ଧର୍ମାନୁଷ୍ଠାନରେ ଖାଦ୍ୟର ମାନ ପାଇଁ ‘ଭୋଗ୍‌’

ଖାଦ୍ୟ ନିରାପତ୍ତା ଓ ପରିମଳ ପାଇଁ ଦିଆଯିବ ଟ୍ରେନିଂ

ଭୁବନେଶ୍ୱର : ରାଜ୍ୟରେ ଥିବା ବିଭିନ୍ନ ଧର୍ମାନୁଷ୍ଠାନରେ ମିଳୁଥିବା ଖାଦ୍ୟର ନିରାପତ୍ତା ପାଇଁ କାର୍ଯ୍ୟକାରୀ ହେବ ବ୍ଲିସ୍‌ଫୁଲ ହାଇଜେନିକ୍‌ ଅଫରିଂ ଟୁ ଗଡ୍‌ ବା ‘ଭୋଗ୍‌’। ଭାରତୀୟ ଖାଦ୍ୟ ସୁରକ୍ଷା ଓ ମାନକ ପ୍ରାଧିକରଣ ବା ଏଫ୍‌ଏସ୍‌ଏସ୍‌ଏଆଇ ଜରିଆରେ ଏହି ଯୋଜନା କାର୍ଯ୍ୟକାରୀ ହେବାକୁ ଯାଉଛି।

ଯେଉଁ ଧର୍ମାନୁଷ୍ଠାନରେ ଶହ ଶହ ସଂଖ୍ୟାରେ ଲୋକମାନେ ଖାଦ୍ୟ ଖାଉଛନ୍ତି ସେଠାରେ ପ୍ରସ୍ତୁତ ହେଉଥିବା ଖାଦ୍ୟର ମାନର ତଦାରଖ କରାଯିବ। ପରିମଳ ବଜାୟ ରଖିବା ସହିତ ଉତ୍ତମ ଖାଦ୍ୟ କିଭଳି ଲୋକଙ୍କୁ ଦିଆଯିବ ତାହା ଉପରେ ଗୁରୁତ୍ୱ ଦିଆଯିବ। ଖାଦ୍ୟ ପ୍ରସ୍ତୁତ ସହିତ ଜଡ଼ିତ ଥିବା ଲୋକମାନଙ୍କୁ ଉପଯୁକ୍ତ ଟ୍ରେନିଂ ପ୍ରଦାନ କରାଯିବ। ତେବେ ଯେଉଁ ଧାର୍ମିକ ଅନୁଷ୍ଠାନରେ ଖାଦ୍ୟକୁ ଦେବନୀତି ଭାବେ ଗ୍ରହଣ କରାଯାଇଥାଏ ତାହା ଏଥିରେ ସାମିଲ ହେବ ନାହିଁ। ମାତ୍ର ଯେଉଁଠାରେ ଖାଦ୍ୟକୁ ଶହ ଶହ ସଂଖ୍ୟାରେ ଲୋକମାନଙ୍କୁ ବଣ୍ଟନ କରାଯାଉଛି ସେସବୁ ଧର୍ମାନୁଷ୍ଠାନକୁ ଏହି ଯୋଜନାରେ ସାମିଲ କରାଯିବ।

ରାଜଧାନୀ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ମନ୍ଦିରରେ ପ୍ରସାଦ ସେବନର ବ୍ୟବସ୍ଥା କରାଯାଉଛି। ୪୦ଟଙ୍କାରୁ ଆରମ୍ଭ କରି ୮୦ଟଙ୍କା ଓ ସ୍ଥଳ ବିଶେଷରେ ୧୦୦ଟଙ୍କା ପର୍ଯ୍ୟନ୍ତ ପ୍ରସାଦ ବିକ୍ରି ହେଉଛି। ଯାହାକି ଏକପ୍ରକାର ବ୍ୟବସାୟରେ ପରିଣତ ହୋଇଛି। ଯେହେତୁ ମନ୍ଦିରରେ ପ୍ରସ୍ତୁତ ହେଉଥିବା ପ୍ରସାଦ ସହିତ ଲୋକଙ୍କ ଭାବାବେଗ ଜଡ଼ିତ ଏ ଦୃଷ୍ଟିରୁ ବିଭିନ୍ନ ପର୍ବପର୍ବାଣୀରେ ମନ୍ଦିରରେ ଖାଇବା ପାଇଁ ଲୋକମାନେ ପସନ୍ଦ କରୁଛନ୍ତି। ମାତ୍ର ଯେଉଁସବୁ ମନ୍ଦିରରେ ଏହି ପ୍ରସାଦ ସେବନର ବ୍ୟବସ୍ଥା ରହିଛି ସେସବୁ ମନ୍ଦିରରେ କିଭଳି ଖାଦ୍ୟ ପ୍ରସ୍ତୁତ କରାଯାଉଛି ଓ ଏହାକୁ ପ୍ରସ୍ତୁତ କରୁଥିବା ଲୋକମାନେ କିଭଳି ପରିମଳ ବଜାୟ ରଖୁଛନ୍ତି ତାହା ଉପରେ କାହାର ନଜର ନାହିଁ କି ଏହାର କୌଣସି ଯାଞ୍ଚ ହେଉନାହିଁ।

ଅପରପକ୍ଷରେ ଜିଲ୍ଲାସ୍ତରରେ ଖାଦ୍ୟ ସୁରକ୍ଷା ଅଧିକାରୀ ରହିଥିଲେ ହେଁ ସେମାନେ ଏହାକୁ ଗୁରୁତ୍ୱ ଦେଉ ନାହାନ୍ତି। ଖାଦ୍ୟ ପ୍ରସ୍ତୁତ କରୁଥିବା ମନ୍ଦିରଗୁଡ଼ିକର ମଧ୍ୟ କେବେ ଖାଦ୍ୟ ନମୁନା ସଂଗ୍ରହ କରାଯାଇନାହିଁ। ଏହାସହ ଗୁରୁଦ୍ୱାରରେ ମଧ୍ୟ ଅନେକ ସମୟରେ ଖାଦ୍ୟ ବଣ୍ଟନ କରାଯାଉଛି। ଏସବୁ ଧାର୍ମିକ ଅନୁଷ୍ଠାନଗୁଡ଼ିକୁ ଖାଦ୍ୟ ସୁରକ୍ଷା ପରିଚାଳନା ବ୍ୟବସ୍ଥା ବା ଏଫ୍‌ଏସ୍‌ଏମ୍‌ଏସ୍‌ ଜରିଆରେ ତଦାରଖ କରାଯିବ। ପାଣି ସଂରକ୍ଷିତ ରହୁଥିବା ଟାଙ୍କି ବା ଅନ୍ୟ ସ୍ଥାନକୁ ନିୟମିତ ସଫା କରାଯିବା, ଖାଦ୍ୟ ପ୍ରସ୍ତୁତ ପାଇଁ ଆସୁଥିବା କଞ୍ଚାମାଲ କେଉଁ ସ୍ଥାନରେ ରଖାଯାଉଛି ଓ ରୋଷେୟା ନିଜର ସଫାସୁତରା ବଜାୟ ରଖିବା ଉପରେ ଏଥିରେ ଗୁରୁତ୍ୱ ଦିଆଯିବ। ଏହାସହ ଖାଦ୍ୟ ପ୍ରସ୍ତୁତ ହେଉଥିବା ସ୍ଥାନକୁ ସାଧାରଣ ଲୋକଙ୍କ ଅନାଧିକାର ପ୍ରବେଶ ଉପରେ ରୋକ ଲଗାଇବାକୁ ଧର୍ମାନୁଷ୍ଠାନ କମିଟିକୁ ସଚେତନ କରାଯିବ। ଜିଲ୍ଲାସ୍ତରରେ ଜିଲ୍ଲାପାଳ ଓ ମ୍ୟୁନସିପାଲଟିମାନଙ୍କୁ ଖାଦ୍ୟ ସୁରକ୍ଷା ପକ୍ଷରୁ ଏଥିପାଇଁ ଚିଠି ପ୍ରଦାନ କରାଯାଇଛି। ଖୁବଶୀଘ୍ର ଏସବୁ କ୍ଷେତ୍ରରେ ଟ୍ରେନିଂ କାର୍ଯ୍ୟକ୍ରମ ଆରମ୍ଭ ହେବ ବୋଲି ଜଣାପଡ଼ିଛି।

ଖାଦ୍ୟ ସୁରକ୍ଷାର ଉପ-କମିସନର ରାଜେନ୍ଦ୍ର ପତିଙ୍କ କହିବାନୁଯାୟୀ, ଏଫ୍‌ଏସ୍‌ଏସ୍‌ଆଇ ପକ୍ଷରୁ ଏଭଳି ଏକ ଯୋଜନା କରାଯାଇଛି। ରାଜ୍ୟର ସମସ୍ତ ଜିଲ୍ଲା ଓ ମ୍ୟୁନସିପାଲଟିରେ ଥିବା ଧର୍ମାନୁଷ୍ଠାନରେ ‘ଭୋଗ୍‌’କୁ କାର୍ଯ୍ୟକାରୀ କରାଯିବ। ନିଟକରେ ହୋଟେଲ ଓ ରେସ୍ତୋରାଁରେ ପରିମଳ ବଜାୟ ରଖିବା ପାଇଁ ଟ୍ରେନିଂ ପ୍ରଦାନ କରାଯାଇଛି। ନିକଟରେ ଧର୍ମାନୁଷ୍ଠାନ, ପାଣି ପ୍ରସ୍ତୁତକାରୀ କମ୍ପାନି ଓ ବେକେରି ପ୍ରସ୍ତୁତକାରୀଙ୍କୁ ଟ୍ରେନିଂ ପ୍ରଦାନ କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ଏଫ୍‌ଏସ୍‌ଏସ୍‌ଏଆଇର ଗବେଷଣା ଅଧିକାରୀ ଧର୍ମାନୁଷ୍ଠାନରେ ପରିମଳର ଯାଞ୍ଚ କରିବେ। ତେବେ ଏହାକୁ କାର୍ଯ୍ୟକାରୀ କରିବା କ୍ଷେତ୍ରରେ ସ୍ୱାସ୍ଥ୍ୟ ଅଧିକାରୀ ଓ ଖାଦ୍ୟ ସୁରକ୍ଷା ଅଧିକାରୀଙ୍କ ଅଧିକ ଦାୟିତ୍ୱ ରହିଛି ବୋଲି ଶ୍ରୀ ପତି କହିଛନ୍ତି।

ସମ୍ବନ୍ଧିତ ଖବର