ବ୍ରଜରାଜନଗର : ସମାଜରେ ବହୁ ସଫଳ ବ୍ୟକ୍ତିତ୍ୱ ଅଛନ୍ତି ଯେଉଁମାନେ ପ୍ରତିକୂଳ ପରିସ୍ଥିତି ଓ ପରିବେଶକୁ ଖାତିରି ନକରି ନିଜର ଦୃଢ଼ ଇଛାଶକ୍ତି ନିକଟରେ ନିଜର ଅକ୍ଷମତାକୁ ହାର ମାନିବାକୁ ବାଧ୍ୟ କରିଥାନ୍ତି। ସେହିଭଳି ଏକ ଭିନ୍ନ ମଣିଷ ହେଉଛନ୍ତି  ପ୍ୟାର ମହମ୍ମଦ ଖାନ। ବ୍ରଜରାଜନଗର ପୌରାଞ୍ଚଳର କୁକୁରିକାନି  ଟାଙ୍ଗର ଘାଟ ନିକଟରେ ରହୁଥିବା ୨୯ ବର୍ଷ ବୟସ୍କ ଯୁବକ ପ୍ୟାର ମହମ୍ମଦ ଖାନ ନିଜେ ଜ୍ୟୋତିହୀନ ହୋଇ ମଧ୍ୟ ଆଜି ଜ୍ଞାନ ରୂପକ ଜ୍ୟୋତି ମାଗଣାରେ ବାଣ୍ଟୁଛନ୍ତି ବସ୍ତି ଅଞ୍ଚଳରେ ଥିବା କୁନି ପିଲାମାନଙ୍କୁ। ସମ୍ପୂର୍ଣ୍ଣ ଦୃଷ୍ଟିଶକ୍ତି ହୀନ ପ୍ୟାର ମହମ୍ମଦ ବସ୍ତିର ପିଲାମାନଙ୍କୁ ମାଗଣାରେ ଇଂରାଜୀ ଶିକ୍ଷାଦାନ ଦେଇ ସେମାନଙ୍କୁ  ପାଠପଢ଼ାରେ ସହଯୋଗର ହାତ ବଢ଼ାଉଛନ୍ତି।  ଓଡ଼ିଆ ଓ ହିନ୍ଦୀଭାଷାରେ ପିଲାମାନେ ବିଦ୍ୟାଳୟରେ ପାଠ ପଢ଼ୁଥିବା ସମୟରେ ଇଂରାଜୀରେ ବିଭିନ୍ନ ସମୟରେ ପିଲାମାନଙ୍କର ଦୁର୍ବଳତା ରହିଥାଏ। ସେମାନଙ୍କର ଇଂରାଜୀରେ ସବଳର ମୂଳଦୁଆ ସୁଦୃଢ କରିବା ପାଇଁ ଅଣ୍ଟା ଭିଡିଛନ୍ତି ଦୃଷ୍ଟିଶକ୍ତି ହୀନ ପ୍ୟାର ମହମ୍ମଦ ଯାହା ଅନ୍ୟପାଇଁ ଦୃଷ୍ଟାନ୍ତ।

Advertisment

ପ୍ୟାର ମହମ୍ମଦଙ୍କର ଜନ୍ମରୁ ଗୋଟିଏ ଆଖିକୁ ଦେଖାଯାଉନଥିଲା। ଏଭଳି ଘଟଣା ବଡ଼ ହେବାପରେ ଜଣା ପଡିଥିଲା। ଗୋଟିଏ ଆଖିରେ ଦେଖାଯାଉନଥିବାରୁ  ସେ  ନିଜ ସାନ ଭାଇ ନୁର ମହମ୍ମଦ ସହିତ ସ୍ଥାନୀୟ ଗ୍ରାମପଞ୍ଚାୟତ ନୋଡାଲ  ସ୍କୁଲକୁ ଯାଉଥିଲେ। ସେଠାରେ ସେ ୭ମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢିଛନ୍ତି। ପାଠପଢିବା ସମୟରେ ଅନ୍ୟ ଆଖିଟି ଧୀରେ ଧୀରେ ଦୃଷ୍ଟି ଶକ୍ତି କମ ହେବାରୁ ବ୍ଲାକବୋର୍ଡ ଭଲ ଭାବେ ଦେଖାଯାଇନଥିଲା। ଫଳରେ ୨୦୦୪ ମସିହାରେ ବିଦ୍ୟାଳୟରେ ପାଠପଢ଼ାରେ ଡୋରି ବାନ୍ଧିଥିଲେ ପ୍ୟାର । କିନ୍ତୁ ୨୦୦୮ ମସିହାରେ ଅନ୍ୟ ଆଖିଟି ନଷ୍ଟ ହୋଇଯିବା ଯୋଗୁ  ସେ ସମ୍ପୂର୍ଣ୍ଣ ଭାବେ ଦୃଷ୍ଟି ଶକ୍ତି ହରାଇ ବସିଥିଲେ।। ବିଭିନ୍ନ ସ୍ଥାନରେ ଦେଖାଇ ଥିଲେ ମଧ୍ୟ ଏହା ଠିକ ହେବା ସମ୍ଭବ ହୋଇନଥିଲା।  ୨୦୧୧ରେ ତାଙ୍କୁ  ସହଯୋଗ ପାଇଁ ପରିବାର ଲୋକ ବିବାହ କରି ଦେଇଥିଲେ। ତାଙ୍କ ପତ୍ନୀ ତାଙ୍କ ପାଇଁ ଆଖିସଦୃଶ।ଏବେ ତାଙ୍କର ୨ଟି ସନ୍ତାନ। ତାଙ୍କର ଘର ନିକଟରେ ଏକ ଛୋଟ ଦୋକାନ ଅଛି। ସେହି ଦୋକାନରେ ବସି ବିକ୍ରି କରନ୍ତି।

publive-image

ନିଜର ଘରକୁ ଲାଗି ଥିବା ବସ୍ତି ଅଞ୍ଚଳରେ ପିଲା ମାନଙ୍କୁ ଇଂରାଜୀ ଶିକ୍ଷା ଦେବାକୁ ସେ ଅଣ୍ଟା ଭିଡିଛନ୍ତି। ଆଖିକୁ ଦେଖାଯାଉନାହିଁ। କରୋନା ଯୋଗୁ ସ୍କୁଲ ବନ୍ଦ ରହିଛି। କିନ୍ତୁ ସେ ବସ୍ତିରେ ଥିବା ପିଲାମାନଙ୍କୁ ଡାକି ଇଂରାଜୀ ଶିକ୍ଷା ଦେଉଛନ୍ତି ଏକ ଗଛ ମୂଳରେ ନିର୍ମିତ ଚଉତରା ଉପରେ।ପିଲାମାନଙ୍କୁ ଇଂରାଜୀ ଅକ୍ଷର ଶିଖାଇବା, ଇଂରାଜୀ ଶବ୍ଦ ଶିଖାଇବା ଓ ପଢ଼ାଇ  ତାଙ୍କର ଦକ୍ଷତା ବୃଦ୍ଧି କରିବାକୁ ପ୍ରୟାସ କରୁଛନ୍ତି। ସେଥିପାଇଁ ସେ ସବୁଦିନ ଅପରାହ୍ନ ୩ଟାରୁ ୪ଟା ସମୟ ଦେଇଥାନ୍ତି। ଏହି କାମ ୪ମାସ ହେବ ଆରମ୍ଭ କରିଛନ୍ତି। ଯଦି କିଛି ଇଂରାଜୀ ଶବ୍ଦର ଉଚ୍ଚାରଣ କହି ନପରନ୍ତି ତେବେ ୟୁଟ୍ୟୁବ୍‌ରେ ଶୁଣି ପିଲାମାନଙ୍କୁ କହିଥାନ୍ତ। ପାଠପଢ଼ାରେ ନିଜେ ବୁଝିବାରେ କିଛି ସମସ୍ୟା ହୁଏ ତେବେ ନିକଟରେ ଥିବା ଯୁବକ ଭାସ୍କର ରାଓଙ୍କର ସହଯୋଗ ନେଇଥାନ୍ତି।

ତାଙ୍କ ପାଖରେ ଏବେ ୨୦ରୁ ଉର୍ଦ୍ଧ ପିଲା ପାଠ ପଢିବାକୁ ଆସୁଛନ୍ତି। ପିଲା କହିନପାରିଲେ ତାଙ୍କ ହାତରେ ସେହି ଅକ୍ଷର ଲେଖିଦେଲେ ସ୍ପର୍ଷରେ ଅକ୍ଷର ବୁଝି କହିଥିବା ଦେଖିବାକୁ ମିଳିଛି।  ପିଲାମାନେ ଏବେ ପ୍ୟାରଙ୍କ ନିକଟରେ ପଢିବାକୁ ବେଶ ଆଗ୍ରହୀ। ଏଥିରେ ଭାସ୍କର ରାଓ,  ଭାଇ ତିଲ ମହମ୍ମଦ ଖାନ, ନୁର ମହମ୍ମଦ  ମଧ୍ୟ ସାହାଯ୍ୟ କରନ୍ତି। କାରଣ ଛୋଟରୁ ବଡ଼ ପିଲା ଅଛନ୍ତି। ସେମାନଙ୍କୁ  ଆୟତ୍ତ କରିବାରେ ସେମାନେ ସହଯୋଗ କରୁଛନ୍ତି। ଏନେଇ ପ୍ୟାରେଙ୍କୁ ପଚାରିବାରୁ ସେ ଦୃଷ୍ଟିହୀନ ।ସେ ୨୦୦୮ ମସିହାରୁ ଦୁନିଆକୁ ଦେଖି ପାରୁନାହାନ୍ତି। କିନ୍ତୁ ଏହି ପିଲାଙ୍କୁ ଜ୍ଞାନ ରୂପକ ଜ୍ୟୋତି ପ୍ରଦାନ କରି ତାଙ୍କ ଆଖିରେ ଦୁନିଆକୁ ଦେଖିବାକୁ ଚେଷ୍ଟା କରୁଥିବା କହିଛନ୍ତି। ବସ୍ତି ଅଞ୍ଚଳରେ ପିଲାଙ୍କ ଅବିଭାବକ ମାନେ ହିନ୍ଦୀ କିମ୍ବା ଓଡ଼ିଆ ପଢ଼ାଇ ପାରିବେ। କିନ୍ତୁ  ଇଂରାଜୀ ପଢ଼ାଇ ପାରୁନଥିବାରୁ ସେମାନେ ଆଗକୁ ଦୁର୍ବଳ ହେଉଛନ୍ତି। ସେମାନଙ୍କୁ ଇଂରାଜୀରେ ସବଳ କରିବା ପାଇଁ ଏହା ତାଙ୍କର ଛୋଟ ପ୍ରୟାସ। ୪ମାସରେ ପିଲାମାନେ ତାଙ୍କ ନିକଟରେ ପାଠପଢ଼ି ଭଲ ଭାବେ ଇଂରାଜୀ ଅକ୍ଷର ଲେଖିବା, କହିବା, ପଢିବା ସହିତ ବିଭିନ୍ନ ଇଂରାଜୀ ୱାର୍ଡ କହିପାରୁଥିବାରୁ ସେ ଖୁସିଥିବା କହିଛନ୍ତି। ଶବ୍ଦ ଗୁଡିକ ବନାନ କରୁଥିବାରୁ ସେ ତାଙ୍କ ମୁହଁରେ ଜ୍ଞାନ ଜ୍ୟୋତି ଦେଖି ବେଶ ଖୁସି ବୋଲି କହିଛନ୍ତି। ଏମାନେ ସବୁ ତାଙ୍କର ପିଲା ବୋଲି କହିଛନ୍ତି।