ୍ଠରୁ ବାହାରୁଥିବା ମନଛୁଆଁ ଭଜନକୁ ମନଭରି ଶୁଣିବେ ଓଡ଼ିଶାବାସୀ । କାରଣ ଶ୍ୟାମ ଚାଚା ସଙ୍ଗୀତକୁ ଲୋକଙ୍କ ପାଖରେ ପହଞ୍ଚାଇବାକୁ ସୁଯୋଗଟିଏ ଦେବେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ।
କଟକ ପ୍ରହରାଜପୁରସ୍ଥିତ ଚାଚାଙ୍କ ଘରେ ତାଙ୍କୁ ଭେଟି ପ୍ଲାଟଫର୍ମ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି ବର୍ଷା । ତେବେ ବର୍ଷା କହିଛନ୍ତି, ‘ସୋସିଆଲ ମିଡିଆରୁ ଶ୍ୟାମ ଚାଚାଙ୍କ ବିଷୟରେ ଶୁଣିଥିଲି ଆଉ ତାଙ୍କ ପାଖରେ ବସି ତାଙ୍କ ହାରମୋନିୟମରୁ ବାହାରୁଥିବା ହୃଦୟସ୍ପର୍ଶୀ ସଙ୍ଗୀତ ଶୁଣିବା ପରେ ମୁଁ ଭକ୍ତିରେ ଭିଜିଗଲି।’
ସତରେ ଆଖି ନ ଥାଇ ବି ଚାଚା ପ୍ରମାଣ କରିଦେଲେ ଯଦି ତୁମେ କିଛି ପାଇବାକୁ ଇଚ୍ଛା କରିଛ ତେବେ ବୟସ ବାଧା ଦେଇ ପାରିବ ନାହିଁ। ତେବେ ଶ୍ୟାମ ଚାଚାଙ୍କୁ ସଙ୍ଗୀତ ଦୁନିଆରେ ଗୋଟେ ପ୍ଲାଟଫର୍ମ ଦେବାକୁ କହିବା ସହ ପୁଣି ନିଜ ବଡପଣ ଦେଖାଇଛନ୍ତି ବର୍ଷା।
ତେବେ ୫୯ ବର୍ଷର ଶ୍ୟାମ ଚାଚା ହେଉଛନ୍ତି ଜଣେ ଦିବ୍ୟାଙ୍ଗ । ଅଜଣା ରୋଗ ପରେ ଦୁଇ ଆଖି ହରାଇଥିଲେ ଅବଦୁଲ ଚାଚା । ତେବେ ରେଡିଓ ମରାମତି କରି ପେଟ ପୋଷୁଥିବା ଚାଚା ଶ୍ରୀଜଗନ୍ନାଥଙ୍କ ଜଣେ ବଡ ଭକ୍ତ । ଭିକାରୀ ବଳଙ୍କ ପ୍ରତିଟି ସଙ୍ଗୀତ ଗାଇବାରେ ସେ ମାହିର।
ଗାଁ, ଗଣ୍ଡାରେ ହେଉଥିବା ଭଜନ ସମାରୋହରେ ସେ ଗୀତ ଗାଆନ୍ତି । ତେବେ ଭକ୍ତି କବିତା ବି ଲେଖନ୍ତି ଚାଚା । ଶ୍ୟାମ ଚାଚା କହନ୍ତି ଆଲ୍ଲା ଓ ଜଗନ୍ନାଥ ମୋ ପ୍ରାଣ । ତାଙ୍କ ପାଇଁ ମୋ ପରିବାର ଚଳୁଛି । ତେବେ ଜଗନ୍ନାଥଙ୍କ ପ୍ରେମରେ ଭିଜି ଭଜନ ଗାଉଥିବା ଶ୍ୟାମ ଚାଚାଙ୍କୁ ୨ୟ ସାଲବେଗ ବି କେହି କେହି କହୁଛନ୍ତି।
ସେପଟେ ଖାଲି ଶ୍ୟାମ ଚାଚା ନୁହଁନ୍ତି ପୂର୍ବରୁ କୋରାପୁଟର ନମିତାଙ୍କୁ ଗୀତ ଗାଇବାର ସୁଯୋଗ ଦେଇ ଆଦିବାସୀ ଇଲାକାର ଝିଅର ଗୀତକୁ ସାରା ଓଡିଶାରେ ପହଞ୍ଚାଇଥିଲେ । ଆଉ ବଣ ମଲ୍ଲୀକୁ ବଣରେ ଫୁଟି ମଉଳିବାକୁ ଦେଇ ନଥିଲେ । ଏବେ ବର୍ଷାଙ୍କ ପାଇଁ ଶ୍ୟାମ ଚାଚାଙ୍କୁ ଶୁଣିବ ସାରା ଓଡିଶା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/02/Varsa-750x430-1.jpg)